ପାଦରେ ନଥିଲା ଚପଲ , ପାଖରେ ନଥିଲା ଟଙ୍କା ! ଆମ୍ବ ବିକ୍ରି କରି ପାଠ ପଢିଥିଲେ ଇସ୍ରୋ ମୁଖିଆ, ଏବେ ଜଗତ କରୁଛି ସଲାମ୍

4,740

ମିଶନ୍ ଚନ୍ଦ୍ରଯାନ-୨ ଚନ୍ଦ୍ରରେ ଲ୍ୟାଣ୍ଡ ହେବା ପୂର୍ବରୁ ବିକ୍ରମ ଲ୍ୟାଣ୍ଡର୍ ସହ ଇସ୍ରୋର ସଂପର୍କ କଟିଯାଇଥିଲା । ଏହାସତ୍ତେ୍ୱ ଭାରତ ଚନ୍ଦ୍ରରେ ଦକ୍ଷିଣ ଧ୍ରୁବ ପାଖରେ ପହଁଚି ଇତିହାସ ରଚିଥିଲା । କିନ୍ତୁ ଏହି ସମୟରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କରି କାନ୍ଦିବାକୁ ଲାଗିଥିଲେ । ସେ ଆଉ କେହି ନୁହନ୍ତି ଇସ୍ରୋ ପ୍ରମୁଖ କେ.ସିବନ୍ । ଏହି ବ୍ୟକ୍ତିଜଣକ ସେହି କାର୍ଯ୍ୟକୁ କରିବାର ସାହସ ଦେଖାଇଲେ ଯାହାକୁ କରିବା କଥା କେହି ଚିନ୍ତା ବି କରିପାରିବେ ନାହିଁ । ନିଜ ପ୍ରୟାସରେ ସଫଳ ହୋଇନଥିଲେ ମଧ୍ୟ ତାଙ୍କ କଠିନ ପରିଶ୍ରମର ଉଦାହରଣ ଏବେ ପୁରା ବିଶ୍ୱ ଦେଉଛି ।

କେ . ସିବନ୍ ଙ୍କ ପୁରା ନାଁ କୈଲାଶାବାଦିୱୋ ସିବନ୍ । କନ୍ୟାକୁମାରୀର ସରକ୍କାଲବିଲାଇ ଗ୍ରାମରେ ଏକ ଗରିବ ପରିବାରରେ ଜନ୍ମିଥିବା କେ.ସିବନ୍ ଙ୍କ ପାଠପଢା ପାଇଁ ବି ଘରେ ଟଙ୍କାଟିଏ ନଥିଲା । ସେ ଗାଁର ସରକାରୀ ସ୍କୁଲରେ ପାଠ ପଢିଥିଲେ ଏବଂ ଆଗକୁ ପଢିବା ପାଇଁ ତାଙ୍କ ପାଖରେ ଟଙ୍କା ନ ଥିବାରୁ ସେ ପାଖ ବଜାରରେ ଆମ୍ବ ବିକ୍ରି କରିଥିଲେ । ସେଥିରୁ ଯାହା ରୋଜଗାର ହେଉଥିଲା ତାହା ସେ ପାଠପଢା ଖର୍ଚ୍ଚରେ ଲଗାଉଥିଲେ । ଇସ୍ରୋ ଚେୟାରମ୍ୟାନ୍ ହେବା ପରେ ଏକ ଇଂରାଜୀ ଖବରକାଗଜକୁ ସାକ୍ଷାତକାର ଦେଇ ସେ ଏକଥା କହିଥିଲେ । ଆମ୍ବ ବିକ୍ରି କରି ସେ ଯୁକ୍ତ ୨ ପାସ୍ କରିଥିଲେ । କିନ୍ତୁ ସ୍ନାତକ ପାଇଁ ତାଙ୍କୁ ଅଧିକ ଟଙ୍କାର ଆବଶ୍ୟକତା ଥିଲା । ଟଙ୍କା ଅଭାବରୁ ତାଙ୍କ ବାପା କନ୍ୟାକୁମାରୀ ନାଗରକୋଇଲ୍ ହିନ୍ଦୁ କଲେଜରେ ତାଙ୍କ ନାଁ ଲେଖାଇଥିଲେ । ଗଣିତ ବିଷୟରେ ଯେତେବେଳେ ସେ ସ୍ନାତକ କରିବା ପାଇଁ କଲେଜ୍ ପହଁଚିଲେ ପ୍ରଥମଥର ପାଇଁ ଚପଲ ପିନ୍ଧିଥିଲେ । ଧୋତି-କୁର୍ତ୍ତା ସାଙ୍ଗକୁ ଚପଲ ପିନ୍ଧି ସେ ଗ୍ରାଜୁଏଟ୍ ପାସ୍ କଲେ । ଗଣିତରେ ୧୦୦ ରୁ ୧୦୦ ନମ୍ବର ରଖି ସେ ପରିବାରର ପ୍ରଥମ ଗ୍ରାଜୁଏଟ୍ ହେଲେ ।

ଗଣିତ ପରେ ବିଜ୍ଞାନ ପଢିବା ପାଇଁ ସେ ଏମଆଇଟି ପହଁଚିଲେ । ଯେଉଁଠାରେ ତାଙ୍କୁ ସ୍କଲାରସିପ୍ ମିଳିଲା ଏବଂ ସେ ଏରୋନାଟିକଲ୍ ଇଞ୍ଜିନିୟରିଂରେ ବିଟେକ୍ କଲେ । ଆଇଆଇଏସ୍ ବାଙ୍ଗାଲୋରରୁ ଏରୋନାଟିକଲ୍ ଇଞ୍ଜିନିୟରିଂ କରି ବାହାରିଲା ବେଳକୁ ସେ ଜଣେ ବୈଜ୍ଞାନିକ ହୋଇ ବାହାରିଲେ । ପ୍ରଥମେ ସେ ଇସ୍ରୋରେ ପିଏସଏଲବି (ପୋଲର୍ ସାଟେଲାଇଟ୍ ଲଞ୍ଚ୍ ୱିକଲ୍)ପ୍ରସ୍ତୁତ କରିବାରେ ଚାକିରୀ ଆରମ୍ଭ କଲେ । କେ.ସିବନ୍ ଏବଂ ତାଙ୍କ ଟିମ୍ ଏହି କାମରେ ସଫଳ ହୋଇଥିଲେ । “ ସିତାରା” ନାମକ ଏକ ସଫ୍ଟୱେୟାର୍ ରକେଟ୍ କକ୍ଷରେ ସ୍ଥାପନ କରିବା ପାଇଁ କେ.ସିବନ୍ ପ୍ରସ୍ତୁତ କରିଥିଲେ । ତାଙ୍କର ଏହି ସଫ୍ଟୱେୟାର୍ ସଫଳ ହେବା ସହ ଭାରତୀୟ ବୈଜ୍ଞାନିକ ଜଗତରେ ଏହାର ଚର୍ଚ୍ଚା ହେବାକୁ ଲାଗିଲା । ଏହାପରେ ଭାରତୀୟ ବୈଜ୍ଞାନିକ ଜିଏସଏଲବି ପ୍ରସ୍ତୁତ କରି ଟେଷ୍ଟିଙ୍ଗ୍ କରିବା ସମୟରେ ଏଥିରେ ଅସଫଳ ରହିଥିଲେ ଯାହାକୁ କେ.ସିବନ୍ ସଫଳ କରି ଦେଖାଇଥିଲେ । ଯାହାପରେ ତାଙ୍କୁ ଇସ୍ରୋର “ରକେଟ୍ ମ୍ୟାନ୍” ବୋଲି କୁହାଗଲା । ୨୦୦୬ ରେ ସେ ଏୟାରସ୍ପେଶ୍ ଇଞ୍ଜିନିୟରିଂ ଆଇଆଇଟି ବମ୍ବେରୁ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିଲେ । ଏହାପରେ ତାଙ୍କୁ ଇସ୍ରୋର ପ୍ରମୁଖ ପଦବୀ ଦିଆଯାଇଥିଲା । ୨୦୧୪ ଜୁଲାଇ ୨ ରେ ମାତ୍ର ୧ ବର୍ଷ ମଧ୍ୟରୁ କମ୍ ସମୟରେ ତାଙ୍କୁ ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରର ମୁଖ୍ୟ କରାଗଲା । ଏହି ସ୍ପେଶ୍ ସେଣ୍ଟରର କାମ ସାଟେଲାଇଟ୍ କୁ ଅନ୍ତରୀକ୍ଷରେ ପଠାଇବା ଅର୍ଥାତ୍ ରକେଟ୍ ତିଆରି କରିବା ।