ଦିନେ ଥିଲେ ଫରେଷ୍ଟ ରେଂଜର, ଆଜି ପାଲଟିଛନ୍ତି ସଫଳ ଚାଷୀ…ଟାଙ୍ଗରା ଭୂଇଁରେ ୨୭୮ କିସମର ଧାନ ଚାଷ କରି ସୁନାର ଫସଲ ଫଳାଇଛନ୍ତି କୋରାପୁଟର ନେତ୍ରାନନ୍ଦ

593

କନକ ବ୍ୟୁରୋ: ଦିନେ ଥିଲେ ଫରେଷ୍ଟ ରେଂଜର, ଆଜି ପରିଣତ ବୟସରେ ସେ ପାଲଟିଛନ୍ତି ସଫଳ ଚାଷୀ । ଟାଙ୍ଗରା ଜମିରେ ୨୭୮ କିସମର ବିଲୁପ୍ତ ଦେଶି ଧାନ ଜୈବିକ ପଦ୍ଧତିରେ ଚାଷ କରି ସୁନାର ଫସଲ ଫଳାଇପାରିଛନ୍ତି । ଏହା ସହ ଜିଆ ଖତ ପ୍ରସ୍ତୁତ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବା ସାଙ୍ଗକୁ ୨୦ ରୁ ଅଧିକା ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । ପ୍ରେରଣା ଦାୟୀ ବ୍ୟକ୍ତି ଜଣଙ୍କ ହେଉଛନ୍ତି କୋରାପୁଟ ଜିଲ୍ଳା ପାତ୍ରପୁଟର ନେତ୍ରାନନ୍ଦ ଲେଙ୍କା ।

ପରିଣତ ବୟସରେ ମଧ୍ୟ ସେ ଯୁବଗୋଷ୍ଟୀଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ଦାୟୀ । ବନ ବିଭାଗରେ ରେଜଂର ପଦବୀରୁ ଅବସର ନେବା ପରେ ଚାଷ କାମକୁ ଆଦରି ନେଇଥିଲେ, ବିଲୁପ୍ତ ଦେଶୀ ଧାନ ବିହନକୁ ସାଇତି ରଖିବା ପାଇଁ ସେ ଆରମ୍ବ କରିଛନ୍ତି ଏକ ଅଭିନବ ପ୍ରୟାସ । ନିଜର ୪ ଏକର ଟାଙ୍ଗରା ଜମିରେ ଯେଉଁଠି ଦୁବ ଘାସ କଅଁଳୁ ନଥିଲା ସେଠାରେ ସେ ୨୭୮ ପ୍ରକାର ଦେଶୀ ଧାନ ଚାଷ କରି ଅନ୍ୟକୁ ରୋଜଗାରର ବାର୍ତା ଦେଉଛନ୍ତି । ଡ଼ଙ୍ଗର ଜମିର ଚାରିଆଡ଼େ ଖେଳୁଛି ଭଳିକି ଭଳି ସୁନାର ଫସଲ , ସୁଗନ୍ଧ ମଧ୍ୟ କହିଲେ ନ ସରେ, ଏହି ବିଲୁପ୍ତ କିସମରେ ରହିଛି କଳାଜିରା, କଳା କୃଷ୍ନ, ଆସାମଚୁଡ଼ି, ମାଣ୍ଡିଆ ପଲି , ମସୁରି ଚେପଟି ମସୁରି ,କଳାବତି,ହାଣ୍ଡିଶାଳ, ମଲାଗଣ୍ଡା, ଦୁବରାଜ,ରାଧାବଲ୍ଲବ,ମାଧବ ଭୋଗ,ଜଗର୍ନାଥ ବଲଭ, ଶୀତା ଭୋଗ, ବାସୁଆ,ପରି କିସମ ରହିଛି । ଏ ସବୁ ଚାଉଳ ବଜାରରେ ୧୦୦ ଟଙ୍କାରୁ ଆରମ୍ଭ କରି ୧୮୦୦ ଟଙ୍କା ପର୍ଯ୍ୟନ୍ତ ଦର ରହିଛି । ଜମିରେ ରହିଥିବା କଳା ଧାନରୁ କଳା ଚାଉଳ ବାହାରୁଛି ଯେଉଥିରେ କ୍ୟାନସର ଭଳି ଅନେକ ମାରାତ୍ମକ ରୋଗକୁ ଦୁରେଇ ହେବ ।

୨୦୦୮ରେ ସେ ନିଜର ଚାକିରି ଜୀବନରୁ ଅବସର ନେବା ପରେ, ଖାଲି ବସିବା ଅପେକ୍ଷା କିଛି ସମାଜ ପାଇଁ କାମ କରିବା ,ଯୁବପୀଢୀ ଙ୍କୁ କିଛି ନୁଆ ବାଟ ଦେଖାଇବାର ଚିନ୍ତା କରିଥିଲେ । ହାଇ ବ୍ରିଡ଼ଧାନ ଓ ରାସାୟନିକ ସାର ପଛରେ ନ ଧାଇଁ କିପରି ଜୈବିକ ପଦ୍ଦତିରେ ଦେଶି ଧାନ ଚାଷ କରି ଅଧିକା ରୋଜଗାର କରିହେବ ତାକୁ ଆଖି ଆଗରେ ରଖି ସେ ୨୦୧୦ ମସିହାରେ ପ୍ରଥମେ ନିଜର ୪ ଏକର ଜାଗାରେ ୯ ପ୍ରକାର ବିଲୁପ୍ତ ଦେଶି ଧାନକୁ ସଂଗ୍ରହ କରି ଚାଷ ଆରମ୍ଭ କରିଥିଲେ, ଆଜି ସେ ୨୭୮ ପ୍ରକାର ବିଲୁପ୍ତ କିସମର ଦେଶି ଧାନ ଗୋଟିଏ ସ୍ଥାନରେ ସେ ଚାଷ କରିଛନ୍ତି । ରାଜ୍ୟର ବିଭିନ୍ନ ଜିଳ୍ଳା ତଥା ରାଜ୍ୟ ବାହାରୁ ଲୋକଆସି ଲେଙ୍କା ବାବୁଙ୍କଠାରୁ ବିହନ ସବୁ କିଣି ନେଉଛନ୍ତି ।

ତେବେ କିପରି ଜଣେ ଶିକ୍ଷିତ ଯୁବପିଢୀ ଚାଷ କାମ କରି ଭଲ ରୁପେ ଚଳିପାରିବ ତାର ବାଟ ଦେଖାଉଛନ୍ତି ନେତ୍ରାନନ୍ଦ । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନେକ ଅନୁଷ୍ଠାନରୁ ସମ୍ମାନୀତ ମଧ୍ୟ ହୋଇଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଲେଙ୍କା ବାବୁଙ୍କୁ ନିମନ୍ତ୍ରଣ ଦେଇ ଡ଼ାକି ନେଉଛନ୍ତି । ତେବେ ପରିଣତ ବୟସରେ ମଧ୍ୟ ନେତ୍ରାନନ୍ଦ ଲେଙ୍କାଙ୍କ ଏପରି ଉଦ୍ୟମକୁ ସବୁଠି ମିଳୁଛି ପ୍ରଶଂସା ।