ବୌଦ୍ଧ ଧର୍ମ ଗ୍ରହଣ କରିବେ କୋରାପୁଟ ବିଧାୟକ : ଆଜିଠାରୁ ରୀତିନୀତି, ଲକ୍ଷ୍ମୀପୁର ବୁରୁଜାରେ ବ୍ୟାପକ ଆୟୋଜନ

46

କନକ ବ୍ୟୁରୋ : ଆଜି ହିନ୍ଦୁ ଧର୍ମ ଛାଡ଼ି ବୌଦ୍ଧ ଧର୍ମ ଗ୍ରହଣ କରିବେ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ । ଗୋଟିଏ ପଟେ ଦେଶରେ ଧର୍ମକୁ ନେଇ ରାଜନୀତି ତୀବ୍ର ହେଉଛି, ଧର୍ମକୁ ନେଇ ସମାଜ ଭାଗ ଭାଗ ହେଉଛି, ଏପରି ସ୍ଥିତିରେ ଧର୍ମ ବଦଳାଇବାକୁ ଯାଉଛନ୍ତି କୋରାପୁଟ ବିଧାୟକ । ସେ ଯୁକ୍ତି ବାଢିଛନ୍ତି, ବୌଦ୍ଧ ଧର୍ମରେ ମୈତ୍ରୀଭାବ ରହିଛି, ସମାନତା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ତାଙ୍କର ବୌଦ୍ଧ ଧର୍ମ ଥିଲା । ତେବେ ଏଠାରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ସଗରିଆ ଏବେ ସ୍ୱଧର୍ମକୁ ଫେରିବା କଥା କହୁଛନ୍ତି, ତେବେ ଆଗରୁ କାହିଁକି ସେ ଧର୍ମ ପରିବର୍ତନ କରିନଥିଲେ? ବର୍ତମାନ ଧର୍ମ ବଦଳାଇବା ପଛରେ ତାଙ୍କର କିଛି ରାଜନୈତିକ ଉଦ୍ଦେଶ୍ୟ ରହିଛି କି?

ବିଧାୟକ ଶ୍ରୀ ଶଗରିଆ ମୂଳତଃ ହିନ୍ଦୁ ଧର୍ମାବଲମ୍ବୀ। ସେ କୁହନ୍ତି ଯେ, ବୌଦ୍ଧ ଧର୍ମ ରୀତିନୀତି ତାଙ୍କୁ ଆକୃଷ୍ଟ କରିଛି। ଅନୁସୂଚିତ ଜାତି ଓ ଜନଜାତିର ସବୁ ଲୋକ ଏକଦା ବୌଦ୍ଧ ଧର୍ମାବଲମ୍ବୀ ଥିଲେ। ତେଣୁ ସେ ନିଜ ଧର୍ମକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଏଥିପାଇଁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବୁରୁଜାରେ ବ୍ୟାପକ ଆୟୋଜନ କରାଯାଇଛି। ବାହାରୁ ୪ ଜଣ ବୌଦ୍ଧଭିକ୍ଷୁ ମଧ୍ୟ କୋରାପୁଟରେ ଆସି ପହଞ୍ଚିଛନ୍ତି। ବୁରୁଜାରେ ବୌଦ୍ଧ ରୀତିନୀତି ଅନୁଯାୟୀ କାର୍ୟ୍ୟକ୍ରମ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ପ୍ରବଚନ ରହିଛି। ଏଥିରେ ଜିଲ୍ଲାର ବିଭିନ୍ନ ଭାଗରୁ ବହୁଲୋକ ଯୋଗ ଦେବାର ସୂଚନା ମିଳିଛି। ରବିବାର ଦିନ ବିଧାୟକ ଓ ତାଙ୍କ ପରିବାର ଲୋକେ ଧର୍ମ ଗ୍ରହଣ କରିବେ। ଏହାସହ ଆଉ ୨୫ରୁ ୩୦ ପରିବାର ସେଦିନ ବୌଦ୍ଧ ଧର୍ମ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।