ଚାଷୀ ଆକାଉଂଟକୁ ଆସିଲା କାଳିଆ ଟଙ୍କା ! ଗୋଟିଏ ଦିନରେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କୁ ପଠାଗଲା ୬୬୨କୋଟି, ନବୀନ କହିଲେ କାଳିଆ ଯାତ୍ରାକୁ ରୋକିପାରିବେନି କେହି ।

591

କନକ ବ୍ୟୁରୋ : ପ୍ରଥମ ଦିନରେ ହିଁ ଚାଷୀଙ୍କ ପାଖରେ ପହଂଚିଛି କାଳିଆ ଟଙ୍କା । ପୁରୀ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ରାଶି ପଠାଇବାର କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ସନ୍ଧ୍ୟା ସୁଦ୍ଧା ରାଜ୍ୟର ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ଖାତାରେ ପହଂଚି ଯାଇଛି କାଳିଆ ଟଙ୍କା । ଡିବିଟି ମାଧ୍ୟମରେ ୬ ଶହ ୬୨ କୋଟି ଟଙ୍କା ଚାଷୀଙ୍କ ଆକାଉଂଟକୁ ପଠାଇଛନ୍ତି ରାଜ୍ୟ ସରକାର । ସରକାରଙ୍କ ପାଖରେ ଥିବା ୧୦ ଲକ୍ଷ ୫୦ ହଜାର ଚାଷୀଙ୍କ ମୋବାଇଲ ନମ୍ବରକୁ ଟଙ୍କା ପହଂଚାଯାଇଥିବା ନେଇ ମେସଜ୍ ମଧ୍ୟ ପଠାଯାଇଛି । ଏପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି-କାଳିଆ ଯାତ୍ରାକୁ କେହି ରୋକିପାରିବେ ନାହିଁ ।

କାଳିଆ ଯାତ୍ରାକୁ କେହି ରୋକିପାରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିବା ସହ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଦେଇଛନ୍ତି ଅଭୟବାଣୀ  । କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ତଥା ସହାୟତା ରାଶି ଯୋଗାଇ ଦେବାର ପ୍ରକ୍ରିୟାକୁ ପୁରୀ ଚାଷୀ ସମାବେଶରେ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନା କେବଳ ଯେ, ଓଡ଼ିଶାର ଅର୍ଥନୀତିକୁ ବୃଦ୍ଧି କରିବ ନାହିଁ ବରଂ ୩ ବର୍ଷରେ ୬ଟି ଋତୁ ପାଇଁ ଚାଷୀଙ୍କ ଚାଷ କାର୍ଯ୍ୟକୁ ସୁନିଶ୍ଚିତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାଳିଆ ଯୋଜନାରେ,

– ଖରିଫ ପାଇଁ ଅକ୍ଷୟ ତୃତୀୟ ଦିନ ଚାଷୀଙ୍କୁ ମିଳିବ ୫ ହଜାର ଟଙ୍କା

– ରବି ଫସଲ ପାଇଁ ନୂଆଁଖାଇ ଦିନ ମିଳିବ ଆଉ ୫ ହଜାର ଟଙ୍କା

ଏସବୁ ଭିତରେ ଯୋଜନାର ନାଁ କାଳିଆ କାହିଁକି ରଖାଗଲା ତାହା ବି ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯୋଜନାର ପ୍ରଥମ ପର୍ଯ୍ୟାୟର ୧୦ ଜଣ ହିତାଧିକାରୀକାରୀଙ୍କୁ କାଳିଆ ସହାୟତାପତ୍ର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ଯେଉଁଥିରେ ଥିଲେ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ଚାଷୀ ।

ରାଜ୍ୟର ୯୨ ପ୍ରତିଶତ ଚାଷୀ ଏହି କାଳିଆ ଯୋଜନାରେ ଉପକୃତ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଟଙ୍କା ଆସିବା ଆରମ୍ଭ ହେବା ପରେ ରାଜ୍ୟବାପୀ ଖୁସି ଜାହିର କରିଛନ୍ତି ଚାଷୀ  । ଏମିତିକି ଚାଷୀଙ୍କ ମୋବାଇଲକୁ ପହଂଚିବାରେ ଲାଗିଛି ମ୍ୟାସେଜ୍ । ଆଜିଠାରୁ ରାଜ୍ୟର ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ସିଧାସଳଖ ୫ ହଜାର ଟଙ୍କା ଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତାକାଲିଠୁ ପର୍ଯ୍ୟାୟକ୍ରମେ ଯୋଗ୍ୟ ହିତାଧିକାରୀଙ୍କ ପାଖକୁ ପହଂଚିବ କାଳିଆ ଟଙ୍କା ।