ଶପଥ ନେଲେ ମୁଖ୍ୟ ବିଚାରପତି ! ହାଇକୋର୍ଟର ୩୦ତମ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ କଳ୍ପେଶ ଜାଭେରୀ ।

41

କନକ ବ୍ୟୁରୋ: ଶପଥ ନେଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ହାଇକୋର୍ଟର ୩୦ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ଗ୍ରହଣ କଲେ ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ । ଆଜି ଅପରାହ୍ନ ୪ଟାରେ ହାଇକୋର୍ଟ ପରିସରରେ ଏକ ସ୍ୱତନ୍ତ୍ର ଉତ୍ସବରେ ଜଷ୍ଟିସ ଜାଭେରୀ ଶପଥ ଗ୍ରହଣ କରିଛନ୍ତି ।

ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସୁପ୍ରିମକୋର୍ଟକୁ ଜଷ୍ଟିସ ବିନୀତ ଶରଣଙ୍କ ପଦୋନ୍ନତି ପରେ ଜଷ୍ଟିସ ଜାଭେରୀଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ତେବେ ଶପଥ ଗ୍ରହଣ ପୂର୍ବରୁ ଜଷ୍ଟିସ ଜାଭେରୀ ଗତକାଲି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ।

୧୯୫୮ ମସିହା ଜାନୁଆରୀ ମାସ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ଜାଭେରୀ । ବିଏସସି ପରେ ଏଲଏଲବି ପାଠ୍ୟକ୍ରମ ଶେଷ କରଥିଲେ । ଏହାପରେ ୧୯୮୩ରୁ ଗୁଜରାଟ ହାଇକୋର୍ଟରୁ ଓକିଲାତି ଆରମ୍ଭ କରିଥିଲେ । ଓକିଲାତି କରିବା ସମୟରେ ୧୯୮୪ରେ ଗୁଜରାଟ ବାର ଆସୋସିଏନ ନିର୍ବାଚନରେ ଯଗ୍ମ ସମ୍ପାଦକଭାବେ ନିର୍ବାଚିତ ହୋଇଥିଲେ । ୧୯୮୮ରୁ ୧୯୯୦ ଯାଏଁ ସଂପାଦକ ଭାବେ କାର୍ୟ୍ୟ ତୁଲାଇଥିଲେ । ୨୦୦୪, ମାର୍ଚମାସ ୭ ତାରିଖରେ ଜଷ୍ଟିସ ଜାଭେରୀଙ୍କୁ ଗୁଜରାଟ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା । ୨୦୦୫ରେ ସେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୨୦୧୬ରେ ଜାଭେରୀଙ୍କ ରାଜସ୍ଥାନ ହାଇକୋର୍ଟଙ୍କୁ ବଦଳି ହୋଇଥିଲା ।