ହାଇଦ୍ରାବାଦ ଏନକାଉଣ୍ଟର ପରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବଡ ବୟାନ । କହିଲେ, ପ୍ରତିଶୋଧ ଭାବନାରେ ଦିଆଯାଇଥିବା ନ୍ୟାୟ ‘ନ୍ୟାୟ’ ନୁହେଁ ।

2,240

କନକ ବ୍ୟୁରୋ : ହାଇଦ୍ରାବାଦ ଦିଶା ଦୁଷ୍କର୍ମକାରୀଙ୍କୁ ପୋଲିସର ଏନକାଉଣ୍ଟରକୁ ନେଇ ବଡ ବୟାନ ରଖିଛନ୍ତି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଅରବିନ୍ଦ ବୋବଡେ । ଯୋଧପୁରର ଏକ କାର୍ଯ୍ୟକ୍ରମରେ ଅରବିନ୍ଦ କହିଛନ୍ତି ଯେ, ନ୍ୟାୟ ପ୍ରକ୍ରିୟାରେ ତରବର ହେବା ଉଚିତ ନୁହେଁ । ତରବରିଆ ଭାବେ ନ୍ୟାୟ ପ୍ରଦାନ କରିବା ଠିକ୍ ନୁହେଁ । ଆଉ ଯଦି ପ୍ରତିଶୋଧ ଭାବନା ନେଇ ନ୍ୟାୟ ପ୍ରଦାନ କରାଯାଏ ତେବେ ତାହା ନ୍ୟାୟ ନୁହେଁ ।

ଯୋଧପୁରରେ ରାଜସ୍ଥାନ ହାଇକୋର୍ଟର ନୂଆ ବିଲ୍ଡିଂ ଉଦଘାଟନ ସମାରୋହରେ ଜଷ୍ଟିସ ବୋବଡେ କହିଛନ୍ତି, ମୁଁ ଭାବୁନାହିଁ ଯେ ନ୍ୟାୟ ପ୍ରଦାନରେ ତରବର ହେବା ଉଚିତ୍ । ଯଦି ପ୍ରତିଶୋଧ ଭାବନାରେ ନ୍ୟାୟ ଦିଆଯାଏ ତେବେ ଏହାର ମୂଳ ସ୍ୱରୂପ ନଷ୍ଟ ହୋଇଯାଏ ।

ଗତକାଲି ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ । ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ଡେମୋ ଦେଖାଇବାକୁ ଅଭିଯୁକ୍ତଙ୍କୁ ନିଆଯାଇଥିବା ବେଳେ ସେଠାରେ ସେମାନେ ପୋଲିସ ଉପରେ ଆକ୍ରମଣ କରି ଖସିଯିବାକୁ ଚେଷ୍ଟା କରିଥିଲେ । ଆଉ ଆତ୍ମରକ୍ଷା ପାଇଁ ପୋଲିସ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା । ଆଉ ଏନକାଉଣ୍ଟରକୁ ନେଇ ପୂରା ଦେଶବାସୀ ହାଇଦ୍ରାବାଦ ପୋଲିସକୁ ପ୍ରଂଶସାରେ ପୋତି ପକାଇଥିବା ବେଳେ କିଛି ଲୋକ ଏହି ଏନକାଉଣ୍ଟର ଉପରେ ପ୍ରଶ୍ନ ମଧ୍ୟ ଉଠାଇଥିଲେ ।