କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ । ଅନୁପ ନୁହେଁ କିଶୋରଙ୍କ ହାତରେ ବ୍ରଜରାଜନଗର ବିଜେଡିର ମଙ୍ଗ ଧରାଇଲେ ସୁପ୍ରିମୋ ।

434

କନକ ବ୍ୟୁରୋ: ଦୀର୍ଘ ଦିନର ଛାକପଞ୍ଝା ପରେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ଅନୁପ ସାଏଙ୍କ ବଦଳରେ କିଶୋର ମହାନ୍ତିଙ୍କୁ ଟିକେଟ୍ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଝାରସୁଗୁଡ଼ାରୁ ନବଦାସଙ୍କୁ ଟିକେଟ୍ ଦେବାପରେ କିଶୋରଙ୍କୁ କିପରି ଥଇଥାନ କରାଇବେ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ଏଥିରେ ପୂର୍ଣ୍ଣଛେଦ ପକାଇ ଶେଷରେ ବ୍ରଜରାଜନଗର ବିଜେଡିର ମଙ୍ଗ କିଶୋରଙ୍କ ହାତରେ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ସେପଟେ ଗତ ୨୦୧୪ ନିର୍ବାଚନରେ ବିଜେଡି ତରଫରୁ ପ୍ରାର୍ଥୀ ହୋଇଥିବା ଅନୁପ ସାଏଙ୍କୁ ଏଥର ଟିକେଟ୍ ରେସରୁ ବାଦ କରିଛନ୍ତି ସୁପ୍ରିମୋ । ଯଦି ପୂର୍ବ ନିର୍ବାଚନ ଫଳାଫଳକୁ ଅନୁଧ୍ୟାନ କଲେ, ୨୦୧୪ ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳରୁ ଇସ୍ତଫା ଦେଇ ଶାସକ ବିଜେଡ଼ି ଦଳରେ ଯୋଗଦେଇ ବିଜେଡ଼ି ଟିକେଟରେ ପ୍ରତିଦ୍ବନ୍ଦିତା କରିଥିଲେ । ଏବଂ ଅନୁପ ବିଜେପିର ରାଧାରାଣୀ ପଣ୍ଡାଙ୍କୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ୬ ହଜାର ୭ ଶହ ଭୋଟ ବ୍ୟବଧାନରେ ରାଧାରାଣୀଙ୍କ ଠାରୁ ପରାସ୍ତ ହୋଇଥିଲେ ।

ଝାରସୁଗୁଡ଼ା ଜିଲ୍ଲାର ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ମଧ୍ୟରୁ ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ଏଥର କିଶୋରଙ୍କୁ ସନ୍ତୁଷ୍ଟ କରିବା ପାଇଁ ବ୍ରଜରାଜନଗର ଟିକେଟ୍ ଦେଇଛନ୍ତି ନବୀନ ବୋଲି ଚର୍ଚ୍ଚା ହେଉଛି । ତେବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ ଦବଦବା ଏଠାରେ ମଧ୍ୟ ବେଶ୍ ରହିଥିବା ଯୋଗୁଁ ନବୀନ ଅନୁପଙ୍କୁ ବାଦ୍ ଦେଇ କିଶୋରଙ୍କୁ ବାଛିଛନ୍ତି ବୋଲି ବିଜେଡି ଶିବିରରେ ଆଲୋଚନା ହେଉଛି । ଅନ୍ୟପଟେ ଟିକେଟ୍ ପାଇନଥିବା ଅନୁପ ସାଏଙ୍କ ଥଇଥାନ ବିଜେଡି ସୁପ୍ରିମୋ କିଭଳି କରିବେ ତାହାକୁ ନେଇ ଏବେ ସସପେନ୍ସ ଜାରି ରହିଛି ।