ଏସିଆ କପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳରେ ନୂଆ ମୁହଁ ! ଟେନିସ ବଲ୍ ଖେଳାଳୀରୁ ଜାତୀୟ ଦଳରେ ପାଦ ଥାପିଲେ ଖଲିଲ୍ ଅହମ୍ମଦ ।

27

ଭାରତୀୟ ସୀମିତ ଓଭର କ୍ରିକେଟ୍ ଦଳରେ ପ୍ରଥମ ଥର ପାଇଁ ସ୍ଥାନ ପାଇଥିବା ଖଲିଲ ଅହମ୍ମଦ ମାତ୍ର ଗୋଟିଏ ଋତୁର ଘରୋଇ କ୍ରିକେଟ୍ ଖେଳିଛନ୍ତି । ହେଲେ ଯେ କୌଣସି ପିଚରୁ ଅତିରିକ୍ତ ଉଚ୍ଛାଳ ବାହାର କରିବାର ଦକ୍ଷତା ପାଇଁ ଚୟନକର୍ତା ତାଙ୍କୁ ଏସିଆ କପ୍ ଲାଗି ବାଛିବାର ଜୁଆ ଖେଳିଛନ୍ତି । ରାଜସ୍ଥାନର ଟୋଙ୍କ୍ ସହରରେ ପିଲାଦିନ କାଟିଥିବା ଖଲିଲ ଚଳିତ ବର୍ଷର ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଦଳରେ ସ୍ଥାନ ପାଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । ଏହା ପରେ ଭାରତୀୟ ‘ଏ’ ଦଳର ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ । ଗତ ଜୁନ୍-ଜୁଲାଇରେ ଇଂଲଣ୍ଡ ଗସ୍ତ କରିବା ସହ ନିକଟରେ ଶେଷ ହୋଇଥିବା ଚତୁଷ୍କୋଣୀୟ ‘ଏ’ ଶୃଙ୍ଖଳାରେ ସେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ ।

ଭାରତ ‘ଏ’ ପକ୍ଷରୁ ଖେଳିଥିବା ୯ ମ୍ୟାଚରୁ ଖଲିଲ ୧୫ ଓ୍ଵିକେଟ୍ ଅକ୍ତିଆର କରିଛନ୍ତି । ୨୦୧୬ ବାଂଲାଦେଶ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଖେଳିବା ପରେ ଦିଲ୍ଲୀ ଡେୟାର ଡେଭିଲ୍ସ ପକ୍ଷରୁ ସେ ଦୁଇଟି ଆଇପିଏଲ୍ ଋତୁ ଖେଳିଥିଲେ । ପୂର୍ବତନ ଭାରତୀୟ ବୋଲର ଜାହିର ଖାନଙ୍କ ମାର୍ଗଦର୍ଶନରେ ହିଁ ଖଲିଲ ନିଜ ବୋଲିଂକୁ ଆହୁରି ଶାଣିତ କରି ପାରିଥିଲେ । ଖଲିଲ ୧୯୯୭ ମସିହା ଡିସେମ୍ବର ୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ଡାହାଣହାତୀ ବ୍ୟାଟିଂ କରୁଥିଲା ବେଳେ ବାମହାତୀ ବୋଲିଂ କରନ୍ତି । ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚରୁ ସେ ଦୁଇଟି ଓ୍ଵିକେଟ୍ ଅକ୍ତିଆର କରିଛନ୍ତି । ସେହିଭଳି ୧୭ ପ୍ରଥମ ଶ୍ରେଣୀ ମୁକାବିଲାରୁ ୨୮ ଏବଂ ୧୨ ଟ୍ୱେଣ୍ଟି-୨୦ରୁ ୧୭ ଓ୍ଵିକେଟ୍ ଅକ୍ତିଆର କରିଛନ୍ତି । ଟୋଙ୍କରେ ଟେନିସ୍ ବଲ୍ କ୍ରିକେଟ୍ ଖେଳିବାର ଅଭିଜ୍ଞତା ବଳରେ ହିଁ ଖଲିଲ ନିଜ କ୍ରିକେଟ୍ ଦକ୍ଷତାକୁ ଚମକାଇ ଏବେ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି ।