ବିଶ୍ୱକୁ ଚମକାଇଦେଲେ ଭାରତୀୟ ଯୁବକ ! ବିଶ୍ୱର ଦ୍ରୁତତମ ଧାବକ ବୋଲ୍ଟଙ୍କ ଠାରୁ ଅଧିକ ବେଗରେ ଦୌଡୁଛନ୍ତି, ଭାଇରାଲ ହେଲା ମଇଁଷି ଖେଳର ମଣିଷଙ୍କ କାରନାମା, ଅଲମ୍ପିକ୍ ଖେଳିବାପାଇଁ ଚାରିଆଡୁ ଉଠିଲା ଦାବି ।

459

କନକ ବ୍ୟୁରୋ : ବିଶ୍ୱରେ ସବୁଠାରୁ ଦ୍ରୁତତମ ଧାବକ କହିଲେ ଆମେ ସାଧାରଣତଃ ବୁଝି ନେଉଥାଉ ଜାମାଇକାର ଧାବକ ଉସେନ ବୋଲ୍ଟଙ୍କୁ । ହେଲେ ଆପଣ ଏକଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବୋଲ୍ଟଙ୍କୁ ଟକ୍କର ଦେବା ପରି ଧାବକ ବି ଅଛନ୍ତି ଆମ ଦେଶରେ । ସେ ବୋଲ୍ଟଙ୍କ ଠାରୁ ବି ଅଧିକ ବେଗରେ ଦୌଡୁଛନ୍ତି । ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ତାଙ୍କୁ ସରକାର ଅଲିମ୍ପିକ ପ୍ରତିଯୋଗିତା ପାଇଁ ତାଲିମ ଦିଆଯିବା ଉଚିତ୍ ବୋଲି ମତ ଦେଇଛନ୍ତି ।

ଶ୍ରୀନିବାସ ଗୌଡ । ବୟସ ୨୮ ବର୍ଷ । କର୍ଣ୍ଣାଟକର ଏହି ଯୁବକ ବିଶ୍ୱର ସବୁଠୁ ଅଧିକ ବେଗରେ ଦୌଡି ଚର୍ଚ୍ଚାକୁ ଆସିଛନ୍ତି । ଏପରିକି ବିଶ୍ୱ କୀର୍ତିମାନଧାରି ଧାବକ ଜାମାଇକାର ଉସେନ ବୋଲ୍ଟଙ୍କଠାରୁ ବି ଶ୍ରୀନିବାସ ଅଧିକ ବେଗରେ ଦୌଡିଥିବା କୁହାଯାଉଛି । ୧୦୦ ମିଟର ଦୌଡିବା ପାଇଁ ବୋଲ୍ଟ ମାତ୍ର ୯.୫୮ ସେକେଣ୍ଡ ସମୟ ନେଇ ନିଜ ନାମରେ ବିଶ୍ୱ ରେକର୍ଡ କରିଥିବାବେଳେ, ଶ୍ରୀନିବାସ ସେହି ୧୦୦ ମିଟରକୁ ମାତ୍ର ୯.୫୫ ସେକେଣ୍ଡରେ ଅତିକ୍ରମ କରିଛନ୍ତି । ଅର୍ଥାତ ବୋଲ୍ଟଙ୍କଠାରୁ ଦଶମିକ ଶୂନ ତିନ ସେକେଣ୍ଡ କମ ସମୟ ନେଇଛନ୍ତି ଶ୍ରୀନିବାସ ।

ତେବେ ଶ୍ରୀନିବାସଙ୍କ କୀର୍ତିମାନଙ୍କୁ ବୋଲ୍ଟଙ୍କ ସହ ସିଧାସଳଖ ତୁଳନା କରାଯାଇପାରିବ ନାହିଁ । କାରଣ, କର୍ଣ୍ଣାଟକ ଉପକୂଳରେ ପାରମ୍ପରିକ ମଇଁଷି ଦୌଡ ଅବସରରେ ଶ୍ରୀନିବାସ ଏପରି କୃତିତ୍ୱ ଅର୍ଜନ କରିଛନ୍ତି । ଏହା କୌଣସି ଦୌଡ ପ୍ରତିଯୋଗିତା ହୋଇନଥିବାରୁ ତାଙ୍କ ନାଁରେ ଏହା ରେକର୍ଡ ଭାବେ ଗଣାଯିବନାହିଁ ।

ବୋଲ୍ଟଙ୍କଠାରୁ ବେଗବାନ ଶ୍ରୀନିବାସ ! ଅଲିମ୍ପିକ ପାଇଁ ଦିଆଯିବ ତାଲିମ ! ନିପଟ ଗାଉଁଲି ଅଂଚଳରୁ ଆସିଥିବା ଶ୍ରୀନିବାସଙ୍କୁ ବିଶ୍ୱର ଦ୍ରୁତତମ ଧାବକ ବୋଲ୍ଟଙ୍କ ସହ ତୁଳନା କରାଯିବାପରେ ତାଙ୍କୁ ଅଲିମ୍ପିକ ପାଇଁ ତାଲିମ ଦିଆଯିବା ଉଚିତ୍ ବୋଲି ଅନେକ ମତ ଦେଇଛନ୍ତି । ତିରୁଅନନ୍ତପୁରମ ସାଂସଦ ଶଶି ଥରୁର ଓ ବିଜନେସ୍ ଟାଇକୁନ ଆନନ୍ଦ ମହିନ୍ଦ୍ରା ଟୁଇଟ୍ କରି କହିଛନ୍ତି ତାଲିମ ଦେଲେ ଶ୍ରୀନିବାସ ଜଣେ ଅଲିମ୍ପିକ ଚାମ୍ପିଅନ ହୋଇପାରିବେ । ଆନନ୍ଦ ମହିନ୍ଦ୍ରାଙ୍କ ଟୁଇଟକୁ ରିଟୁଇଟ୍ କରି କେନ୍ଦ୍ର କ୍ରୀଡାମନ୍ତ୍ରୀ କିରଣ ରିଜ୍ଜୁ କହିଛନ୍ତି ଖୁବ୍ ଶୀଘ୍ର ଭଲ କୋଚଙ୍କ ଦ୍ୱାରା ଶ୍ରୀନିବାସଙ୍କର ଟ୍ରାଏଲ ନିଆଯିବ ।

କେବଳ ଶ୍ରୀନିବାସ ନୁହନ୍ତି, ଭାରତରେ ଏଭଳି ଅନେକ ପ୍ରତିଭା ରହିଥିଲେ ମଧ୍ୟ ସେମାନଙ୍କୁ ଚିହ୍ନଟ କରାଯାଇ ପାରୁନଥିବାରୁ ସେମାନେ ଆଗକୁ ଆସି ପାରନ୍ତି ନାହିଁ । ତେଣୁ ଏହି ଭଳି ପ୍ରତିଭାମାନଙ୍କୁ ଚିହ୍ନଟ କରିବା ପାଇଁ ସରକାର ପଦକ୍ଷେପ ନେବା ଜରୁରି ।