ସାମ୍ନାକୁ ଆସିଲା ପାକିସ୍ତାନର ଆଉ ଏକ ଚାଲ୍ । ଭାରତକୁ ବଦନାମ କରିବା ପାଇଁ ସୋସିଆଲ ମିଡିଆରେ କରୁଛି ହିଂସା ସୃଷ୍ଟିକାରୀ ପୋଷ୍ଟ

ଭାରତକୁ ବଦନାମ କରିବା ପାଇଁ ସୋସିଆଲ ମିଡିଆକୁ ନୂଆ ରାସ୍ତା ଭାବେ ବାଛି ନେଇଛି ପାକିସ୍ତାନ୍ ।

437

ସାମ୍ନାକୁ ଆସିଲା ପାକିସ୍ତାନର ଆଉ ଏକ ଚାଲ୍ । ଭାରତକୁ ବଦନାମ କରିବା ପାଇଁ ସୋସିଆଲ ମିଡିଆକୁ ନୂଆ ରାସ୍ତା ଭାବେ ବାଛି ନେଇଛି ପାକିସ୍ତାନ୍ । ମିଛ ଫଟୋ ଓ ଭିଡିଓ ଭାଇରାଲ କରି ହିଂସା ସୃଷ୍ଟି କରିବାକୁ ଚଳାଇଛି ଚେଷ୍ଟା ।
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ-ଭାରତ ମଧ୍ୟରେ ଥିବା ସଂପର୍କ ଆହୁରି ତିକ୍ତ ହେବାରେ ଲାଗିଛି । ଭାରତକୁ ଉଚିତ୍ ଜବାବ ଦେବା ପାଇଁ ପାକିସ୍ତାନ ଭିନ୍ନ ଭିନ୍ନ ବାଟ ଆପଣାଉଥିବା ବେଳେ ଏବେ ପାକିସ୍ତାନର ଆଉ ଏକ ଚାଲ୍ ସାମ୍ନାକୁ ଆସିଛି । ଭାରତକୁ ବଦନାମ କରିବା ପାଇଁ ସୋସିଆଲ ମିଡିଆରେ ମିଛ ଫଟୋ ଓ ଭିଡିଓ ସେୟାର କରୁଛି । ପାକିସ୍ତାନ, ଭାରତୀୟ ଯୁବକଙ୍କ ନାଁରେ ସୋସିଆଲ ମିଡିଆରେ ନକଲି ଆକାଉଣ୍ଟ ତିଆରି କରି ଭାରତ ବିରୋଧୀ ମିଛ ଖବର ପ୍ରସାର କରୁଥିବା ଜଣାପଡିଛି ।
ପାକ୍ ଦ୍ୱାରା ତିଆରି କରାଯାଇଥିବା ନକଲି ଆକାଉଣ୍ଟରେ ପ୍ରଚାର ପ୍ରସାର କରାଯାଉଛି ଯେ, ଭାରତୀୟ ଯବାନ କଶ୍ମୀରରେ ନରସଂହାର କରୁଛନ୍ତି । ଲୋକଙ୍କୁ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରାଯାଉଥିବାର ମିଛ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି । ଏହି ମିଛ ଖବର ସୋସିଆଲ ମିଡିଆରେ ପ୍ରକାଶ କରାଇ ଭାରତକୁ ବଦନାମ କରିବାକୁ ଅପଚେଷ୍ଟା କରୁଛି ପାକିସ୍ତାନ ।
ତେବେ ମହାରାଷ୍ଟ୍ର ସାଇବର ସେଲର ସ୍ୱତନ୍ତ୍ର ପୁଲିସ ମହାନିରୀକ୍ଷକ ବ୍ରିଜେଶ ସିଂହଙ୍କ କହିବା ଅନୁଯାୟୀ, କିଛି ନକଲି ଆକାଉଣ୍ଟ ହିଂସା ସୃଷ୍ଟିକାରୀ ପୋଷ୍ଟ କରିବାରେ ଲାଗିଛନ୍ତି । ଏଭଳି କାମ ପାକ୍ ପକ୍ଷରୁ କରାଯାଉଥିବା ବେଳେ କଶ୍ମୀରରେ ନରସଂହାର ଚାଲୁଥିବା ନେଇ ନକଲି ଫଟୋ ଓ ଭିଡିଓ ସେୟାର କରାଯାଉଛି । ତେବେ ଲୋକମାନଙ୍କୁ ଏହାକୁ ସେୟାର ନ କରିବାକୁ କହିଛନ୍ତି ବ୍ରିଜେଶ ସିଂହ ।