କାଳିଆ କଲ୍ ସେଣ୍ଟର ଦୂର କରୁଛି ହିତାଧିକାରୀଙ୍କ ସନ୍ଦେହ! ପ୍ରତିଦିନ ଆସୁଛି ୩୦ ହଜାରରୁ ଅଧିକ କଲ୍, ଟିକିନିକି ତଥ୍ୟ ଦେଉଛନ୍ତି କର୍ମଚାରୀ

179

କନକ ବ୍ୟୁରୋ : କାଳିଆ ଯୋଜନା ବିଷୟରେ ଲୋକଙ୍କ ସନ୍ଦେହ ଦୂର କରିବା ପାଇଁ ଆରମ୍ଭ ହୋଇଥିବା କଲ୍ ସେଣ୍ଟରକୁ ହଜାର ହଜାର କଲ୍ ଆସୁଛି । ଦିନକୁ ୩୦ ହଜାରରୁ ଅଧିକ କଲ୍ ଆସୁଥିବା ଜଣାପଡିଛି । ଆଉ କଲ୍ ସେଣ୍ଟରରେ ଥିବା କର୍ମଚାରୀ କାଳିଆ ଯୋଜନା ବାବଦରେ ଲୋକଙ୍କୁ ଟିକିନିକି ସୂଚନା ଦେଉଛନ୍ତି ।

ଗାଁ ଗହଳିରୁ କଲ୍ ସେଂଟରକୁ ଘନ ଘନ କଲ୍ ଆସୁଛି । ଲୋକେ ଜାଣିବାକୁ ଚାହୁଁଛନ୍ତି କାଳିଆ ଯୋଜନା ବିଷୟରେ । କଣ ଏହି ଯୋଜନା, କାହାକୁ ଲାଭ ମିଳିବ, କେମିତି ଆବେଦନ କରାଯିବ ଏବଂ ଫର୍ମ କେଉଁଠି ମିଳିବ? ଏମିତି ଅନେକ ପ୍ରଶ୍ନ ରହିଛି ହିତାଧିକାରୀଙ୍କ ମୁହଁରେ । ଆଉ ତାର ଉତର ରଖୁଛନ୍ତି କଲ୍ ସେଂଟରରେ ଥିବା ଗ୍ରାହକ ସେବା କର୍ମଚାରୀ । ଅନେକ ହିତାଧିକାରୀ ଅଭିଯୋଗ ବି କରୁଛନ୍ତି । କାଳିଆ କଲ୍ ସେଂଟରକୁ ଦିନକୁ ୩୦ ହଜାର କଲ୍ ଆସୁଛି ।

ଗଂଜାମରର ଜଣେ ହିତାଧିକାରୀ ପ୍ରଶ୍ନ କରିଥିଲେ , ଆଉ ତାର ଉତର ରଖିଥିଲେ ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନାରେ ହିତାଧିକାରୀଙ୍କୁ ୨୫ ହଜାର ଟଙ୍କା ଯୋଗାଇ ଦିଆଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ଓକାକ୍ ବିଲଡିଂରେ ଗତ ୫ତାରିଖରୁ ଏହି କଲ ସେଂଟର ଖୋଲାଯାଇଛି । ନନଷ୍ଟପ୍ ୨୪ ଘଂଟା କାମ କରୁଛି ଏହି କଲ ସେଂଟର ।

କାଳିଆ ଯୋଜନାର ଲାଭ କିଭଳି ପ୍ରକୃତ ହିତାଧିକାରୀଙ୍କୁ ମିଳିପାରିବ ସେନେଇ ସଚେତନ କରିବା ଏହି କଲ୍ ସେଂଟରର ଉଦ୍ଦେଶ୍ୟ । ଆସନ୍ତା ୨୬ ତାରିଖ ସୁଦ୍ଧା ହିତାଧିକାରୀଙ୍କୁ କାଳିଆ ଯୋଜନା ଟଙ୍କା ମିଳିବ ବୋଲି ସରକାର କହିସାରିଛନ୍ତି । କାଳିଆ ଯୋଜନା ବାବଦରେ ଅଧିକ ଜାଣିବା ପାଇଁ ଟୋଲ ଫ୍ରି ନମ୍ବର ୧୮୦୦୫୭୨୧୧୨୨ରେ କଲ କରି ପୂରା ତଥ୍ୟ ଜାଣି ପାରିବେ ।