କର୍ଣ୍ଣାଟକ ନାଟକରେ ପୁଣି ନୂଆ ଡ୍ରାମା: ବିଦ୍ରୋହୀ ବିଧାୟକଙ୍କୁ ବାଚସ୍ପତିଙ୍କ ସମନ, କାଲି ସୁଦ୍ଧା ଭେଟିବାକୁ ନୋଟିସରେ ନିର୍ଦ୍ଦେଶ

ଆଜି ବିଧାନସଭାରେ ହେବାର ଅଛି କୁମାରସ୍ୱାମୀଙ୍କ ଆସ୍ଥା ଭୋଟ୍

235

କନକ ବ୍ୟୁରୋ: କର୍ଣ୍ଣାଟକ ନାଟକରେ ପୁଣି ନୂଆ ଡ୍ରାମା । ବିଦ୍ରୋହୀ ବିଧାୟକଙ୍କୁ ନୋଟିସ୍ କଲେ ବାଚସ୍ପତି । ଆସନ୍ତାକାଲି ସୁଦ୍ଧା ଭେଟିବାକୁ ନୋଟିସରେ ନିର୍ଦ୍ଦେଶ । କଂଗ୍ରେସ ଓ ଜେଡିଏସର ୧୫ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ତେବେ ସେମାନଙ୍କ ଇସ୍ତଫାକୁ ଗ୍ରହଣ କରିନାହାଁନ୍ତି ବାଚସ୍ପତି । ଅନ୍ୟପଟେ ଏହି ବିଧାୟକମାନଙ୍କ ଇସ୍ତଫା ପରେ କୁମାରସ୍ୱାମୀଙ୍କ ସରକାର ଅଳ୍ପସଂଖ୍ୟକ ହୋଇଯାଇଛି ବୋଲି ଦାବି କରି ଆସୁଛି ବିଜେପି । ତାପରେ ବିଧାନସଭାରେ ଆସ୍ଥାଭୋଟ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ । ଏନେଇ ବିତର୍କ ଚାଲିବା ପରେ ଆଜି ଆସ୍ଥାଭୋଟ ହେବାର ଅଛି ।

ସେପଟେ, କର୍ଣ୍ଣାଟକର କଂଗ୍ରେସ-ଜେଡି(ଏସ୍) ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିବା ଦୁଇଜଣ ସ୍ୱାଧୀନ ବିଧାୟକଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମ୍ କୋର୍ଟ ମନା କରି ଦେଇଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ଫ୍ଲୋର୍ ଟେଷ୍ଟ୍ ସାରିବାକୁ ଜେଡି(ଏସ୍)-କଂଗ୍ରେସ ସରକାରଙ୍କୁ ଅଦାଲତ ନିର୍ଦ୍ଦେଶ ଦେଉ ବୋଲି ସେମାନେ ଆବେଦନ କରିଥିଲେ। ଦୁଇ ସ୍ୱାଧୀନ ବିଧାୟକ ଆର୍ ଶଙ୍କର ଏବଂ ଏଚ୍ ନାଗେଶ କହିଛନ୍ତି ଯେ କର୍ଣ୍ଣାଟକ ରାଜନୈତିକ ସଙ୍କଟ ମଧ୍ୟକୁ ଲମ୍ଫ ଦେଇଛି। ବରିଷ୍ଠ ଆଡଭୋକେଟ୍ ମୁକୁଳ ରୋହତଗି ଏ ଦୁଇ ବିଧାୟକଙ୍କ ତରଫରୁ ଅଦାଲତରେ ହାଜର ହୋଇଥିଲେ। କିନ୍ତୁ, ଜରୁରୀ ଭିତ୍ତିରେ ଏହି ଆବେଦନର ଶୁଣାଣି କରାଇବାକୁ ସୁପ୍ରିମ୍ କୋର୍ଟ ମନା କରି ଦେବା ସହ କହିଛନ୍ତି ଯେ କର୍ଣ୍ଣାଟକ ବିଧାନସଭାରେ ପଡ଼ି ରହିଥିବା ଆସ୍ଥାଭୋଟ୍ ମାମଲାରେ ହସ୍ତକ୍ଷେପ କରାଯିବ ନାହିଁ।