ଚୀନରେ କାୟା ବିସ୍ତାର କରୁଥିବା ବେଳେ ଭାରତରେ କମିଲା କରୋନାର କୋପ : କରୋନା ସଂକ୍ରମିତ ୨ ଜଣ ରୋଗୀ ଏବଂ ୨୫୨ ଜଣ ଛାତ୍ରଙ୍କ ରିପୋର୍ଟ ବାହାରିଲା ନେଗେଟିଭ୍ ।

190

ଗୋଟିଏ ପଟେ ଚୀନ୍ ରେ କରୋନା ଭାଇରସ୍ ମାଡି ମାଡି ଚାଲିଥିବା ବେଳେ , ଭାରତର କେରଳରେ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବା ଦ୍ୱିତୀୟ ରୋଗୀଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି । ହସ୍ପିଟାଲ୍ ଉକ୍ତ ବ୍ୟକ୍ତିଙ୍କୁ ଡିସଚାର୍ଜ କରିଛନ୍ତି । ଏହାର ସୂଚନା କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଲଜା ଦେଇଛନ୍ତି । ଅନ୍ୟପକ୍ଷରେ ବୁହାନ୍ ସହରରୁ ଆସିଥିବା ୨୫୨ ଜଣ ଛାତ୍ର ହରିୟାଣାର ମାନେସର୍ ରେ ସ୍ୱାସ୍ଥ୍ୟ ପରୀକ୍ଷା କରାଉଥିବା ବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।

କେରଳର ଛାତ୍ରଙ୍କୁ ଅଲପ୍ପୁଝା ମେଡିକାଲ୍ କଲେଜ୍ ହସ୍ପିଟାଲ୍ ରୁ ଛୁଟି ଦିଆହୋଇଯାଇଛି । ଛାତ୍ରଜଣକ ଚୀନ୍ ର ବୁହାନ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଥିଲେ । ଛାତ୍ରଜଣଙ୍କୁ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କ ରକ୍ତ ନମୁନାକୁ ପୁଣେସ୍ଥିତ ରାଷ୍ଟ୍ରୀୟ ବିଷାଣୁ ବିଜ୍ଞାନ ସଂସ୍ଥାରେ ପରୀକ୍ଷା କରାଯାଉଥିଲା । ତେବେ ତାଙ୍କର ୨ ଟି ରିପୋର୍ଟ ଏବେ ନେଗେଟିଭ୍ ଆସିଥିବା ଜଣାପଡିଥିବା ବେଳେ ହସ୍ପିଟାଲ୍ ରୁ ମଧ୍ୟ ତାଙ୍କୁ ଛୁଟି ଦିଆଯାଇଛି । ଆପଣଙ୍କୁ କହିରଖୁଛୁ ଭାରତରେ କରୋନା ଭାଇରସ୍ ର ୩ ଟି ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ୨ ଟି ମାମଲାରେ ସୁଧାର ଆସିଥିବା କଥା ସୂଚନା ମିଳିଛି ।