ଶେଷ ଚାଲ ଚଲାଇଲେ ପ୍ରସାଦ । ପର୍ଯ୍ୟବେକ୍ଷକଙ୍କ ଆଗରେ ବିଧାୟକ ଦଳର ବଳ ଭାଙ୍ଗିବାକୁ ଚକ୍ରାନ୍ତ । କନକ ନ୍ୟୁଜ ୱେବ ଏକ୍ସକ୍ଲୁସିଭ

64

ଖବରଦାତା- ଭବାନୀ ପ୍ରସାଦ ଦାସ

ଓଡିଶା କଂଗ୍ରେସରେ ଆରମ୍ଭ ହେଲା ପରିବର୍ତ୍ତନ ପ୍ରକ୍ରିୟା। ମୁଖିଆ କିଏ ହେବ, କାହା ହାତରେ ମଙ୍ଗ ଦେଲେ ଦଳର ସ୍ଥିତି ଦୃଢ ହେବ, ତାର ତଥ୍ୟ ନେବାକୁ ଆସୁଛନ୍ତି ପର୍ଯ୍ୟବେକ୍ଷକ ଦଳ । ଏହି ରିପୋର୍ଟ ଅଧାରରେ ନିଷ୍ପତ୍ତି ନିଆଯିବ, ପ୍ରସାଦଙ୍କ ସ୍ଥାନରେ କିଏ ହେବେ ପ୍ରଦେଶ କଂଗ୍ରେସ କମିଟି ସଭାପତି । ଆଉ କାହା ନେତୃତ୍ୱରେ ଆଗାମୀ ସାଧାରଣ ନିର୍ବାଚନକୁ ଦଳ ସାମ୍ନା କରିବ । ଏଆଇସିସିର ତିନି ଜଣିଆ ପର୍ଯ୍ୟବେକ୍ଷକ ଦଳ ତିନିଦିନିଆ ଗସ୍ତରେ ଆସୁଛନ୍ତି । ଅଗଷ୍ଟ ୧୧ ସନ୍ଧ୍ୟାରେ ଭୁବନେଶ୍ୱରରେ ସେମାନେ ପହଂଚିବାକୁ ଥିବା ବେଳେ ଅଗଷ୍ଟ ୧୪ରେ ଦିଲ୍ଲୀ ଫେରିଯିବେ ।

ତେବେ ପର୍ଯ୍ୟବେକ୍ଷକଙ୍କ ଗସ୍ତକୁ ନେଇ ରାଜନୈତିକ ଗୋଟିଚାଳନା କରିବାକୁ ବି ପଛାଇ ନାହାନ୍ତି ପ୍ରସାଦ ହରିଚନ୍ଦନ । ଯଥାସମ୍ଭବ ଚେଷ୍ଟା କରିଛନ୍ତି, ବିଧାୟକ ଦଳ କେଉଁଭଳି ଏକାଠି ନ’ରହିବ । ଅର୍ଥାତ୍ ପର୍ଯ୍ୟବେକ୍ଷକ ଯେପରି ପୁରା ବିଧାୟକ ଦଳକୁ ଏକାଠି ଦେଖିବେନି ସେନେଇ ରଣନୀତି କରିବା ସହ ଗୋଟିଚାଳନା ବି କରିସାରିଛନ୍ତି ପ୍ରସାଦ । ପିସିସି ପକ୍ଷରୁ ଦିଆଯାଇଥିବା ପ୍ରେସ ରିଲିଜରେ ପ୍ରସାଦ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁ ନେତା ମାନେ ଏକାଧିକ ବର୍ଗରେ ଆସୁଛନ୍ତି, ସେମାନେ ଥରୁଟିଏ ହିଁ ପର୍ଯ୍ୟବେକ୍ଷକଙ୍କୁ ଭେଟିପାରିବେ । ଅର୍ଥାତ୍ ଯେଉଁ ବିଧାୟକ ଜିଲ୍ଲା ସଭାପତି ଅଛନ୍ତି, ସେମାନେ କେମିତି ଜିଲ୍ଲା ସଭାପତି ଭାବେ ପର୍ଯ୍ୟବେକ୍ଷକଙ୍କୁ ଭେଟିବେ ଓ ଯେଉଁମାନେ ଅନ୍ୟାନ୍ୟ ଛାମୁଆ ସଂଗଠନରେ ଅଛନ୍ତି ସେମାନେ ମଧ୍ୟ ଅଲଗା ଭେଟିବେ ସେଇ ବ୍ୟବସ୍ଥା କରିଛନ୍ତି ପ୍ରସାଦ ।

ଦିଆଯାଇଥିବା ସୂଚନା ଅନୁସାରେ, ୧୧ ତାରିଖରେ ଭୁବନେଶ୍ୱରରେ ପହଂଚିବା ପରେ ୧୨ ତାରିଖ ଦିନ ୧୧ଟା ବେଳେ, ଜିଲ୍ଲା କଂଗ୍ରେସ କମିଟି ସଭାପତିମାନଙ୍କୁ ଭେଟିବେ ତିନି ଜଣିଆ ପର୍ଯ୍ୟବେକ୍ଷକ ଦଳ । ଅପରାହ୍ନ ୩ଟା ୩୦ରେ ପିସିସି କାର୍ଯ୍ୟକର୍ତ୍ତା, ଓ ଅପରାହ୍ନ ୪ଟା ୩୦ରେ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କୁ ଭେଟିବେ କେନ୍ଦ୍ରୀୟ ଟିମ୍ । ସେହିଭଳି ୧୩ ତାରିଖ ୧୦ଟା ବେଳେ ବରିଷ୍ଠ ନେତାଙ୍କୁ ଭେଟିବାକୁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ୧୧ଟା ବେଳେ ପୂର୍ବତନ ସାଂସଦ ଓ ବିଧାୟକ, ୧୨ଟା ୩୦ରେ ୨୦୧୪ରେ ଲୋକସଭା ଓ ବିଧାନସଭାରେ ଲଢିଥିବା କଂଗ୍ରେସ ପ୍ରାର୍ଥୀ, ୩ଟା ବେଳେ ଦଳୀୟ ସାଂସଦ, ବିଧାୟକଙ୍କୁ ଭେଟିବେ । ଅପରାହ୍ନ ୫ଟାରେ କଂଗ୍ରେସ ସମନ୍ୱୟ କମିଟି ବୈଠକରେ ସାମିଲ ହେବେ ପର୍ଯ୍ୟବେକ୍ଷକ ଦଳ ।

ତେବେ ପିସିସିର ପ୍ରେସ ରିଲିଜର ଶେଷ ଆଡକୁ ଲେଖାଯାଇଥିବା କିଛି ପଦ ବିବାଦ ଆରମ୍ଭ କରିଛି । ଏଥିରେ ଲେଖାଯାଇଛି, ଯେଉଁମାନେ ଏକରୁ ଅଧିକ ବର୍ଗରେ ଆସୁଛନ୍ତି ସେମାନେ କେବଳ ଥରୁଟିଏ ପର୍ଯ୍ୟବେକ୍ଷକ ଦଳକୁ ଭେଟିବାର ସୁଯୋଗ ପାଇବେ । ଅର୍ଥାତ୍ ଜିଲ୍ଲା ସଭାପତି ଯିଏ ବିଧାୟକ ଅଛନ୍ତି, ସେ ମାତ୍ର ଥରୁଟିଏ ଭେଟିବେ ପର୍ଯ୍ୟବେକ୍ଷକଙ୍କୁ । ଏ ହେଉଛି, ପ୍ରସାଦଙ୍କୁ ସୁଚିନ୍ତିତ ରଣନୀତି, କିଭଳି ବିଧାୟକ ଦଳ ଏକାଠି ହେବେନି କିମ୍ବା ଏକ ସ୍ୱରରେ ପର୍ଯ୍ୟବେକ୍ଷକଙ୍କୁ ଅଭିଯୋଗ କରିପାରିବେନି । ପ୍ରସାଦଙ୍କ ଏହି ନିର୍ଦ୍ଦେଶକୁ ନାପସନ୍ଦ କରିଛନ୍ତି କିଛି ବିଧାୟକ । ଗୋଟିଏ ଥର ଭେଟି ମତାମତ ଦେବା ପରେ ଦ୍ୱିତୀୟ ଥର ଭେଟିବା ଆବଶ୍ୟକ ନାହିଁ ବୋଲି ସେମାନେ ଜାଣିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି । ଏପରିକି ଗାଦିରୁ ହଟିବା ପୂର୍ବରୁ ପ୍ରସାଦ ନିଜ ଏକଛତ୍ରବାଦ ଦେଖାଉଛନ୍ତି ବୋଲି କଟାକ୍ଷ କରିଛନ୍ତି ।

ପର୍ଯ୍ୟବେକ୍ଷକଙ୍କ ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଯାକବ ପ୍ରଧାନ ଓ କୈଳାସ କୁଲେଶିକା । ଯାକବ ପ୍ରଧାନ କନ୍ଧମାଳ ଜିଲ୍ଲା ସଭାପତି ଓ କୈଳାସ କୁଲେଶିକା ଆଦିବାସୀ କମିଟିର ଉପାଧ୍ୟକ୍ଷ । ଜାକବ କହିଛନ୍ତି, ଯେହେତୁ ପର୍ଯ୍ୟବେକ୍ଷକ ଦଳ ପ୍ରଥମେ ଜିଲ୍ଲା ସଭାପତିଙ୍କୁ ଭେଟିବେ ତେଣୁ ମୁଁ ସେହି ବର୍ଗରେ ଯାଇ କମିଟି ସହ ଆଲୋଚନା କରିବି । ତେଣୁ ବିଧାୟକ ଦଳ ସହ ଯିବାର ପ୍ରଶ୍ନ ଉଠୁନାହିଁ । ସେହିଭଳି କୁଲେଶିକା ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ଯେହେତୁ ଛାମୁଆ ସଂଗଠନର ଦାୟିତ୍ୱରେ ଆସୁଛି, ତେଣୁ ସେହି ମର୍ମରେ ଯାଇ ପର୍ଯ୍ୟବେକ୍ଷକଙ୍କୁ ଭେଟିବି । ଆଉ ବିଧାୟକ ଦଳ ସହ ଯିବିନାହିଁ । ଯାହା ପ୍ରମାଣିତ କରୁଛି, ପ୍ରସାଦଙ୍କ ଗୋଟିଚାଳନା କେତେକାଂଶରେ କାମଦେଇଛି । କୁହାଯାଉଛି, କଂଗ୍ରେସର ୧୬ ବିଧାୟକଙ୍କ ଭିତରେ ଫାଟ ତିଆରି କରିବାକୁ ଏଭଳି ଷଡଯନ୍ତ୍ର କରିଛନ୍ତି ପ୍ରସାଦ ହରିଚନ୍ଦନ । ୨ ବିଧାୟକଙ୍କୁ ଅଲଗା କରିବାରେ ସକ୍ଷମ ମଧ୍ୟ ହୋଇଛନ୍ତି ।

ଅପରପକ୍ଷରେ କୋଟପାଡ ବିଧାୟକ ଚନ୍ଦ୍ରଶେଖର ମାଝୀ କହିଛନ୍ତି, ବିଧାୟକ ଦଳ ଏକ ଅଛନ୍ତି । ୧୬ ଜଣ ବିଧାୟକ ଏକାଠି ଯାଇ ପିସିସି ପରିବର୍ତ୍ତନ ପାଇଁ ଦାବି ରଖିବୁ । କଂଗ୍ରେସ ନେତା ପ୍ରଦୀପ ମାଝୀ କହିଛନ୍ତି, ପୂର୍ବତନ ସାଂସଦ ଭାବେ, ସେ ଯାଇ ପର୍ଯ୍ୟବକ୍ଷେକ ଦଳକୁ ଭେଟିବେ । ତେଣୁ ପ୍ରଶ୍ନ ଉଠୁଛି ଅନୁସୂଚିତ ଜାତି କମିଟି ଅଧ୍ୟକ୍ଷ ଥିବା କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ, ଝାରସୁଗୁଡା ଜିଲ୍ଲା ସଭାପତି ତଥା ବିଧାୟକ ନବ ଦାସ, କଟକ ଜିଲ୍ଲା ସଭାପତି ତଥା ବିଧାୟକ ପ୍ରକାଶ ବେହେରା ଓ କେନ୍ଦ୍ରାପଡା ଜିଲ୍ଲା ସଭାପତି ତଥା ବିଧାୟକ ଦେବେନ୍ଦ୍ର ଶର୍ମା ବିଧାୟକ ଦଳ ସହ ଯିବେ ନା ଜିଲ୍ଲା ସଭାପତିଙ୍କ ସହ ? ବରିଷ୍ଠ ନେତା ନିରଂଜନ ପଟ୍ଟନାୟକ କହିଛନ୍ତି, ପରିବର୍ତ୍ତନ କଥା ଚର୍ଚ୍ଚା ଚାଲିଛି,କିନ୍ତୁ ଦଳୀୟ ସଂଗଠନ କିଭଳି ସୁଦୃଢ ହେବ ଓ ସମସ୍ତେ ଏକାଠି କାମ କରିବେ, ତାର ଅନୁଧ୍ୟାନ କରିବାକୁ କେନ୍ଦ୍ରୀୟ ଟିମ ଓଡିଶା ଗସ୍ତରେ ଆସୁଛନ୍ତି । ସେ ରାଜ୍ୟ କଂଗ୍ରେସକୁ ସୁଦୃଢ କରିବା ପାଇଁ ନିଜର ସୁଚିନ୍ତିତ ମତାମତ ପ୍ରତିନିଧି ଦଳ ସମ୍ମୁଖରେ ଉପସ୍ଥାପନ କରିବେ ।

ଦୀର୍ଘଦିନର ନୀରବତା ପରେ ମୁହଁ ଖୋଲିଛନ୍ତି ପ୍ରସାଦ ହରିଚନ୍ଦନ । କହିଛନ୍ତି, ପର୍ଯ୍ୟବେକ୍ଷକ ଦଳ ଆସିବେ ଓ ସମସ୍ତଙ୍କ ସହ ମତ ନେଇ ଏଆଇସିସିକୁ ରିପୋର୍ଟ ଦେବେ । ହେଲେ ପିସିସି ସଭାପତି ପରିବର୍ତ୍ତନ ସଂକ୍ରାନ୍ତରେ ସେ ଚୁପ ରହିଛନ୍ତି । ତେବେ ଗଣମାଧ୍ୟମରେ ପ୍ରସାଦଙ୍କ ଢାଲ ସାଜିଥିବା ସୁର ରାଉତରାୟ ଜ୍ୱାଇଁଙ୍କ ପାଇଁ ଓକିଲାତି କରି କହିଛନ୍ତି, ପ୍ରସାଦଙ୍କ ନେତୃତ୍ୱରେ ପିସିସି ଠିକ୍ ଚାଲିଛି । କିନ୍ତୁ ଯଦି ହାଇକମାଣ୍ଡ ପରିବର୍ତ୍ତନ ପାଇଁ ନିଷ୍ପତି ନେବେ, ଆମେ ସ୍ୱାଗତ କରିବୁ । ଯାହା ସ୍ପଷ୍ଟ ଇଂଗିତ କରୁଛି, ପ୍ରସାଦ ବଦଳିବାକୁ ଯାଉଛନ୍ତି ।

ଦିଲ୍ଲୀରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ଏକାଧିକ ବାର ଆଲୋଚନା କରିଥିଲେ ରାଜ୍ୟ କଂଗ୍ରେସର ୪୦ରୁ ଅଧିକ ବରିଷ୍ଠ ନେତା । ଏପରିକି ଦିଲ୍ଲୀ ଲଗାତର ଦୌଡି ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି ଜଣାଇଥିଲେ । ହେଲେ ଫଳ କିଛି ହୋଇନଥିଲା । ଏହାରି ଭିତରେ ନେତାଙ୍କ ଭିତରେ ବୟାନବାଜି ବଢିଥିଲା ଆଉ ଅସନ୍ତୋଷ ଧୀରେ ଧୀରେ ବିଷ୍ଫୋରକ ରୂପ ନେଇଥିଲା । ପଂଚାୟତ ନିର୍ବାଚନରେ ରାଜ୍ୟରେ ପ୍ରଥମ ଥର ପାଇଁ କଂଗ୍ରେସ ତୃତୀୟ ସ୍ଥାନକୁ ଖସି ଆସିଥିଲା । ଯାହା କଂଗ୍ରେସର ଭାଗ୍ୟକୁ ନେଇ ପ୍ରଶ୍ନବାଚୀ ତିଆରି କରିଥିଲା । ଆଉ ଏହାରି ଭିତରେ କେନ୍ଦ୍ରୀୟ ନତେୃତ୍ୱ ଆସିବା, ଦଳୀୟ ନେତାଙ୍କ ମଧ୍ୟରେ ଆଶା ସଂଚାର କରିଛି ।

୩ ଦିନ ଭୁବନେଶ୍ୱରରେ ରହିବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ । ସାଂସଦ ତାମ୍ରଧ୍ୱଜ ସାହୁ, ପୂର୍ବତନ ରକ୍ଷା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଆସୁଥିବା ବେଳେ ତେବେ ବ୍ୟକ୍ତିଗତ କାରଣ ପାଇଁ ସୁସ୍ମିତା ଦେବ ଆସୁନାହାନ୍ତି । ତାଙ୍କ ସ୍ଥାନରେ ସାଂସଦ ଗୈାରବ ଗୋଗୋଇ ଟିମରେ ଆସିବେ ।

ଏଥିସହ ପ୍ରଭାରୀ ଓ ସହ ପ୍ରଭାରୀ ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣା ପଡିଛି । ରାଜନୈତିକ ପରିସ୍ଥିତି ସଂପର୍କରେ ଅନୁଧ୍ୟାନ କରି ସୋନିଆ ଗାନ୍ଧୀଙ୍କୁ ରିପୋର୍ଟ ପ୍ରଦାନ କରିବେ ଟିମ । ଆଉ ଏହାରି ଆଧାରରେ ପିସିସି ସଭାପତି ବଦଳିବେ ବୋଲି ଅନୁମାନ କରାଯାଉଛି ।