ମିଶନ ୧୯ ! ଭୁବନେଶ୍ୱର ଲୋକସଭା ଆସନ ପାଇଁ ବଳ କଷୁଛି ବିଜେପି, ବିଜେଡି ଡ଼ଙ୍ଗାକୁ ପାରି କରିବେ ବାବା ପାଟ୍ଟଶାଣୀ ।

ରାଜଧାନୀରେ ବଢ଼ିବ ରାଜନୀତି ପାରଦ । ଖଟିରେ ଚର୍ଚ୍ଚା-ବିଜେପିକୁ ଭରଷା ଅପରାଜିତା ସେପଟେ ବିଜେଡିକୁ ସାହା ହେବେ ବାବା ପାଟଶାଣୀ !

912

କନକ ବ୍ୟୁରୋ: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଶାସକ ବିଜେଡି ଓ ବିରୋଧୀ ଦଳମାନେ ରାଜନୈତିକ ଗୋଟି ଚାଳନା କରୁଛନ୍ତି । କାହା କ୍ୟାମ୍ପରେ ରୁଦ୍ଧଦ୍ୱାରା ବୈଠକ ତ ଆଉ କାହା ଶିବିରରେ ଚାଲିଛି ନିର୍ବାଚନୀ ଅଙ୍କ କଷା । ଏସବୁ ମଧ୍ୟରେ ରାଜ୍ୟ ରାଜନୀତିର ହୃତପିଣ୍ଡ କୁହାଯାଉଥିବା ଭୁବନେଶ୍ୱର ଲୋକସଭା ଆସନ ଉପରେ ସମସ୍ତଙ୍କ ନଜର ରହିଛି । ଭୁବନେଶ୍ୱରରୁ ବିଜେପିର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବୋଲି ଗେରୁଆ କ୍ୟାମ୍ପରେ ଶୁଣିବାକୁ ମିଳୁଛି । ସେପଟେ ବିଜେପିକୁ କାଉଣ୍ଟର କରିବା ପାଇଁ ବିଜେଡି ଆପଣାଇ ପାରେ ନୂଆ ତରିକା । ଶୁଣିବାକୁ ମିଳୁଛି ଯେ ଭୁବନେଶ୍ୱର ଲୋକସଭା ଆସନ ପାଇଁ ବିଜେଡି କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନି । ସେଥିପାଇଁ ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଭୁବନେଶ୍ୱରରୁ ପୁନର୍ବାର ନିର୍ବାଚନ ଲଢ଼ିବାକୁ ରଣନୀତି କରୁଛି ବୋଲି ଖଟିରେ ଶୁଣିବାକୁ ମିଳିଛି । କାରର ଅପରାଜିତା ଷଡ଼ଙ୍ଗୀ ଧିରେ ଧିରେ କରି ଭୁବନେଶ୍ୱରର ଗାଁ କୁ ଗାଁ ବୁଲି ଶକ୍ତି ଗୋଟାଇବାକୁ ଲାଗି ପଡ଼ିଛନ୍ତି । ଯାହାର ପ୍ରତିରୋଧ କେବଳ ବାବା ପାଟଶାଣୀ କରିବେ ବୋଲି ବିଜେଡ଼ି ପାଟଶାଣୀଙ୍କ ଉପରେ ଆସ୍ଥା ପ୍ରକଟ କରିଛି ।

୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ଉଷ୍ମ ହେବାରେ ଲାଗିଛି । ପ୍ରତ୍ୟେକ ଦଳ ଏଥିପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ ଆରମ୍ଭ କଲେଣି । କଂଗ୍ରେସ ଆଗୁଆ କିଛି ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ବିଜେପି ନିଜକୁ ଆହୁରି ସଙ୍ଗଠିତ କରୁଛି । ଆଉ ଏସବୁ ମଧ୍ୟରେ ସେଥିପାଇଁ ଅପରାଜିତା ଭୁବନେଶ୍ୱରର ବ୍ଲକରୁ ବ୍ଲକ ବୁଲି ଜନ ପରାମର୍ଶ ସମ୍ପର୍କ ଆୟୋଜନ କରୁଛନ୍ତି । ଏହା ଦର୍ଶାଉଛି ଯେ ଆଗାମୀ ନିର୍ବାଚନ ପାଇଁ ଶକ୍ତି ଗୋଟାଉଛନ୍ତି । ଭୁବନେଶ୍ୱର ଲୋକସଭା ଆସନ ପାଇଁ ଉଭୟ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଜୋରଦାର କସରତ ଚାଲୁଥିବା ବେଳେ ଅପରାଜିତାଙ୍କ ପ୍ରତିଦ୍ୱନ୍ଦୀ ଭାବେ ବିଜୁ ଯୁବ ବାହିନୀ ଅଧ୍ୟକ୍ଷ ଅରୂପ ପଟ୍ଟନାୟକଙ୍କୁ ଛିଡ଼ା କରିବା ପାଇଁ ଶୁଣିବାକୁ ମିଳୁଥିଲା । କିନ୍ତୁ ଅପରାଜିତାଙ୍କୁ ଅରୂପ ପଟ୍ଟନାୟଙ୍କ ବଦଳରେ ବାବା ପାଟ୍ଟଶାଣୀଙ୍କ ଉପରେ ଭରସା କରିଛନ୍ତି ବିଜେଡ଼ି ସୁପ୍ରିମୋ ବୋଲି ଖଟିରେ ଚର୍ଚ୍ଚା ହେଉଛି ।

ଶାସକ ବିଜେଡି ନିଜର ପୁରୁଣା ଫର୍ମୁଲାରେ ନିର୍ବାଚନ ଲଢିବ ବୋଲି ଚର୍ଚ୍ଚା ହେଉଛି । ପୁରୁଣା ଫର୍ମୁଲା କହିଲେ, କିଛି ନେତାଙ୍କ ଟିକେଟ କଟାଯିବ ଓ କିଛି ନେତାଙ୍କର ନିର୍ବାଚନମଣ୍ଡଳୀ ପରିବର୍ତ୍ତନ କରାଯିବ ବୋଲି ଶୁଣିବାକୁ ମିଳିଛି । ଭୁବନେଶ୍ୱରରୁ ୪ ଥର ସାଂସଦ ହେବା ପରେ ରାଜଧାନୀରେ ପାଟ୍ଟଶାଣୀ ବିରୋଧୀ ହାୱା ବହିବା ଆରମ୍ଭ ହୋଇଛି । ତେଣୁ ଏଭଳି ସ୍ଥିତିରେ ପାଟ୍ଟଶାଣୀଙ୍କୁ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିବ ବୋଲି ବିଜେଡି ଅଙ୍କ କଷୁଥିବା ଶୁଣିବାକୁ ମିଳୁଛି।