କାଳିଆ ଟଙ୍କା ପାଇଁ କସରତ । ଯାଞ୍ଚ ମଝିରୁ ଆସିଲା ସାଂଘାତିକ ସତ, ଅଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ୧୩୩ କୋଟି, ଏବେ ସରକାର ଫେରାଇ ଆଣିପାରିବେ ତ?

1,277

କନକ ବ୍ୟୁରୋ : କାଳିଆ ଟଙ୍କା ବଣ୍ଟନକୁ ନେଇ ଛନ୍ଦି ହୋଇଛନ୍ତି ରାଜ୍ୟ ସରକାର । ନିର୍ବାଚନ ପୂର୍ବରୁ ମନ ଇଛା ଟଙ୍କା ବାଣ୍ଟିବା ପରେ ଏବେ ଯୋଗ୍ୟ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଉଛି । ଯାଞ୍ଚ ହୋଇଥିବା ୩୬ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୨ଲକ୍ଷ ୬୬ ହିତାଧିକାରୀ ଅଯୋଗ୍ୟ ବୋଲି ଚିହ୍ନଟ ହୋଇଛନ୍ତି । ଏବେ ଏହି ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ କେମିତି ଫେରିବ ଟଙ୍କା ସେ ନେଇ ସରକାରକୁ ଘାରିଛି ଚିନ୍ତା ।

ପ୍ରଥମେ ଆଖିବୁଜି କାଳିଆ ଟଙ୍କା ବାଣ୍ଟିବା ପରେ ଏବେ ସରକାରଙ୍କ ଚେତା ପଶିଛି । କିଏ ଯୋଗ୍ୟ, କିଏ ଅଯୋଗ୍ୟ ହିତାଧିକାରୀ, ଚାଲିଛି ଚିହ୍ନଟ ପ୍ରକ୍ରିିୟା । ୭୨ ପ୍ରତିଶତ ହିତାଧିକାରୀଙ୍କ ଯାଞ୍ଚ ଶେଷ ହେଲାଣି । ମୋଟ ୫୧ ଲକ୍ଷ ହିତାଧିକାରୀ କାଳିଆ ଟଙ୍କା ପାଇଥିବା ବେଳେ ୩୬ ଲକ୍ଷ ୮୮ ହଜାର ହିତାଧିକାରୀଙ୍କ ଯାଞ୍ଚ ସରିଛି । ସେଥିରୁ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ଯଦି ଜଣଙ୍କ ପିଛା ୫ ହଜାର ଟଙ୍କା ଲେଖାଁଏ ହିସାବ କରାଯାଏ, ତେବେ ଏହି ଅଯୋଗ୍ୟ ହିତାଧିକାରୀମାନଙ୍କ ପକେଟକୁ ଯାଇଛି ୧୩୩ କୋଟି ଟଙ୍କା । ଏଥିରୁ ଅନେକ ହିତାଧିକାରୀ ୨ଟି କିସ୍ତିରେ ୧୦ ହଜାର ଟଙ୍କା ମଧ୍ୟ ପାଇଛନ୍ତି ।

ଏବେ ବଡ଼ ପ୍ରଶ୍ନ ହେଉଛି, କିପରି ଏହି ଅଯୋଗ୍ୟ ହିତାଧିକାରୀଙ୍କ ପାଖରୁ କୋଟି କୋଟି ଟଙ୍କା ଫେରାଇ ଆଣିବେ ସରକାର । ଏହି ପ୍ରକ୍ରିୟା କିପରି ହେବ, ଏନେଇ କିଛି ଗାଇଡଲାଇନ୍ ପ୍ରସ୍ତୁତି କରାଯାଇନାହିଁ । ଆସନ୍ତା ୨୭ ତାରିଖ ସୁଦ୍ଧା ପଂଚାୟତ ସ୍ତରରେ ହେଉଥିବା ଯାଂଚ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୩୧ ତାରିଖ ସୁଦ୍ଧା ବ୍ଲକ ଏବଂ ପଂଚାୟତ ସ୍ତରରେ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଶେଷ ହେବ । ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବାଦ ନପଡନ୍ତି , ସେ ଦିଗ ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।

୭୨ ପ୍ରତିଶତ ହିତାଧିକାରୀଙ୍କ ଯାଞ୍ଚ ସରିଥିବା ବେଳେ ୧୪ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା ବାକି ଅଛି । ତେଣୁ ଆହୁରି ଅନେକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେବା ଆଶଙ୍କା ରହିଛି । ଗୋଟିଏ ପଟେ ମୋଟ ୭୫ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଟଙ୍କା ଦେବାକୁ ସ୍ଥିର କରିଛନ୍ତି ସରକାର । ଅନ୍ୟପଟେ ଯୋଗ୍ୟ-ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ସରକାର ଛନ୍ଦି ହେଉଛନ୍ତି । ଏହାରି ଭିତରେ ଦ୍ୱିତୀୟ ପର୍ଯ୍ୟାୟ କାଳିଆ ଟଙ୍କା ପାଇବାକୁ ଅପେକ୍ଷା କରିଛନ୍ତି ଚାଷୀ ।