ପାର୍କିଂ ଫି କଟକଣାକୁ ଫୁ: ନୋଟିସ ପରେ ବି ନାଁ ବଦଳାଇ ଆଦାୟ ହେଉଛି ପାର୍କିଂ ଫି । କନକ ନ୍ୟୁଜ ଷ୍ଟିଙ୍ଗ ଅପରେସନରେ ସାମ୍ନାକୁ ଆସିଲା ସତ

175

କନକ ବ୍ୟୁରୋ: ପାର୍କିଂ ଫି ନିୟମକୁ ଫୁ । ବିଡିଏର ନିର୍ଦ୍ଦେଶକୁ ଖାତିର ନକରି ବେଧଡକ୍ ଚାଲିଛି ପାର୍କିଂ ଫି’ ଆଦାୟ । ଭବାନୀ ମଲ୍ ଏବଂ ଏସ୍ପ୍ଲାନେଡ ଭଳି ଅନେକ ମଲରେ ଖୋଲାଖୋଲି ଚାଲିଛି ପାର୍କିଂ ଫି’ ଆଦାୟ । ବିଡିଏର କଟକଣା ପରେ ବି ମଲ ଗୁଡ଼ିକରେ ଆଦାୟ ହେଉଛି ପାର୍କିଂ ଫି । ଆଉ ଏଥିପାଇଁ ଗଳାବାଟ ଖୋଜି ବାହାର କରିଛନ୍ତି ମଲ କର୍ତ୍ତୃପକ୍ଷ । ଏସ୍ପ୍ଲାନେଡ୍ ୱାନ୍ ମଲରେ ପାର୍କିଂ ଫି’କୁ ପାର୍କିଂ ଫାସିଲିଟେସନ୍ ଚାର୍ଜ ନାଁ ଦେଇ ଟଙ୍କା ଆଦାୟ କରାଯାଇଛି ।

ତେବେ ଏସପ୍ଲାନେଡରେ ପାର୍କିଂ ଫି ଆଦାୟ ହେଉଥିବା ନେଇ ଷ୍ଟିଙ୍ଗ ଅପରେସନ କରିଥିଲା କନକ ନ୍ୟୁଜ୍ । ଆମ ପ୍ରତିନିଧି କାର୍ ନେଇ ଏସ୍ପ୍ଲାନେଡ୍ ୱାନ୍ ମଲରେ ପ୍ରବେଶ କଲାବେଳେ ତାଙ୍କୁ ୨୦ ଟଙ୍କା ଦେବାକୁ ମଲର କର୍ମଚାରୀ ବାଧ୍ୟ କରିଥିଲେ । ମଲର କର୍ମଚାରୀ କହିଥିଲେ-ଏହା ପାର୍କିଂ ଫି ନୁହେଁ, ପାର୍କିଂ ଫାସିଲିଟେସନ୍ ଚାର୍ଜ । ଏଭଳି କିଛି ବାହାନା ନେଇ ଆପଣ ପାର୍କିଂ ଫି ନେଇପାରିବେ ନାହିଁ ବୋଲି ରିପୋର୍ଟର ଯୁକ୍ତି କରିଥିଲେ ସୁଦ୍ଧା କାଂଉଟରରେ ଥିବା ମହିଳା କର୍ମଚାରୀ ଶୁଣିନଥିଲେ ।

ସେପଟେ ବେଆଇନ ପାର୍କିଂ ଫି ଆଦାୟକୁ ନେଇ ଆରମ୍ଭ ହୋଇଛି ଧରପଗଡ଼ । ଭବାନୀ ମଲରେ ବିଡିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡ ଚଢାଉ କରିଛି । ସପିଂ ମଲ, ହସ୍ପିଟାଲ, ମଲ୍ଟିପ୍ଲେକ୍ସ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ପାର୍କିଂ ଫି ନେଲେ, କାର୍ଯାନୁଷ୍ଠାନ ନିଆଯିବ ବୋଲି ବିଡିଏ ସ୍ପଷ୍ଟ କରିଛି । ଏମିତି କି ଆପାର୍ଟମେଂଟ୍ ଏବଂ ଆବାସିକ ବାସଭବନରେ ମଧ୍ୟ ପାର୍କିଂ ଫି ଉପରେ କଟକଣା ଲାଗିଛି । ହେଲେ ଏହାକୁ ଉଲ୍ଲ୍ଂଘନ କରି କିଛି ସପିଂ ମଲ୍, ମଲ୍ଟିପ୍ଲେକ୍ସ ଏବଂ ଆପାର୍ଟମେଂଟ୍ ପାର୍କି ଫି ନେଉଥିବା ବିଡିଏ ନଜରକୁ ଆସିଛି ।

ବିଡିଏ ନୋଟିସରେ ସ୍ପଷ୍ଟ କରିଛି ଯେ ବିଲ୍ଡିଂ ପ୍ଲାନିଂ ଆଣ୍ଡ୍ ବିଲ୍ଡିଂ ଷ୍ଟାଣ୍ଡାର୍ଡସ୍ ରେଗୁଲେସନସ, ୨୦୧୮ ଅନୁଯାୟୀ, ବିଲ୍ଡିଂ ତିଆରି ବେଳେ ମଲର ମାଲିକମାନଙ୍କୁ ଫ୍ଲୋର ଏରିଆ ରେସିଓ ବା “ଫାର୍’’ରେ ଯଥେଷ୍ଟ ରିହାତି ଦିଆଯାଇଥାଏ । ଅର୍ଥାତ୍ ବିଲ୍ଡିଂ ତିଆରି ପାଇଁ ପ୍ଲାନ୍ ଆପ୍ରୁଭାଲ୍ ନେଲାବେଳେ ସମୁଦାୟ ଫ୍ଲୋର ଏରିଆରୁ ପାର୍କିଂ ପାଇଁ ଥିବା ଏରିଆର ଦେୟକୁ ବାଦ୍ ଦିଆଯାଇଥାଏ । ପ୍ଲାନ୍ ଅନୁମୋଦନ ଦେଲା ବେଳେ ଲୋକଙ୍କୁ ମାଗଣାରେ ଅଫ-ଷ୍ଟ୍ରିଟ୍ ପାର୍କିଂ ଦେବା ପାଇଁ ସର୍ତ ରହିଥାଏ । ମାତ୍ର ଏବେ କେତେକ ମଲ୍ ପାର୍କିଂ ପାଇଁ କର୍ମଚାରୀ ମୁତୟନ କରିବାର ବାହାନା ଦେଖାଇ ପାର୍କିଂ ଫି ନେବାକୁ ଚେଷ୍ଟା କରୁଛନ୍ତି ଯାହା ପୂରାପୂରି ବେଆଇନ ।