ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କମ୍ପୁଛି ମୈଦାନ : ଘର ଘର ବୁଲି ଭୋଟଭିକ୍ଷା କରୁଛନ୍ତି ପ୍ରାର୍ଥୀ

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଅର୍ଥାତ୍ ଏପ୍ରିଲ ୨୯ରେ କେନ୍ଦ୍ରାପଡା ଲୋକସଭା ଆସନରେ ପଡିବ ଭୋଟ୍

117

କନକ ବ୍ୟୁରୋ : ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଅର୍ଥାତ୍ ଏପ୍ରିଲ ୨୯ରେ କେନ୍ଦ୍ରାପଡା ଲୋକସଭା ଆସନରେ ପଡିବ ଭୋଟ୍ । ଏହି ସଂସଦୀୟ କ୍ଷେତ୍ରରେ ଥିବା ରାଜନଗର ବିଧାନସଭା ଆସନରେ ଏଥର ତ୍ରିମୁଖୀ ଲଢେଇ ହେଉଛି । କଂଗ୍ରେସ ଏଠାରୁ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ରିପିଟ୍ କରିଛି । ଏହି ଆସନରେ ଏଥର ବିଜେଡି ଧ୍ରୁବ ସାହୁଙ୍କୁ ଟିକଟ ଦେଇଥିବା ବେଳେ ବିଜେପି ଅଲେଖ ଜେନାଙ୍କୁ ପ୍ରାର୍ଥୀ କରିଛି । ତେବେ ତ୍ରିମୁଖୀ ଲଢେଇରେ ପ୍ରଚାରରେ ଆଗରେ ରାଜନଗର ବିଧାୟକ ଅଂଶୁମାନ୍ ମହାନ୍ତି ଥିବା ଦେଖିବାକୁ ମିଳିଛି । ଏଠାରେ ଘରେ ଘରେ ବୁଲି ଭୋଟ୍ ପ୍ରଚାର କରୁଛନ୍ତି ବିଧାୟକ ଅଂଶୁମାନ୍ ମହାନ୍ତି । ମୋଟର ସାଇକେଲ ରାଲି ସହ ପଟାମୁଣ୍ଡାଇ ଅଂଚଳରେ ପ୍ରଚାର କରୁଛନ୍ତି ଅଂଶୁମାନ ।

ତେବେ ସେ କନକ ନ୍ୟୁଜକୁ କହିଛନ୍ତି ଯେ, ଆମେ ମାନେ ୫ ବର୍ଷ ହେବ ଏହି ଅଂଚଳରେ ଯେଉଁ ବିକାଶ କାମ କରିଛୁ ତାହାକୁ ନେଇ ଲୋକଙ୍କ ପାଖକୁ ଯାଉଛୁ । କେବଳ ଏତିକି ନୁହେଁ ଯେଉଁ ସବୁ ଦୁର୍ନୀତି ହୋଇଛି ତାହାକୁ ମଧ୍ୟ କୁହାଯାଉଛି । ସରକାର ଅନେକ କଥା କହିଥିଲେ କରିବେ ବୋଲି ହେଲେ ସେପରି କଲେ ନାହିଁ । ବେକାରୀ ସମସ୍ୟା ଏଠାରେ ଗମ୍ଭୀର ହୋଇ ରହିଛି । କାହା ସହ ପ୍ରତିଦ୍ୱନ୍ଦିତା ନାହିଁ କେବଳ ଲୋକଙ୍କ ସେବା କରିବା ପାଇଁ ଆମେ ଚେଷ୍ଟା କରିବୁ । ଯଦି ବିଧାୟକ ଥିବା ସମୟରେ ଜନତାଙ୍କ ଆସ୍ଥା ଜିତିଥିବୁ ତେବେ ନିଶ୍ଚୟ ଜନତା ଆମକୁ ଆଶୀର୍ବାଦ କରିବେ ବୋଲି ଅଂଶୁମାନ କହିଛନ୍ତି ।