ମୋଦି ମନ୍ତ୍ରୀଙ୍କ ବିତଣ୍ଡା ଯୁକ୍ତି ! ପେଟ୍ରୋଲ କିଣୁଥିବା ଲୋକ ଭୋକରେ ମରନ୍ତି ନାହିଁ

95

କନକ ବ୍ୟୁରୋ : ସାଧାରଣ ଲୋକଙ୍କ ପକେଟରେ ଏବେ ପେଟ୍ରୋଲ ଲଗାଇଛି ନିଆଁ । ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ ଦର । ବେଲଗାମ ହୋଇଯାଇଛି ପେଟ୍ରୋଲ ଦର । ଅଳ୍ପ କିଛିଦିନ ମଧ୍ୟରେ ପେଟ୍ରୋଲ ଦର ବୃଦ୍ଧି ପାଇ ୮୦ ଟଙ୍କାରେ ପହଞ୍ଚିଥିବାରୁ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । କିନ୍ତୁ ଏଭଳି ସମୟରେ ନେତାଙ୍କ ବୟାନବାଜି ସାଧାରଣ ଲୋକଙ୍କୁ ବେଶ ବାଧୁଛି । ପେଟ୍ରୋଲ ଦର ବୃଦ୍ଧି ଉପରେ ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

petrol 1ନୂତନ ଭାବେ ଶପଥ ନେଇଥିବା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କେ.ଯେ ଆଲଫୋନ୍ସଙ୍କ ବୟାନ ଏବେ ମୋଦି ସରକାରକୁ ଅଡୁଆରେ ପକାଇଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ସଠିକ୍ ବୋଲି କହିଛନ୍ତି ସେ । ଏକ ସାମ୍ବାଦିକ ସମ୍ମିଳନୀରେ ଆଲଫୋନ୍ସ କହିଛନ୍ତି କାର ଓ ବାଇକ ଚଳାଉଥିବା ବ୍ୟକ୍ତି ମାନେ ପେଟ୍ରୋଲ କିମ୍ବା ଡିଜେଲ କିଣିଥାନ୍ତି । ତେଣୁ ପେଟ୍ରୋଲର ଦର ବଢିଗଲେ ଏଭଳି ଶ୍ରେଣୀର ଲୋକ ଭୋକରେ ମରିଯିବେ ନାହିଁ । କାରଣ ଅଧିକାଂଶ ପେଟ୍ରୋଲ କିଣୁଥିବା ଲୋକ ସ୍ୱଚ୍ଛଳ ବର୍ଗର ।

petrolଏହାଛଡା ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସରକାର ନେଇଥିବା ନିଷ୍ପତି ପୂରାପୁରି ଭାବେ ଠିକ୍ । ଏଭଳି ନିଷ୍ପତିକୁ ସେ ସମର୍ଥନ କରୁଥିବା ନେଇ କହିଛନ୍ତି ଆଲଫୋନ୍ସ । ତା ଛଡା ସେ କହିଛନ୍ତି ଯେଉଁମାନେ ପେଟ୍ରୋଲ ଉପରେ ଟିକସ ଦେବା ପାଇଁ ସକ୍ଷମ ସେମାନେ ଟିକସ ଦେବା ଉଚିତ । କାରଣ ପେଟ୍ରୋଲରୁ ମିଳୁଥିବା ଟଙ୍କାକୁ ଦେଶରୁ ଗରିବି ଦୂର କରିବା ପାଇଁ ଖର୍ଚ୍ଚ କରାଯିବ । ତେଣୁ ସରକାର ଏ ବାବଦରେ ଭାବିଚିନ୍ତି ନିଷ୍ପତି ନେଇଛନ୍ତି । ତା ଛଡା ସେ ପ୍ରଶ୍ନ କରିଛନ୍ତି ଯେ, ପେଟ୍ରୋଲ କେଉଁମାନେ କିଣୁଛନ୍ତି ଯେଉଁମାନଙ୍କର ଗାଡି କିମ୍ବା କାର ଅଛି । ସେଭଳି ଲୋକ ନି÷ହାତି ଭାବରେ ସ୍ୱଚ୍ଛଳ ବର୍ଗର । ତେଣୁ ଟ୍ୟାକ୍ସ ଦେବା ଆବଶ୍ୟକ ।

ଆଲେଫୋନ୍ସ ଯୁକ୍ତି କରିଛନ୍ତି ଯେ, ମୋଦି ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଅଧିକ ଟିକସ ଲଗାଉଛନ୍ତି ଯାହାଫଳରେ ଦେଶର ଗରିବ ଶ୍ରେଣୀର ଲୋକମାନେ ଏକ ଭଳ ଜୀବନ ଅତିବାହିତ କରିପାରିବେ । ସେ କହିଛନ୍ତି, ଗରିବ ଲୋକଙ୍କ ପାଇଁ କାମ କରୁଥିବା ମୋଦି ସରକାରଙ୍କ ଏଭଳି ନିଷ୍ପତି ଦ୍ୱାରା ଦେଶର ଗରିବ ଶ୍ରେଣୀର ଲୋକ ଅଧିକ ଉପକୃତ ହେବେ । ଏହାଛଡା ଗରିବ ମାନଙ୍କୁ ଘର, ଶୌଚାଳୟ ଭଳି ସୁବିଧା ଏହି ପେଟ୍ରୋଲିୟମ ପଇସା ଦ୍ୱାରା ଭରଣା କରାଯାଇପାରିବ । ତା ଛଡା ପ୍ରଧାନମନ୍ତ୍ରୀ ତ ଏହି ପଇସା ଚୋରି କରି ନେଉନାହାନ୍ତି ବୋଲି କହିଛନ୍ତି ଆଲଫୋନ୍ସ ।

ମୋଦି ସରକାର ନେଉଥିବା ନିଷ୍ପତି ସମ୍ପୂର୍ଣ୍ଣ ଭାବେ ସରଳ ଓ ସ୍ପଷ୍ଟ । ଏହି ସରକାର ଗରିବଙ୍କ ପାଇଁ ଅଧିକରୁ ଅଧିକ କାମ କରୁଛି । ତେଣୁ ଅଧିକ ଟଙ୍କା ଆବଶ୍ୟକ ପଡୁଛି ତେଣୁ ଟିକସ ଦେବାକୁ ଯେଉଁମାନେ ସକ୍ଷମ ସେମାନଙ୍କ ଠାରୁ ଏଭଳି ଉପାୟରେ ଟଙ୍କା ଭରଣା କରାଯାଉଛି ବୋଲି କହିଛନ୍ତି ଆଲେଫୋନ୍ସ ।

ତେବେ ଏଠାରେ ଆମେ ଆପଣଙ୍କୁ ସୂଚାଇ ଦେବାକୁ ଚାହୁଁଛୁ ଯେ, ବିଗତ ତିନି ବର୍ଷ ମଧ୍ୟରେ ପେଟ୍ରୋଲ ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ଏପରିକି କିଛି କିଛି ସ୍ଥାନରେ ୮୦ ଟଙ୍କା ଡେଇଁଛି ପେଟ୍ରୋଲ ।  କେନ୍ଦ୍ର ସରକାର ପଟ୍ରୋଲ ଉପରେ ନେଉଥିବା ଟିକସ ଯୋଗୁଁ ଏହାର ମୂଲ୍ୟ ବୃଦ୍ଧି ପାଇ ଚାଲିଛି । କେବଳ କେନ୍ଦ୍ର ନୁହେଁ ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ ଉପରେ ଟିକସ ନେଇଥାନ୍ତି ।

petrol 5ତେବେ ସବୁଠାରୁ ଗରୁତ୍ୱପୂର୍ଣ୍ଣ କଥା ହେଲା, ୨୦୧୪ ମସିହା ପରେ ଏବେ ପେଟ୍ରୋଲର ସର୍ବାଧିକ ମୂଲ୍ୟ ବୃଦ୍ଧି ଘଙ୍କିଛି । ତେବେ ଆଶ୍ଚର୍ଯ୍ୟ କଥା ହେଲା ଯେତେବେଳେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ହ୍ରାସ ପାଉଛି ସେଭଳି ସମୟରେ ପେଟ୍ରୋଲର ଦର ହୁ ହୁ ହୋଇ ବଢି ଚାଲିଛି । ଦେଖିବାକୁ ଗଲେ ୨୦୧୪ ତୁଳନାରେ ଏବେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ଅଧାଠାରୁ ମଧ୍ୟ କମ ରହିଛି । ଏଭଳି ପରିସ୍ଥିତିରେ ପେଟ୍ରୋଲ ଦର କମିବା ପରିବର୍ତ୍ତେ ଲଗାତାର ବଢି ଚାଲିଛି । ମୋଦି ସରକାର କ୍ଷମତାକୁ ଆସିବା ପରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ ୫୩ ପ୍ରତିଶତ କମିଛି । କିନ୍ତୁ ଭାରତରେ ଏହାର ପ୍ରଭାବ ଟିକିଏ ବି ପଡିନି । ପୂର୍ବ ଅପେକ୍ଷା ଆହୁରି ଅଧିକ ବୃଦ୍ଧି ପାଇଛି ପେଟ୍ରୋଲର ଦର ।

ଏହାପରେ ମଧ୍ୟ ଯଦି କେନ୍ଦ୍ର ସରକାର ପେଟ୍ରୋଲ ଡ଼ିଜେଲର ଦରରେ ପରିବର୍ତ୍ତନ ପାଇଁ କିଛି ପଦକ୍ଷେପ ଉଠାନ୍ତି, ତେବେ ବର୍ତ୍ତମାନ ଦର ହିସାବରେ ଅଧା ହୋଇଯିବ ଦର । ଯଦି ସରକାର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ଶୁଣନ୍ତି, ତେବେ ୧ ଲିଟର ପେଟ୍ରୋଲ କେବଳ ୪୩ ଟଙ୍କାରେ ମିଳିବ । ଏବଂ ୧ ଲିଟର ଡିଜେଲ ୪୧ ଟଙ୍କାରେ ଉପଲବ୍ଧ ହୋଇପାରିବ ।

d pradhanପ୍ରକୃତକଥା ହେଲା ପେଟ୍ରୋଲ-ଡିଜେଲର ଦର ବୃଦ୍ଧିକୁ ନେଇ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦର ହ୍ରାସ ପାଇଁ ଜିଏସଟି ହଁ ଏକମାତ୍ର ରାସ୍ତା । ସେ କହିଛନ୍ତି ଜିଏସଟି ପରିଷଦ ପେଟ୍ରୋଲ ଡିଜେଲ ଦରକୁ ଜିଏସଟି ପରିଷରଭୁକ୍ତ କରିବା ପାଇଁ ବିଚାର କରିବା ଉଚିତ୍ । ତେବେ ସରକାର ଯଦି ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ପ୍ରତି ଧ୍ୟାନ ଦିଅନ୍ତି, ତବେ ସାଧାରଣ ଲୋକ ନିଶ୍ଚୟ ଉପକୃତ ହେବେ । ଯଦି ପେଟ୍ରୋଲ ଓ ଡିଜେଲ ନୂଆ ଟାକ୍ସ ନୀତି ଅଧିନରେ ଆସେ ତେବେ ବର୍ତ୍ତମାନ ଦରରେ ପରିବର୍ତ୍ତନ ଆସିବ । ଯଦି ପେଟ୍ରୋଲ–ଡ଼ିଜେଲକୁ ଜିଏସଟି ଅଧୀନରେ ଅଣାଯାଏ ତେବେ ଏଥିରେ ଅଧିକରୁ ଅଧିକ ୨୮ ପ୍ରତିଶତ ଜିଏସଟି ଲାଗିବ । କାରଣ ଜିଏସଟିରେ ଏହା ସବୁଠାରୁ ଅଧିକ ଟାକ୍ସ ସ୍ଲାବ୍ । ୨୮ ପ୍ରତିଶତ ଟାକ୍ସ ଆଦାୟ ପରେ ପେଟ୍ରୋଲ ଲିଟର ପ୍ରତି ଦିଲ୍ଲୀରେ ପାଖାପଖି ୪୩ ଟଙ୍କା ପଡ଼ିବ । ଯାହା ପେଟ୍ରୋଲର ବର୍ତ୍ତମାନ ଦରର ଅଧା ।

gstତେବେ ଆସନ୍ତୁ ଜାଣିବା ଏହା କିପରି ସମ୍ଭବ ? ପ୍ରଥମେ ଆସନ୍ତୁ ଆଲୋଚନା କରିବା ବର୍ତ୍ତମାନ କିପରି ପେଟ୍ରୋଲ-ଡ଼ିଜେଲ ପାଇଁ ଆପଣଙ୍କୁ ଦିଲ୍ଲୀରେ ୭୦ ଓ ମୁମ୍ବାଇରେ ୮୦ ଟଙ୍କା ଦେବାକୁ ପଡ଼ୁଛି । ପ୍ରଥମେ ପେଟ୍ରୋଲ ବିଷୟରେ ଆଲୋଚନା କରିବା । ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ ସେଲ (ପିପିଏସସି) ଅନୁସାରେ ତୈଳ କମ୍ପାନୀ ଗୁଡ଼ିକ ଏକ ଲିଟର ପେଟ୍ରୋଲକୁ ମାତ୍ର ୩୦. ୪୨ ଟଙ୍କାରେ ଡ଼ିଲର୍ସଙ୍କୁ ବିକ୍ରୀ କରନ୍ତି । ଡିଜେଲର ଏଥିରେ ୩.୨୪ ଟଙ୍କା କମିସନ ଯୋଡ଼ନ୍ତି । ଏହାପରେ ପେଟ୍ରୋଲ ଦର ହୋଇଯାଏ ୩୩.୬୬ ଟଙ୍କା । ତାପରେ କେନ୍ଦ୍ର ଏଥିରୁ ୨୧.୪୧ ଟଙ୍କା ଏଳ୍ସାଇଜ ଡ୍ୟୁଟି ଆଦାୟ କରେ । ତା’ପରେ ଦିଲ୍ଲୀରେ ୧୪.୪୮ ଭାଟ ଲାଗିବା ଏକ ଲିଟର ପେଟ୍ରୋଲ ପିଛା ପାଖାପାଖି ୭୦ ଟଙ୍କାରେ ବିକ୍ରୀ ହୁଏ । ଏବେ ଆସନ୍ତୁ ଡିଜେଲ ଦର ବିଷୟରେ ଆଲୋଚନା କରିବା । ତୈଳ କମ୍ପାନୀ ଡିଲରଙ୍କୁ ୧ ଲିଟର ଡିଜେଲକୁ ୨୯.୯୮ରେ ବିକ୍ରୀ କରନ୍ତି । ଏଥିରେ ୨.୧୭ ଟଙ୍କା ଡିଲର ନିଜର କମିଶନ ଯୋଡନ୍ତି । ଦିଲ୍ଲୀରେ ୮.୫୮ ଟଙ୍କା ଭାଟ୍ ଲାଗେ । ଏହିପ୍ରକାରେ ୧ ଲିଟର ଡିଜେଲ ଆପଣଙ୍କ ପାଖରେ ପହଞ୍ଚିଲା ବେଳକୁ ଆପଣଙ୍କୁ ୫୮.୦୬ ଟଙ୍କା ଦେବାକୁ ପଡ଼େ ।

vlcsnap-2017-09-16-19h49m59s808ଯଦି ପେଟ୍ରୋଲ ଜିଏସଟି ପରିସରଭୁକ୍ତ ହୁଏ, ତେବେ ଏକ୍ସାଇଜ ଡ୍ୟୁଟି ଓ ରାଜ୍ୟ ତରଫରୁ ଲାଗୁଥିବା ଭାଟ ଶେଷ ହୋଇଯବ । ଆଉ ସରକାର ଯଦି ୨୮ ପ୍ରତିଶତ ଜିଏସଟି ଲଗାନ୍ତି ତେବ ୧ ଲିଟରେ ପେଟ୍ରୋଲରେ କମିଶନ ଯୋଡ଼ିବା ପରେ ପେଟ୍ରୋଲ ଦର ୩୩.୬୬ ଟଙ୍କା ହୋଇଯିବ । ଏଥିରେ ୨୮ ପ୍ରତିଶତ ଜିଏସଟି ଯୋଡ଼ିବା ପରେ ଦର ମାତ୍ର ୪୦.୦୮ ଟଙ୍କା ହେବ । ଡିଜେଲର ଡିଲର କମିଶନ ଯୋଡ଼ିବା ପରେ ଦର ୩୨.୧୫ ଚଙ୍କା ହୋଇଯିବ । ଏଥିରେ ୨୮ ପ୍ରତିଶତ ଜିଏସଟି ଯୋଡ଼ିଲେ ୯.୦୨ ଟଙ୍କା ମିଶିବ । ଏପରିସ୍ଥଳେ ୧ ଲିଟର ଡିଜେଲ ପିଛା ଆପଣଙ୍କୁ ମାତ୍ର ୪୧.୧୭ ଟଙ୍କାରେ ମିଳିବ ।

ଆପଣ ଜାଣିପାରୁଥିବେ ଯଦି ପେଟ୍ରୋଲ ଓ ଡିଜେଲ ଜିଏସଟି ଅଧୀନରେ ଆସେ ତେବେ ଦର ଏବେ ଦରର ଆଧା ହୋଇଯିବ । ତେବେ ପେଟ୍ରୋଲ-ଡିଜଲକୁ ଜିଏସଟି ଅଧୀନରେ ଆଣିବା ପାଇଁ ଏବେ ସରାକରଙ୍କ କୌଣସି ଯୋଜନା ନାହିଁ । ଧର୍ମେନ୍ଦ୍ର ପ୍ରଧାନ ଜିଏସଟି ପରିଷଦଙ୍କ ଜରିଆରେ ଏହାର ସମାଧାନ ବାହର କରିବା ପାଇଁ କହିଛନ୍ତି । ତେବେ ପେଟ୍ରୋଲ ଓ ଡିଜେଲରେ ଜିଏସଟି ଶୀଘ୍ର ଲାଗୁ ହେବ ପରି କିଛି ଆଶା ଦେଖାଯାଉନାହିଁ ।