ଦିଲ୍ଲୀରେ ରୁହନ୍ତି, ମଝିରେ ମଝିରେ ଗାଁକୁ ଆସନ୍ତି । ନିଖୋଜ ଓଡିଆ ପାଇଲଟ ସୁନିତ ମହାନ୍ତିଙ୍କ ବିଷୟରେ କିଛି ଅଜଣା କଥା ।

910

କନକ ବ୍ୟୁରୋ : ଭାରତୀୟ ବାୟୁସେନା ବିମାନ ଏଏନ-୩୨ ନିଖୋଜ ଥିବା ବେଳେ ଏଥିରେ ଥିବା ଓଡିଆ ପାଇଲଟ ସୁନିତ ମହାନ୍ତିଙ୍କ ପତ୍ତା ମିଳୁନାହିଁ । ବିମାନ ନିଖୋଜ ହେବାର ୪ ଦିନ ବିତି ଯାଇଥିଲେ ମଧ୍ୟ ଏଯାଏଁ କୌଣସି ସୂଚନା ମିଳିପାରିନାହିଁ । ତେବେ ଏଥିରେ ଓଡିଆ ପୁଅ ସୁନିତ ମହାନ୍ତିଙ୍କ ନିଖୋଜ ଖବର ଏବେ ସମସ୍ତଙ୍କୁ ହତବାକ୍ କରିଛି । ସୁନିତଙ୍କ ପରିବାର ଦିଲ୍ଲୀରେ ବସବାସ କରୁଥିବା ବେଳେ ତାଙ୍କ ବାପା ଜଣେ ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଞ୍ଚଳରେ ସୁନିତଙ୍କ ପୈତୃକ ଗାଁ ହୋଇଥିବା ବେଳେ ମଝିରେ ମଝିରେ ସୁନିତ ମଧ୍ୟ ଗାଁକୁ ଆସିଥାନ୍ତି ।

ଓଡିଆ ପାଇଲଟ ସୁନିତ ମହାନ୍ତିଙ୍କ ଘର ଆମ୍ବପୁଆ ପଞ୍ଚାୟତର ବଳିଆପଲ୍ଲି ଗ୍ରାମ। ଗାଁରେ ରହୁଥିବା ସୁନିତଙ୍କ ସମ୍ପର୍କୀୟ ବଡବାପା ପଣ୍ଡିତ ବଲ୍ଲଭ ମହାନ୍ତିଙ୍କ କହିବାନୁଯାୟୀ, ସୁନିତଙ୍କ ପିତା ସୁରେନ୍ଦ୍ର ନାଥ ମହାନ୍ତି ମଧ୍ୟ ବାୟୁ ସେନାରେ ଚାକିରି କରୁଥିଲେ। ଏହାପରେ ସେଠାରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ସେ କେଣସି ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ଦିଲ୍ଲୀରେ ସୁନିତଙ୍କ ବାପା, ମା ଓ ଭଉଣୀ ରହୁଥିଲେ। ସୁନିତ ଏୟାର ଫୋର୍ସରେ ନିଯୁକ୍ତି ପାଇବା ପରେ ଆସାମ ଚାଲିଯାଇଥିଲେ। ତେବେ ସୁନିତଙ୍କ କେତେକ ସମ୍ପର୍କୀୟମାନେ ଏବେ ମଧ୍ୟ ଗାଁରେ ରହୁଛନ୍ତି। ମିଳିଥିବା ସୂଚନା ଅନୁସାରେ ଓଡ଼ିଆ ଅଫିସର୍ ସୁନିତ ମହାନ୍ତି
-ଏନଆଇଟି ଜାମ୍ସେଦପୁରରୁ ଇଂଜିନିୟରିଂ କରିଛନ୍ତି
-ଡିଆରଡିଓରେ ଗୋଟିଏ ମାସ ଟ୍ରେନିଂ ଭାବେ କାର୍ଯ୍ୟ କରିଛନ୍ତି

ନିଖୋଜ ଥିବା ବିମାନରେ ୧୩ ଜଣ ପାଇଲଟ ଏବଂ ଯାତ୍ରୀ ଥିବା ବେଳେ ସେଥି ମଧ୍ୟରୁ ଓଡ଼ିଆ ପାଇଲଟ ଫ୍ଲାଇଟ ଲେପ୍ଟଟାଣ୍ଟ ସୁନିତ ମହାନ୍ତି ରହିଥିବା ଜଣାପଡିଛି। ନିଖୋଜ ବିମାନର ତଲାସି ପାଇଁ ବିଭିନ୍ନ ପ୍ରକାରର ଉଦ୍ୟମ କରାଯାଉଛି ଓ ବିମାନରେ ଥିବା ଏୟାରଫୋର୍ସ କର୍ମଚାରୀମାନଙ୍କ ପରିବାରଲୋକଙ୍କ ସହ ନିୟମିତ ଭାବେ ଯୋଗାଯୋଗ ରହିଥିବା ବାୟୁସେନା ପକ୍ଷରୁ ସୂଚନା ମିଳିଛି କିନ୍ତୁ ଏପର୍ଯ୍ୟନ୍ତ ବିମାନ ବିଷୟରେ କିମ୍ବା ସେଥିରେ ଥିବା ୧୩ ଜଣଙ୍କ ବିଷୟରେ କେଣସି ସୂଚନା ମିଳିପାରି ନାହିଁ।ଗତ ୩ ତାରିଖରେ ୧୩ ଜଣଙ୍କୁ ନେଇ ଏନ-୩୨ ବିମାନ ଆସାମ ଜୋରହାଟରୁ ଉଡାନ କରିଥିଲା। ତେବେ ଅରୁଣାଞ୍ଚଳ ପ୍ରଦେଶର ମେନଚୁକା ଏୟାର ଫିଲ୍ଡରେ ଅବତରଣ ପୂର୍ବରୁ ବିମାନଟି ନିଖୋଜ ହୋଇଯାଇଥିଲା।