କାଳିଆ ଯୋଜନା : ଅଯୋଗ୍ୟ ହିତାଧିକାରୀଙ୍କ ନାଁ କାଟିବାକୁ ଅଭିଯୋଗ କରିପାରିବେ ଚାଷୀ, ଜାଣନ୍ତୁ ରେର୍ଡ ଫର୍ମରେ କିଭଳି କରିବେ ଆବେଦନ

848

କନକ ବ୍ୟୁରୋ : କାଳିଆ ଯୋଜନାକୁ ନେଇ ସାରା ରାଜ୍ୟରେ ଚାଷୀ ମନରେ ଏକ ଦ୍ୱନ୍ଦାତ୍ମକ ସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ପଟେ କାଳିଆ ଯୋଜନାରେ ସାମିଲ ହେବାକୁ ଆବେଦନ ପାଇଁ ଚାଷୀ ମାନଙ୍କୁ ସବୁଜ ଫର୍ମ ମିଳୁନାହିଁ ଅନ୍ୟପଟେ କାଳିଆ ଫର୍ମକୁ ନେଇ କିଛି ଲୋକ ବ୍ୟବସାୟ ଆରମ୍ଭ କରିଛନ୍ତି । ଅଥାର୍ତ ଯେଉଁଠି ଫର୍ମ ମିଳୁନି ସେଠାରେ କିଛି ବ୍ୟକ୍ତି ଏହାର ସୁବିଧା ନେଇ ଚାଷୀଙ୍କୁ ଚଢା ଦରରେ ଫର୍ମ ବିକ୍ରି କରୁଥିବା ଖବର ସାମ୍ନାକୁ ଆସିଛି । ଏପରିକି କାଳିଆ ଯୋଜନାରେ ପ୍ରାଥମିକ ପର୍ଯ୍ୟାୟରେ ଯେଉଁ ହିତାଧିକାରୀ ତାଲିକା ପ୍ରକାଶ ପାଇଛି ସେଥିରେ କିଛି ଯୋଗ୍ୟ ହିତାଧିକାରୀ ବାଦ୍ ପଡିଛନ୍ତି । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଚାଷୀ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ ଏହା ଚୁଡାନ୍ତ ତାଲିକା ହୋଇନଥିବାରୁ ଏନେଇ ଆଦୌ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ ।

କାଳିଆ ଯୋଜନା ତାଲିକାରେ ଯଦି କୌଣସି ଅଯୋଗ୍ୟ ହିତାଧିକାରୀ ସାମିଲ ହୋଇଛନ୍ତି ତେବେ ସେମାନଙ୍କୁ ବାଦ୍ ଦେବାକୁ ମଧ୍ୟ ସରକାର ବାଟ କାଢିଛନ୍ତି । ଅଥାର୍ତ ଚାଷୀ ମାନେ ମଧ୍ୟ ଚାହିଁଲେ ଅଯୋଗ୍ୟ ହିତାଧିକାରୀଙ୍କ ନାଁ କାଟିବାକୁ କାଳିଆ ଯୋଜନାର ରେଡ ଫର୍ମ ପୂରଣ କରି ଡ୍ରପ ବକ୍ସରେ ପକାଇପାରିବେ । ଏପରିକି ଅଯୋଗ୍ୟ ହିତାଧିକାରୀ ନିଜେ ଚାହିଁଲେ ମଧ୍ୟ ଏହି ଯୋଜନାରୁ ନିଜ ନାଁ କାଟିପାରିବେ । ଏଥିପାଇଁ ମଧ୍ୟ ସମାନ ଢଙ୍ଗରେ ରେଡ ଫର୍ମ ପୂରଣ କରି ଡ୍ରପ ବକ୍ସରେ ପକାଇପାରିବେ ନିଜେ ହିତାଧିକାରୀ ।

କାଳିଆ ୱେବସାଇଟ www.kalia.co.inକୁ ଯାଇ ଏହି ରେଡ ଫର୍ମ ଡାଉନଲୋଡ କରିପାରିବେ ଅଭିଯୋଗକାରୀ ଓ ହିତାଧିକାରୀ । ଏଥିରେ ଉଭୟ ଅଭିଯୋଗକାରୀ ଓ ହିତାଧିକାରୀ ନିଜର ସମସ୍ତ ତଥ୍ୟ ଉଲ୍ଲେଖ କରିବା ସହ କେଉଁ କାରଣରୁ ନାଁ କଟାଯିବ ତାହା ଫର୍ମରେ ଦିଆଯାଇଥିବା ବିକଳ୍ପ ଚୟନ କରିପାରିବେ । ଆଉ ଏହି ଫର୍ମକୁ ଯାଞ୍ଚ କରିବା ପରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯିବ ।

ତେବେ କାଳିଆ ଯୋଜନା ବାବଦରେ ଅଧିକ ସୂଚନା ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଟୋଲ ଫ୍ରି ନମ୍ବର ୧୮୦୦୫୭୨୧୧୨୨ରେ ନମ୍ବରରେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ କଲ କରି ଚାଷୀ ମାନେ ନିଜର ସମସ୍ତ ସମସ୍ୟା ସର୍ମ୍ପକରେ ବୁଝି ପାରିବେ । ସେହିଭଳି ୦୮୦୬୧୧୭୪୨୨୨ ନମ୍ବରରେ ମିସ୍ କଲ କରିବା ଏସଏମଏସ ମାଧ୍ୟମରେ ସମସ୍ତ ତଥ୍ୟ ପାଇପାରିବେ ।