ପ୍ରକୃତିର ତାଣ୍ଡବରେ ଭାରତର ଅଧା ରାଜ୍ୟ ଜଳମଗ୍ନ ହୋଇଯାଇଛି । କେଉଁଠି ଘର ଭୁଷୁଡି ଯାଇଛି ତ ଆଉ କେଉଁଠି ବଢିପାଣିରେ କୁମ୍ଭୀର ଆସି ଘରେ ପସୁଛି । ଏଭଳି ଅଭାବନୀୟ ସ୍ଥିତିରେ ଛଟପଟ ହେଉଛନ୍ତି ବନ୍ୟା ପ୍ରପୀଡିତ । ଏହି ସମୟରେ ବନ୍ୟା ପୀଡିତଙ୍କ ପାଇଁ ଦେବଦୂତ ପାଲଟିଥିବା ଉଦ୍ଧାରକାରୀ ଦଳଙ୍କ ହୃଦସ୍ପର୍ଶୀ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । କିଭଳି ଭାବରେ ଭାରତୀୟ ସେନା ଏବଂ ଏନଡିଆରଏଫ୍ ଟିମ୍ ଲୋକଙ୍କୁ ପାଣିଘେରରୁ ବଂଚାଇଥିଲେ ଏବଂ ଏହାର ପ୍ରତିବଦଳରେ ବନ୍ୟା ପ୍ରପୀଡିତା ଭଉଣୀମାନଙ୍କ ହାତରୁ ରାକ୍ଷୀ ବାନ୍ଧିଥିଲେ ଏଭଳି କିଛି ଭିଡିଓ ଲୋକଙ୍କୁ ଆତ୍ମତୃପ୍ତି ଦେଇଥିଲା । ତେବେ ଏହି ମଝିରେ ଆଉ ଏକ ଖବର ପୁଣି ଚର୍ଚ୍ଚା ସାଉଁଟିଛି । କିନ୍ତୁ ଏଥର କୌଣସି ଯବାନ ନୁହଁ ହିରୋ ପାଲଟିଛି ଜଣେ ୧୨ ବର୍ଷ ବୟସର ବାଳକ  ।

Advertisment

publive-image

କର୍ଣ୍ଣାଟକର ରାୟଚୁର୍ ଜିଲ୍ଲାରେ ଭୀଷଣ ବର୍ଷା କାରଣରୁ ସମ୍ପୁର୍ଣ୍ଣ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା ଏବଂ ବନ୍ୟାରେ ଫସିଥିଲା ଗୋଟିଏ ଆମ୍ବୁଲାନ୍ସ । ୬ ଜଣ ଗୁରୁତର ପିଲା ଏବଂ ଜଣେ ମୃତ ମହିଳାଙ୍କୁ ଡାକ୍ତରଖାନା ବୋହି ନେଉଥିବା ଆମ୍ବୁଲାନ୍ସ ପାଇଁ ରାସ୍ତା ଚିହ୍ନଟ କରିବା ଅତ୍ୟନ୍ତ କଷ୍ଟକର ହେଉଥିଲା । ଏହି ସମୟରେ ହିରୋରାୟନକୁମ୍ପୀ ଗାଁର ଭେଙ୍କେଟେସ୍ ନାମକ ଜଣେ ବାଳକର ବାହାଦୂରୀ ଯୋଗୁଁ ଆମ୍ବୁଲାନ୍ସ ଡାକ୍ତରଖାନାରେ ପହଁଚିଥିଲା । ବଢି ପାଣିରେ ଆସୁଥିବା ପ୍ରଖର ସ୍ରୋତକୁ ଭ୍ରୁକ୍ଷେପ ନକରି ପିଲାଟି ଆମ୍ବୁଲାନ୍ସକୁ ବାଟ କଢାଇ ନେଇଥିଲା । ଗତ ଶନିବାର ଦିନ ଘଟିଥିବା ଏହି ଘଟଣାରେ ଭେଙ୍କେଟେସର ବୀରତାକୁ ପ୍ରଶାସନ ଖୁବ୍ ପ୍ରଶଂସା କରିବା ସହ ସରକାରଙ୍କ ଠାରୁ ପିଲାଟିକୁ ବୀରତା ପୁରସ୍କାର ଦେବା ପାଇଁ ମଧ୍ୟ ସୁପାରିସ୍ କରିଛନ୍ତି । ପ୍ରଖର ପାଣିର ସୁଅରେ ହିରୋରାୟନକୁମ୍ପୀ ଗାଁର ପୋଲ ସମ୍ପୁର୍ଣ୍ଣ ଭାବରେ ବୁଡି ଯାଇଥିବାରୁ ଡ୍ରାଇଭାର୍ ରାସ୍ତା ଖୋଜି ପାଉନଥିଲା । ସେତେବେଳେ ଡ୍ରାଇଭର୍ ଜଣକ ଅଳ୍ପ ଦୂରରେ ଥିବା କିଛି ପିଲାଙ୍କୁ ରାସ୍ତା ପଚାରିଥିଲେ । ପିଲାଙ୍କ ମେଳରେ ଥିବା ୧୨ ବର୍ଷର ଭେଙ୍କେଟେସ୍ ଅଚାନକ ଆମ୍ବୁଲାନ୍ସ ଆଗରେ ଦୌଡିବାକୁ ଲାଗିଥିଲା । ଡ୍ରାଇଭର୍ ପିଲାଟିକୁ ଅନୁକରଣ କରି ଗାଡି ଚଲାଇଥିଲେ । ଏଭଳି ଭାବରେ କେଉଁ ଦିଗରେ ଅଳ୍ପ ପାଣି ଅଛି ଏହାର ଧାରଣା ଡ୍ରାଇଭରଙ୍କୁ ଲାଗିବା ସହ ସେ ସକୁଶଳ ଡାକ୍ତରଖାନାରେ ପହଁଚିଥିଲେ ।

publive-image

ଭେଙ୍କେଟେସଙ୍କ ବନ୍ଧୁମାନେ କୁହନ୍ତି , “ଆମେ ଭେଙ୍କେଟେସ୍ କୁ ବଢି ପାଣିର ପ୍ରଖର ସ୍ରୋତ ବିଷୟରେ ତାକୁ କହିଥିଲୁ କିନ୍ତୁ ସେ କାହାରି କଥା ନଶୁଣି ପାଣିର ତେଜ ଧାରରେ ଦୌଡିବାକୁ ଲାଗିଥିଲା ।” କେବଳ ବନ୍ଧୁ ନୁହଁ ଆମ୍ବୁଲାନ୍ସ ଡ୍ରାଇଭର୍ ମଧ୍ୟ ଗଣମାଧ୍ୟମକୁ କହିଥିଲେ ଯେ, “ଭେଙ୍କେଟେସ୍ ଭଳି ସାହାସୀ ପିଲା ମୁଁ ପ୍ରଥମଥର ପାଇଁ ଦେଖୁଛି । ବନ୍ଧୁମାନେ ଆକଟ କରିବା ପରେ ମଧ୍ୟ ସେ ନିଡର ଭାବରେ କହିଥିଲେ ମୁଁ ପୋଲ ବିଷୟରେ ଭଲଭାବରେ ଜାଣିଛି ଏବଂ ପୀଡିତଙ୍କୁ ନିରାପଦରେ ଡାକ୍ତରଖାନା ପହଁଚାଇବାରେ ସାହାଯ୍ୟ କରିବି ।”

ଭେଙ୍କେଟେସ୍ ଙ୍କ ସାହସିକତାର କାହାଣୀ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଏନେଇ ଯେତେବେଳେ ଗଣମାଧ୍ୟମ ତରଫରୁ ଭେଙ୍କେଟେସକୁ ପ୍ରଶ୍ନ କରାଗଲା ସେ ୧୨ ବର୍ଷର ପିଲାଟି କହିଲା , “ମୁଁ କ’ଣ ସାହାସୀ କାମ କରିଛି ଜାଣିନି , ମୋତେ ଆମ୍ବୁଲାନ୍ସ ଡ୍ରାଇଭର୍ ବାଟ ପଚାରିଲେ ମୁଁ ତାଙ୍କୁ ସଠିକ୍ ରାସ୍ତା ଦେଖାଇଦେଲି ।” ବର୍ତ୍ତମାନ ଭେଙ୍କେଟେସ୍ କୁ ଏହି ବୀରତାସଂପର୍ଣ୍ଣ କାମ ପାଇଁ ବୀରତା ପୁରସ୍କାର ଦିଆଯିବାକୁ କୁହାଯାଉଛି ।