କ’ଣ ଦରକାର ଆପଣଙ୍କ ଶରୀରକୁ ! ଏହି ଲକ୍ଷଣରୁ ଜାଣନ୍ତୁ ଆବଶ୍ୟକୀୟ ଚିକିତ୍ସା ସହ ଖାଦ୍ୟ

102

ଅନେକ ସମୟରେ ଆମ ଶରୀରର ଭିତରୁ ଖରାପ ରହିଥାଏ ହେଲେ ଏହା ବାହାରକୁ ସ୍ପଷ୍ଟ ଭାବରେ ଜଣା ପଡିନଥାଏ । କିନ୍ତୁ କିଛି ଲକ୍ଷଣ ଦେଖାଯାଇଥାଏ ଯାହା ଶରୀର ଅସୁସ୍ଥ ବୋଲି ସୂଚନା ଦେଇଥାଏ । ଏହି ସବୁ ଲକ୍ଷଣ ଦର୍ଶାଇଥାଏ ଶରୀରକୁ ସାହାଯ୍ୟ ଦରକାର ଉପେକ୍ଷା ନୁହେଁ । ଅଧିକ ଦିନ ଏହାକୁ ଉପେକ୍ଷା କରାଗଲେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜେ। ତେଣୁ, ଶରୀରର କେତେକ ଲକ୍ଷଣ ଉପରେ ସର୍ବଦା ଧ୍ୟାନ ଦେବା ଆବଶ୍ୟକ।

ନିଦ୍ରା ହୀନତା ଏବଂ ବିନ୍ଧାବିନ୍ଧି:

ସଭିଏଁ କେବେ ନା କେବେ ନିଦ୍ରା ହୀନତା ଏବଂ ବିନ୍ଧାବିନ୍ଧିର ଶିକାର ହୁଅନ୍ତି । କିନ୍ତୁ, ଯଦି ଏହା ଲାଗି ରହେ, ତେବେ ଜାଣନ୍ତୁ ଶରୀରରେ ମ୍ୟାଗ୍ନେସିୟମ୍ ଜନିତ ସମସ୍ୟା ଅଛି । ମସ୍ତିଷ୍କ, ମାଂସପେଶୀ ଏବଂ ହୃତପିଣ୍ଡ ପାଇଁ ମ୍ୟାଗ୍ନେସିୟମ୍ ଗୁରୁତ୍ୱପୂର୍ଣ୍ଣ । ଏମିତି ଅନୁଭବ କଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ବାଦାମ, ଶାଗ, କଦଳୀ ଏବଂ ଫଳ ଆଦି ଖାଆନ୍ତୁ ।

ଚର୍ମ ଶୁଷ୍କ ପଡିବା :

ଶରୀରରେ ଭିଟାମିନ୍‌ ‘ଇ’ର ଅଭାବ ହେଲେ ତାହା ଚର୍ମରୁ ଜଣାପଡ଼େ। ଭିଟାମିନ୍‌ ‘ଇ’ ଚର୍ମକୁ ସୁସ୍ଥ ରଖେ। ଶରୀରରୁ ଭିଟାମିନ୍‌ ‘ଇ’ କମିଗଲେ, ଚର୍ମ ଫାଟିବା, ଶୁଖିଲିଆ ଲାଗିବା, କାତି କାତିଆ ଦିଶିବା ସହ କୁଣ୍ଡେଇ ହୋଇଥାଏ । ତେଣୁ, ମାଛତେଲ, ବାଦାମ ଏବଂ ଅନ୍ୟାନ୍ୟ ତୈଳ ଖାଆନ୍ତୁ।

ମିଠା ଖାଇବାର ଇଚ୍ଛା:

ଯଦି ଆପଣଙ୍କର ହଠାତ୍‌ ମିଠା ଖାଇବାକୁ ପ୍ରବଳ ଆଗ୍ରହ ହେଉଛି, ଜାଣନ୍ତୁ ଚାପ, ବିଷାଦ ବା କ୍ଳାନ୍ତି ଏହାର କାରଣ ହୋଇପାରେ । ଆପଣଙ୍କ ଶରୀର ଗ୍ଲୁକୋଜ୍‌ ପାଇଁ କହୁଛି। ଏଥିପାଇଁ କଳା ଚକଲେଟ୍ କିମ୍ବା ମହୁ ଖାଆନ୍ତୁ।

ଖଟା ଖାଇବାର ଇଚ୍ଛା:

ଶରୀରରେ ହର୍‌ମୋନ୍‌ ଜନିତ ପରିବର୍ତ୍ତନ ହେଲେ ଖଟା ଖାଇବାକୁ ମନ ବଳିଥାଏ । ଉଦାହରଣ ସ୍ୱରୂପ: ଅନ୍ତଃସତ୍ତ୍ୱା ଅବସ୍ଥାରେ। କିନ୍ତୁ, ଏହା ଲିଭର୍ ଏବଂ ପିତ୍ତକୋଷ ସମସ୍ୟାର ଲକ୍ଷଣ ମଧ୍ୟ ହୋଇପାରେ। ଏ କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

ବରଫ/ ଥଣ୍ଡା ଜିନିଷ ଖାଇବାର ଇଚ୍ଛା :

ଯଦି ଆପଣଙ୍କର ବରଫ/ ଥଣ୍ଡା ଜିନିଷ ଖାଇବାକୁ ମନ ହେଉଛି, ଆପଣ ରକ୍ତହୀନତା ଶିକାର ହୋଇଛନ୍ତି । ଶରୀରରେ ଆଇରନର ଅଭାବ ଦେଖା ଦେଇଛି । କଂଚା କଦଳୀ, ଅଣ୍ଡା ଆଦିରେ ପ୍ରଚୁର ଲୌହସାର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ସବୁ ଖାଆନ୍ତୁ।

ମାଢ଼ିରୁ ରକ୍ତ ବାହାରିଲେ :

ଦାନ୍ତ ଘଷିବାବେଳେ ହଠାତ୍‌ କିମ୍ବା ସବୁବେଳେ ମାଢ଼ିରୁ ରକ୍ତ ବୋହିବା ଭିଟାମିନ୍‌ ‘ସି’ ଅଭାବର ଲକ୍ଷଣ ବୋଲି ଜାଣନ୍ତୁ। ଲେମ୍ବୁଜାତୀୟ ଫଳ, ପାଳଙ୍ଗ, ସବୁଜ ଓ ଲାଲ୍‌ ଶିମଳା ଲଙ୍କା, ବିଲାତୀ ବାଇଗଣ, ବନ୍ଧାକୋବି, ଫୁଲକୋବି ଏବଂ ବ୍ରୋକୋଲି ଖାଆନ୍ତୁ।

ଚୁଟି  ଛିଡ଼ିଲେ କି, ନଖ ଭାଙ୍ଗିଲେ:

ଯଦି ଆପଣଙ୍କର ଚୁଟି ଛିଡ଼ି ଯାଉଥାଏ କି, ନଖ ଭାଙ୍ଗି ଯାଉଥାଏ ଜାଣନ୍ତୁ, ଶରୀର ଭିଟାମିନ୍‌ ‘ବି’ ଲୋଡୁଛି । ପ୍ରତିକାର ପାଇଁ ଦୁଗ୍ଧ ପାନ କରନ୍ତୁ ଏବଂ ଛତୁ ଖାଆନ୍ତୁ।

ଆଖି ପିତୁଳା ଚାରିପଟେ ବଳୟ ଦିଶିଲେ :

ସାଧାରଣତଃ ପଚାଶ ବର୍ଷ ଟପିଲେ ଆଖି ପିତୁଳା ଚାରିପଟେ ବଳୟ ଦିଶିବା ସ୍ୱାଭାବିକ କଥା । ଯଦି, ଏହା ତା’ଠାରୁ କମ୍‌ ବୟସ୍କ ବ୍ୟକ୍ତିଙ୍କ ଆଖିରେ ଦେଖାଗଲା, ତାହା ଶରୀରରେ କୋଲେଷ୍ଟ୍ରଲ୍‌ ବୃଦ୍ଧିର ସୂଚନା ବୋଲି ଜାଣନ୍ତୁ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ଜରୁରୀ।