ଚିଟଫଣ୍ଡରେ କଳାକାର

31

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ପ୍ରଭାସ ରାଉତଙ୍କ ଓସ୍କାର ଚିଟଫଣ୍ଡ ସଂସ୍ଥାରେ ଟଙ୍କା ଜମା କରିବାକୁ ଓଲିଉଡର ନାମିଦାମୀ କଳାକାରମାନେ ଲୋକଙ୍କୁ ପ୍ରବର୍ତାଇ ଥିଲେ । ସେମାନେ ହେଉଛନ୍ତି ପପୁ ପମପମ୍, ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ଉତମ ମହାନ୍ତି ଓ ଅର୍ଚ୍ଚିତା । ଓସ୍କାର ଦ୍ୱାରା କ୍ଷତିଗ୍ରସ୍ତ ମହାରାଷ୍ଟ୍ରରୁ ଆସିଥିବା କିଛି ଜମାକାରୀ ଆଜି କ୍ରାଇମବ୍ରାଂଚରେ ଏମାନଙ୍କ ନାଁରେ ଅଭିଯୋଗ କରିଛନ୍ତି । ଏପରିକି ଏହି କଳାକାରମାନେ କହିଥିଲେ ଯେ ଓସ୍କାର ଏକ ସରକାରୀ ସଂସ୍ଥା ପରି, ଏଥିରେ ଟଙ୍କା ବିନିଯୋଗ କଲେ ବୁଡିବାର ଭୟ ନାହିଁ । ଗୁଜରାଟର ସୁରଟ ସହରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏମାନେ ଲୋକମାନଙ୍କୁ ଏମିତି ପ୍ରଲୋଭନ ଦେଖାଇଥିଲେ । ଏହି ସଂସ୍ଥାରେ ଟଙ୍କା ବିନିଯୋଗ କଲେ ୩ ବର୍ଷରେ ୨ଗୁଣ ଓ ୬ବର୍ଷରେ ୪ଗୁଣ ମିଳିବ ବୋଲି କୁହାଯାଇଥିଲା ।

ମହାରାଷ୍ଟ୍ରରେ ରହୁଥିବା ଜଣେ ଓଡିଆ ମହିଳା ଓସ୍କାର ଚିଟଫଣ୍ଡ ସଂସ୍ଥାରେ ଲଗାଇଥିଲେ ୫୦ ଲକ୍ଷ ଟଙ୍କା । ତାଙ୍କର ସବୁ ଜମା ଟଙ୍କା ଲଗାଇ ଘର କିଣିବା ପାଇଁ ପ୍ରଭାସ ରାଉତଙ୍କୁ ଦେଇଥିଲେ ଟଙ୍କା । ତେବେ ଏହା ପୂର୍ବରୁ ସୁରାଟର ଏକ କାର୍ଯ୍ୟକ୍ରମରେ ଏହି ଅଭିନେତାଙ୍କ କଥା ,ତାଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲା । ଏମାନେ କହିଥିଲେ ଓସ୍କାର ଏକ ସରକାରୀ ସଂସ୍ଥା ଭଳି । ଏଠାରେ ଟଙ୍କା ଲଗାଇଲେ ବୁଡିବାର ଭୟ ନାହିଁ । ଏପରିକି ମୃତ୍ୟୁ ପରେ ବି ଇନସ୍ୟୁରାନ୍ସ କଂପାନୀ ଭଳି ଟଙ୍କା ମିଳିବ । ଓସ୍କାର ଚିଟଫଣ୍ଡ ସଂସ୍ଥା ଦ୍ୱାରା ଠକେଇର ଶିକାର ହୋଇଥିବା ମହାରାଷ୍ଟ୍ରର ଏହି ଲୋକମାନେ ଓଡିଶା ଆସି କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଛନ୍ତି । ଏହି ଲୋକଙ୍କ କାହାଣୀ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ । ମୂଲିଆ ବା କୃଷକ ଭାବେ କାମ କରୁଥିବା ଏହି ଲୋକେ ସବୁ କିଛି ଲଗାଇ ଦେଇଥିଲେ ଓସ୍କାର ଚିଟଫଣ୍ଡ ସଂସ୍ଥାରେ ।

ସବୁଠାରୁ ବଡ ପ୍ରଶ୍ନ ହେଉଛି ଏମାନଙ୍କ ଅଭିଯୋଗ ସତ କି? ଏହି କଳାକାରମାନେ ପ୍ରକୃତରେ ଓସ୍କାର ଚିଟଫଣ୍ଡରେ ଟଙ୍କା ଜମା କରିବାକୁ ଓକିଲାତି କରିଥିଲେ କି ? ଯଦି ଏହା ସତ ହୋଇଥାଏ ତେବେ ତାହା ସାଂଘାତିକ ନିଶ୍ଚୟ ।