କନକ ବ୍ୟୁରୋ : ନାରୀକୁ ଆଉ ଅବଳା କି ଦୁର୍ବଳା କହିବା ନାହିଁ । ଇଛା ଶକ୍ତି ଥିଲେ ନିଜର ପ୍ରତିଭାକୁ ଲୋକାଲୋଚନକୁ ଆଣି ସଫଳତା ପାଇ ହେବ । ଯାହାର ଉଦାହରଣ ପାଲଟିଛନ୍ତି ଆଦିବାସୀ ଅଂଚଳ ଝିଅ ଆଇପିଏସ ଅଧିକାରୀ ସାଗରିକା ନାଥ । କୋରାପୁଟରେ ପାଠପଢ଼ି ଜିଲ୍ଳାର ସେବା କରିବା ପାଇଁ ନିଜକୁ ସମର୍ପଣ କରିଦେଇଛନ୍ତି । କି ଦିନ କି ରାତି ତାଙ୍କ ପାଇଁ ସବୁ ସମାନ । ଏହି ବିନଦାସ ଲେଡି ଆଇପିଏସ ଅଫିସର ଅଳ୍ପ ବୟସରେ ପୁଲିସ ସେବାରେ ସାମିଲ ହୋଇ ଅନେକ ଚର୍ଚ୍ଚା ସାଉଁଟିଛନ୍ତି । ମାତ୍ର ୨ ମାସର କାର୍ଯ୍ୟକାଳ ଭିତରେ ଗଞେଇ ମାଫିଆ, ମଦ ମାଫିଆ, ଓ ଦୁର୍ଦ୍ଦାନ୍ତ ଅପରାଧିକୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଦିନ ହେଉ ବା ରାତି, ବେଳ ଅବେଳ କିଛି ନାହିଁ, ଯେତେବେଳେ ଯେଉଁଠାରୁ କିଛି ସୂଚନା ମିଳେ ତୁରନ୍ତ ନିଜର ଟିମ ପହଚିଂ ଯାଆନ୍ତି ସାଗରିକା ରଥ ।

Advertisment

publive-imageକୋରାପୁଟ ଗଞ୍ଜେଇ ଚୋରା ବେପାରୀଙ୍କ ପାଇଁ ଏବେ ଆତଙ୍କ ସାଜିଛନ୍ତି ଆଇପିଏସ ଅଧିକାରୀ ସାଗରିକା ନାଥ । ମାଓ ଅଞ୍ଚଳରେ ଯେଉଁଠି ସୂର୍ଯ୍ୟ ବୁଡ଼ିଲେ ତାଟି କବାଟ ପଡ଼ିଯାଏ । ସେଠାରେ ସାଗରିକା ଦେଖାଇଛନ୍ତି ଦମ । ରାତି ଅନ୍ଧାରରେ ନିଜ ଟିମ ଧରି ଅପରାଧୀଙ୍କୁ ସାବାଡ଼ କରୁଛନ୍ତି ସାଗରିକା । ଯାହାଙ୍କ ଭୟରେ ଏବେ ବୋରାଗୁମ୍ମାରେ ଗଞ୍ଜେଇ ଚୋରା ଚାଲାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଛି । ଏହାଛଡ଼ା ପିଲା ଚୋରିକୁ ନେଇ ଉକ୍ତ ଅଞ୍ଚଳରେ ଯେଉଁ ଆତଙ୍କ ଦେଖା ଦେଇଥିଲା ତାହାର ମଧ୍ୟ ସମାଧାନ କରିଛନ୍ତି ସାଗରିକା । ନିଜର ଦବଙ୍ଗଗିରି ପାଇଁ ଏବେ ପୂରା ଚର୍ଚ୍ଚାରେ ରହିଛନ୍ତି ସାଗରିକା ।

publive-imageକୋରାପୁଟର ଘଞ୍ଚ ଜଙ୍ଗଲ ତାଙ୍କ ପାଇଁ କିଛି ନୂଆ ନୁହେଁ । ୨୦୧୬ ବ୍ୟାଚର ଏହି ଲେଡ଼ି ଆଇପିଏସ ଅଫିସର କୋରାପୁଟ ସହ ଅତି ଛୋଟବେଳୁ ପରିଚିତ । ୧୯୮୮ ମସିହାରେ ଜନ୍ମ ଗ୍ରହଣ କରିଥିବା ସାଗରିକାଙ୍କ ପୈତୃକ ଘର ହେଉଛି ଅନୁଗୁଳରେ । ତେବେ ସାଗରିକାଙ୍କ ଛୋଟ ବେଳ କଟିଛି କୋରାପୁଟରେ । ଦାମନଯୋଡ଼ିରେ ରହୁଥିବା ସାଗରିକା ଦିଲ୍ଲୀ ପବ୍ଲିକ ସ୍କୁଲରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ବିଶାଖାପାଟଣା ଯୁକ୍ତ ଦୁଇ ପାଠପଢ଼ା ଶେଷ କରିଥିଲେ । ତେବେ ପରେ ଭୁବନେଶ୍ୱର ସିଇଟି ଇଞ୍ଜିନିୟରିଂ କଲେଜରେ ନିଜର ଉଚ୍ଚ ଶିକ୍ଷା ଶେଷ କରିବା ପରେ ଆଇପିଏସ ପାଇଁ ପ୍ରସ୍ତୁତି କରିଥିଲେ । ମନରେ ଥିଲା ମାଟି ମା’ର ସେବା କରିବା । ଆଉ ୪ ବର୍ଷ ପରେ ସାଗରିକାଙ୍କ ଏହି ସ୍ୱପ୍ନ ପୂରଣ ହୋଇଥିଲା । ୨୦୧୬ ମସିହାରେ ସିଭିଲ ସର୍ଭିସ ପରୀକ୍ଷାରେ କୃତକାଯ୍ୟ ହୋଇଥିଲେ । ଆଉ ଦୁଇ ବର୍ଷର ଟ୍ରେନିଂ ପରେ ତାଙ୍କୁ ପ୍ରଥମ ପୋଷ୍ଟିଂରେ ବୋରିଗୁମ୍ମାକୁ ପଠା ଯାଇଥିଲା ।

ବୋରିଗୁମ୍ମାର ଦାୟିତ୍ୱ ନେବା ପରେ ସାଗରିକାଙ୍କ ଦବଙ୍ଗଗିରି ଦେଖିଥିଲେ ଅଞ୍ଚଳବାସୀ । ବୋରିଗୁମ୍ମାରେ ଗଞ୍ଜେଇ ବେପାରୀଙ୍କ ଉତ୍ପାତ ତାଙ୍କ ନଜରକୁ ଆସିବା ପରେ ସେ ଆରମ୍ଭ କରିଥିଲେ ରାତି ଅଧିଆ ଅପରେସନ । ଯାହା ଫଳରେ ବୋରିଗୁମ୍ମାରୁ ସମ୍ପୂର୍ଣ୍ଣ ଭାବେ ଏବେ ଗଞ୍ଜେଇ ଚୋରା ଚାଲାଣ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ଏହାଛଡ଼ା ତାଙ୍କ ଲକ୍ଷ୍ୟ ରହିଛି, ନିର୍ଯ୍ୟାତିତ ହେଉଥିବା ଯୁବତୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ପୁଣି ଥରେ ଫେରାଇ ଆଣିବା । ଏଥିପାଇଁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରୁଛନ୍ତି ଆଇପିଏସ ସାଗରିକା ।