ଜିନପିଙ୍ଗଙ୍କ ଭାରତ ଗସ୍ତ ପୂର୍ବରୁ ସ୍ୱର ବଦଳାଇଲା ଚୀନ୍ । କହିଲା କାଶ୍ମୀର ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ବିଷୟ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦେଲା ପରାମର୍ଶ

1,165

କନକ ବ୍ୟୁରୋ : ସ୍ୱର ବଦଳାଇଲା ଚୀନ୍ । କାଶ୍ମୀର ବିଷୟ ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ବିଷୟ ଓ ଦୁଇ ଦେଶ କାଶ୍ମୀର ପ୍ରସଙ୍ଗକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ଉଚିତ ବୋଲି କହିଛି ଚୀନ୍ । ବେଜିଂରେ ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜେଙ୍ଗ ହୁଆଙ୍ଗ କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ଆଲୋଚନା ଟେବୁଲକୁ ଫେରିବା ଆବଶ୍ୟକ । ଉଭୟ ଦେଶ ଆଲୋଚନା ମାଧ୍ୟମରେ କାଶ୍ମୀର ସମେତ ସବୁ ବିଷୟର ସମାଧାନ କରିବା ଉଚିତ୍ । ଏହା ସହ ଉଭୟ ଭାରତ ଓ ପାକିସ୍ତାନ ପରସ୍ପର ଭରସା ଜିତିବା ପାଇଁ କାର୍ଯ୍ୟ କରିବା ଉଚିତ୍ ବୋଲି ଚୀନ୍ କହିଛି ।

image courtesy – www.oneindia.com

କାଶ୍ମୀର ପ୍ରସଙ୍ଗରେ ବେଜିଂ ଏହି ମନ୍ତବ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଜମ୍ମୁକାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ଏହାକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବାକୁ ଜୋରଦାର ପ୍ରୟାସ କରିଆସିଛି, ଆଉ ଏଥିେରେ ପାକିସ୍ତାନକୁ ସହାୟତା ଦେଇ ଆସିଛି ଚୀନ୍ । ଏପରିକି ଚୀନ୍ ସହାୟତାରେ ଜାତିସଂଘ ସୁରକ୍ଷା ପରିଷଦରେ କାଶ୍ମୀର ପ୍ରସଙ୍ଗରେ ଏକ ରୁଦ୍ଧଦ୍ୱାର ବୈଠକ ବସିଥିଲା । ଆବଶ୍ୟ ଏହି ବୈଠକରୁ ପାକିସ୍ତାନକୁ କୌଣସି ସୁଫଳ ମିଳିନଥିଲା । ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ଚଳିତ ସପ୍ତାହରେ ଭାରତ ଗସ୍ତ ଆସୁଥିବା ବେଳେ ସ୍ୱର ବଦଳାଇଛି ବେଜିଂ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବେଜିଂ ଗସ୍ତ ଅବସରରେ ଚୀନର ଏହି ପରିବର୍ତିତ ପ୍ରତିକ୍ରିୟା ମିଳିଛ । ଇମ୍ରାନ୍ ଚୀନ୍ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।