ଭୁବନେଶ୍ୱରରେ କଙ୍ଗାରୁ କୋର୍ଟ ! ଏକବିଂଶ ଶତାବ୍ଦିରେ ବସୁଛି ରାଜାଙ୍କ ଦରବାର

66

କନକ ବ୍ୟୁରୋ : ଏକବିଂଶ ଶତାବ୍ଦିରେ ବସୁଛି ରାଜାଙ୍କ ଦରବାର । ଅଜାତିରେ ବାହାହେଲେ କଙ୍ଗାରୁ କୋର୍ଟରେ କରାଯାଉଛି ବିଚାର । ରାଜଧାନୀ ଭୁବନେଶ୍ୱର ଉପକଂଠରେ ଏଭଳି ବିଲୁଆ ବିଚାରର ଭିଡିଓ କଏଦ ହୋଇଛି କନକ ନ୍ୟୁଜ୍ କ୍ୟାମେରାରେ । ଜରିମାନା ନଦେଲେ ଜାତିରୁ ବାସନ୍ଦ କରିଦେବାକୁ ଦିଆଯାଉଛି ଧମକ । ତିଅର ସଂପ୍ରଦାୟର ଏହି ରାଜାଙ୍କ ଦରବାରରେ ଲୋକଙ୍କୁ ଭୋଜିଭାତ ଦେବାକୁ ବି ବାଧ୍ୟ କରାଯାଉଛି । ନେହେଲେ ଦଣ୍ଡ ବିଧାନ କରୁଛନ୍ତି ରାଜା । ଆଉ ରାଜାଙ୍କ ଏଭଳି ନିର୍ଦ୍ଦେଶକୁ ମଥାପାତି ସହି ନେଉଛନ୍ତି ପ୍ରଜା ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରଘୁନାଥପୁର ଅଂଚଳର । ଅଜାତିରେ ବିବାହ କରିଥିବାରୁ କଙ୍ଗାରୁ କୋର୍ଟରେ ଚାଲିଛି ଯୁବକଙ୍କ ବିଚାର । ତିଅର ସଂପ୍ରଦାୟର ଏହି ଗାଁର ପୁଅ ଅନ୍ୟ ଜାତିରେ ବିବାହ କରିବା ସଂପୂର୍ଣ୍ଣ ନିଷେଧ । ଯଦି କିଏ ବିବାହ କଲା ତେବେ ତାର ଏହିଭଳି ବିଚାର ହେବ ଏବଂ ଦଣ୍ଡ ନମାନିଲେ ବାସନ୍ଦ କରିଦିଆଯିବ ।

ଏହି କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମାମଲତକାର ବ୍ୟକ୍ତି ଜଣକ ହେଉଛନ୍ତି ତିଅର ସଂପ୍ରଦାୟର ରାଜା । ତାଙ୍କର ଜଣେ ମନ୍ତ୍ରୀ ବି ଅଛନ୍ତି । ତିଅର ସଂପ୍ରଦାୟ ଭିତରେ ଏମାନଙ୍କର ହିଁ ରାଜ ଚାଲେ । ରାଜା ଯାହା କହିବେ ଠିକ । ପ୍ରଜା ତାକୁ ମାନି ନେବାକୁ ବାଧ୍ୟ । ଏମାନଙ୍କ ଅଧୀନରେ ଅଛନ୍ତି କିଛି ଗୁପ୍ତଚର । ସେମାନେ ଖବର ଦିଅନ୍ତି କିଏ ଅଜାତିରେ ବାହା ହୋଇଛି କିମ୍ବା ଜାତି ବିରୋଧୀ କାମ କରିଛି । ତୁରନ୍ତ ସେ ଖବର ରାଜାଙ୍କ ପାଖରେ ପହଂଚିଯାଏ । ଆଉ ଏହିଭଳି ବସେ ଦରବାର । ଯେଉଁଠି ଅପରାଧୀ ସଜାଇ ଦଣ୍ଡ ଦିଆଯାଏ ।

ଏକବିଂଶ ଶତାବ୍ଦିରେ ଏକ ଗାଁରେ ଏଭଳି କଙ୍ଗାରୁ ବିଚାର କେଉଁଠାରେ ଦେଖାଯାଏ ନାହିଁ । କିନ୍ତୁ ଭୁବନେଶ୍ୱରସ୍ଥିତ ଏହି ଗାଁରେ ଏହା ଏକ ବାଧ୍ୟବାଧକତା । କିଏ କେଉଁଠି ବାହା ହେବ, ତାହା ଗାଁର ମାମଲତକାରମାନଙ୍କୁ ଜଚ୍ଚାଇବାକୁ ପଡିବ । ଏବଂ ସେମାନେ ସମ୍ମତି ଦେଲେ ଯାଇ ବାହାଘର ବୈଧ ହେବ । ଦଣ୍ଡରୁ ବର୍ତିବାକୁ ହେଲେ ଦେବାକୁ ପଡେ ମୋଟା ଅଂକର ଜରିମାନା । ସମସ୍ତଙଅକୁ ଖୁସ କରିବାକୁ ଭୋଜିଭାତ ବି ଦେବାକୁ ପଡେ ।

ପ୍ରଶ୍ନ ଉଠୁଛି
– ଜାତିର ଠିକାଦାର ସାଜିଥିବା ଏହି ମାମଲତକାରମାନଙ୍କୁ ଏହି ଅଧିକାର ଦେଲା କିଏ?
– କଙ୍ଗାରୁ କୋର୍ଟରେ ଏଭଳି ବିଲୁଆ ବିଚାର ପାଇଁ ଏମାନଙ୍କୁ ଦଣ୍ଡ ମିଳିବା ଉଚିତ ନୁହେଁ କି?
– ଦେଶର ଆଇନ କାନୁନକୁ ଏମାନେ କିଭଳି ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି?