ଆଉ କିଛି ସମୟ ପରେ ଓଡିଶା ଆସିବେ ମୋଦି: ଅପରାହ୍ନ ୨ଟା ୫୦ରେ ଭୁବନେଶ୍ୱରରେ ପହଁଞ୍ଚି ବାତ୍ୟା ପ୍ରଭାବିତ ଅଂଚଳର କରିବେ ଅନୁଧ୍ୟାନ; କ୍ଷୟକ୍ଷତି ନେଇ କରିବେ ସମୀକ୍ଷା

212

କନକ ବ୍ୟୁରୋ: ଆଉ କିଛି ସମୟ ପରେ ଓଡିଶାରେ ଆସି ପହଁଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମବଂଗରେ ବାତ୍ୟା ସମୀକ୍ଷା କରିବା ପରେ ଭୁବନେଶ୍ୱର ଅଭିମୁଖେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଅପରାହ୍ନ ୨ଟା ୫୦ମିନିଟରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଆଗରୁ ବିମାନବନ୍ଦରରେ ପହଁଚି ପୋଲିସ ଡିଜି, ମୁଖ୍ୟ ଶାସନ ସଚିବ, ଅନ୍ୟ ବରିଷ୍ଠ ଅଧିକାରୀ ସମସ୍ତ ପ୍ରସ୍ତୁତି ତଦାରଖ କରିଛନ୍ତି । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ଅପରାହ୍ନ ୨ଟା ୫୦ରେ ପହଁଚିବେ ମୋଦି । ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସହ ଆକାଶ ମାର୍ଗରୁ ବାତ୍ୟା ଅଂଚଳ ପରିଦର୍ଶନ କରିବେ । ରାଜ୍ୟର ୪ଟି ଜିଲ୍ଲା ବିଶେଷ ଭାବେ ସାମୁଦ୍ରକି ବାତ୍ୟା ଅମ୍ଫାନ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି । ଏହି ସବୁ ଅଂଚଳ ଆକାଶମାର୍ଗରୁ ଦେଖିବା ପରେ ବିମାନ ବନ୍ଦରରେ ବାତ୍ୟା କ୍ଷୟକ୍ଷତି ସଂପର୍କରେ ଆଲୋଚନା କରିବେ । ଭୁବନେଶ୍ୱର ବିମାନ ବନ୍ଦରରେ ହେବ ଏହି ବୈଠକ ।

ସେପଟେ, ଆକାଶମାର୍ଗରୁ ବାତ୍ୟାଂଚଳ ପରିଦର୍ଶନ କରିବା ପରେ ପଶ୍ଚିମବଙ୍ଗ ପାଇଁ ଆଗୁଆ ହଜାରେ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ଷୟକ୍ଷତିର ଆକଳନ ପରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି । କହିଛନ୍ତି, ପଶ୍ଚିମବଙ୍ଗ କିଭଳି ଖୁବଶୀଘ୍ର ପୁଣି ଆଗକୁ ବଢ଼ିବ ସେଥିପାଇଁ ସାରାଦେଶ ସେମାନଙ୍କ ସହିତ ଅଛି । ଖୁବ୍ ଶୀଘ୍ର କେନ୍ଦ୍ର ସରକାରଙ୍କ ଏକ ଟିମ ଆସି କ୍ଷୟକ୍ଷତିର ସମସ୍ତ ପ୍ରକାର ଆକଳନ କରିବେ । କେନ୍ଦ୍ରୀୟ ଟିମର ରିପୋର୍ଟ ପରେ ରାଜ୍ୟକୁ ସମସ୍ତ ପ୍ରକାର ସହଯୋଗ ଦିଆଯିବ । ଏବଂ ପୁନଃରୁଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟକୁ ଗୁରୁତ୍ୱ ଦିଆଯିବ । ଏଥିସହ ବାତ୍ୟା ଅମ୍ଫାନରେ ଜୀବନ ଯାଇଥିବା ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଏବଂ ଏଭଳି ଦୁଃଖ ସମୟରେ କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।