ଭାରତ ଇତିହାସର ଐତିହାସିକ ଦିନ ! ପାକିସ୍ତାନ ସହ ସମ୍ପର୍କର ସେତୁ ଯୋଡିବ କର୍ତ୍ତାରପୁର କରିଡର ! 

203

କନକ ବ୍ୟୁରୋ : ଭାରତ ଇତିହାସର ଐତିହାସିକ ଦିନ । ବହୁ ବାଦ ବିବାଦ ସତ୍ୱେ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କର ସେତୁ କର୍ତାରପୁର କରିଡରର ଶିଳାନ୍ୟାସ କରିଛନ୍ତି ଭାରତର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ  । ଏହି କରିଡର ଦେଇ ବିନା ଭିସାର ପାକିସ୍ତାନ ସୀମା ଭିତରେ ଥିବା କର୍ତାରପୁର ଶାହିବକୁ ଯାଇପାରିବେ ଭାରତୀୟ । ଏହାକୁ ନେଇ ଦୀର୍ଘଦିନ ହେବ ଶିଖମାନେ ଦାବି କରିଆସୁଥିଲେ । ସେହିପରି କରିଡର ପାଇଁ ପାକିସ୍ତାନ ପଟେ ହେବାକୁ ଥିବା ନିର୍ମାଣ ପାଇଁ ୨୮ତାରିଖରେ ଶିଳାନ୍ୟାସ କରିବେ ପାକିସ୍ତାନ ସରକାର । ତେଣୁ ଏହି କରିଡର ଦୁଇ ଦେଶ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି ।

ସମ୍ପର୍କର ସେତୁ ଯୋଡିବ କର୍ତ୍ତାରପୁର କରିଡର ! ବିନା ଭିସାରେ ପାକିସ୍ତାନ ଯାତ୍ରା । ଏଣିକି ପାକିସ୍ତାନରେ ଥିବା କର୍ତାରପୁର ଶାହିବକୁ ଯିବାକୁ ଭାରତୀୟଙ୍କୁ ଆଉ ଆବଶ୍ୟକ ପଡିବନି ଭିସା । କର୍ତାରପୁର କରିଡର ଦେଇ ବିନା ଭିସାରେ ଭାରତୀୟମାନେ ଏହି ଗୁରୁଦ୍ୱାରକୁ ଯାଇପାରିବେ । ଏଥିପାଇଁ ବହୁୁ ପ୍ରତିକ୍ଷିତ ଡେରା ବାବା ନାନକ କର୍ତାରପୁର ଶାହିବ୍ କରିଡ଼ରର ଶିଳାନ୍ୟାଶ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ । ଶିଳାନ୍ୟାସ କରିବା ପରେ ଏହାକୁ ଦୁଇ ଦେଶ ପାଇଁ ଐତିହାସିକ ଦିନ ବୋଲି କହିଛନ୍ତି ଉପରାଷ୍ଟ୍ରପତି ।

ପାକିସ୍ତାନ ସୀମାକୁ ଲାଗିଥିବା ମାନ ଗାଁରେ ଡ଼େରା ବାବା ନାନକ ଏବଂ କରତାରପୁର ସାହିବ ରୋଡ଼ କରିଡ଼ର ନିର୍ମାଣ କରାଯିବ । ଉଭୟ ସରକାର ନିଜ ନିଜର ସୀମାରେ ରାସ୍ତା ନିର୍ମାଣ ଓ ଅନ୍ୟାନ୍ୟ କାର୍ଯ୍ୟ କରିବେ । ଭାରତ ପଟେ ୨କିମି ରାସ୍ତା ନିର୍ମାଣ ହେବାକୁ ଥିବାବେଳେ ପାକିସ୍ତାନ ପଟେ ୩କିମି ରାସ୍ତା ନିର୍ମାଣ ହେବ । ଏହା ୨ଦେଶ ମଧ୍ୟରେ ସମ୍ପର୍କର ସେତୁ ହେବା ସହ ଶାନ୍ତିର ପଥ ହେବ ବୋଲି କୁହାଯାଉଛି ।

ସେପଟେ ଆସନ୍ତା ୨୮ ତାରିଖରେ ପାକିସ୍ତାନ ସରକାର ପାକିସ୍ତାନ ପଟେ କରିଡର ନିର୍ମାଣ ପାଇଁ ଶିଳାନ୍ୟାସ କରିବେ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଓ ସିଦ୍ଧୁଙ୍କୁ ନିମନ୍ତ୍ରଣ ଦେଇଛି । ତେବେ ସୁଷମା ନିଜେ ନଯାଇ ତାଙ୍କର ୨ ସହଯୋଗୀ ମନ୍ତ୍ରୀଙ୍କୁ ପଠାଇବାକୁ କହିଥିବାବେଳେ ଅମରିନ୍ଦର ସିଧାସଳଖ ମନା କରିଦେଇଛନ୍ତିି । କିନ୍ତୁ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ନଭଜ୍ୟୋତ ସିଂହ ସିଦ୍ଧୁ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ସ୍ୱୀକୃତି ଦେଇଛନ୍ତି ।

ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟୁଇଟ୍ କରି କହିଛନ୍ତି, 

( ଯେହେତୁ ମୁଁ ନିଦ୍ଧାରିତ ତାରିଖରେ କର୍ତ୍ତାରପୁର ଶାହିବକୁ ଯାଇପାରୁନାହିଁ, ଭାରତ ସରକାର ପକ୍ଷରୁ ମୋର ସହଯୋଗୀ ଦୁଇ ମନ୍ତ୍ରୀ ହର ସିମରତ କୌର ବାଦଲ ଓ ଏଚ୍.ଏସ୍.ପୁରୀ ପ୍ରତିନିଧିତ୍ୱ କରିବେ)

କର୍ତାରପୁରରେ ଥିବା ଗୁରୁଦ୍ୱାରରେ ଶିଖମାନଙ୍କର ପ୍ରଥମ ଗୁରୁ ସନ୍ଥ ନାନକଦେବ ଜୀବନର କିଛି ଅନ୍ତିମ ସମୟ କଟାଇଥିଲେ । ସେଥିପାଇଁ ଏହି ସ୍ଥାନ ଶିଖମାନଙ୍କ ପାଇଁ ବେଶ୍ ଗୁରୁତ୍ୱବହନ କରିଥାଏ । ତେଣୁ ଦୀର୍ଘଦିନ ହେବ ଦୁଇ ଦେଶର ରାଜନୀତିରେ କର୍ତାରପୁର ଶାହିବ୍ ଏକ ବଡ ପ୍ରସଙ୍ଗ ହୋଇ ଆସିଛି । ଅନ୍ୟପଟେ ସୁରକ୍ଷାକୁ ନେଇ ମଧ୍ୟ ସଂକଟ ବଢ଼ିବାର ସମ୍ଭାବନାକୁ ଏଡାଇଦେଇ ହେବ ନାହିଁ ।