ସାଂସଦ ପ୍ରାର୍ଥୀଙ୍କ ଫେକ୍ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲା । ଭୁବନେଶ୍ୱରରୁ ସାମ୍ବାଦିକ ସୀମାଞ୍ଚଳଙ୍କୁ ଗିରଫ କଲା ପୋଲିସ ।

1,007

କନକ ବ୍ୟୁରୋ : ସାଂସଦ ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କ ତଥାକଥିତ ଅଶ୍ଲୀଳ ଭିଡିଓ ଭାଇରାଲ ଘଟଣାରେ ବନ୍ଧା ହେଲେ ଆଉ ଜଣେ ସାମ୍ବାଦିକ । ଗିରଫ ସାମ୍ବାଦିକ ଜଣଙ୍କ ହେଉଛନ୍ତି ସୀମାଞ୍ଚଳ ପାତ୍ର । ସୀମାଂଚଳଙ୍କୁ ମିଶାଇ ଏହି ଘଟଣାରେ ମୋଟ ୫ ଜଣ ଗିରଫ ହୋଇଛନ୍ତି । ଗତ ୧୫ ତାରିଖରେ ଏଟିଆର ୱେବ୍ ଚ୍ୟାନେଲ୍ ରିପୋର୍ଟର ପ୍ରଶାନ୍ତ ମିଶ୍ରଙ୍କୁ ଗିରଫ କରାଯାଇଥିଲା । ଏପରିକି ପ୍ରଶାନ୍ତଙ୍କୁ ଗିରଫ କରିବା ପରେ ତାଙ୍କୁ ରିମାଣ୍ଡରେ ନେଇଥିଲା ପୋଲିସ । ଆଉ ପ୍ରଶାନ୍ତଙ୍କୁ ପଚରାଉଚରା ପରେ ସୀମାଞ୍ଚଳଙ୍କୁ ଗିରଫ କରିଛି ପୋଲିସ ।

ପୂର୍ବରୁ ଗିରଫ ୪ ଅଭିଯୁକ୍ତଙ୍କ ଜାମିନ ଆବେଦନ ଆଜି ଖାରଜ ହୋଇଛି । ସେମାନଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି କେନ୍ଦୁଝର ସେସନ କୋର୍ଟ । ସୀମାଞ୍ଚଳଙ୍କ ଗିରଫକୁ ନେଇ କେଉଁଝର ଏସଡିପିଓ କହିଛନ୍ତି, ସୀମାଞ୍ଚଳ ଏହି ଫେକ୍ ଭିଡିଓ ଏଟିଆର ୱେବ ପୋର୍ଟାଲର ସାମ୍ବାଦିକ ପ୍ରଶାନ୍ତଙ୍କୁ ଦେଇ ଏହାକୁ ପ୍ରସାରଣ କରିବାକୁ କହିଥିଲେ । ତେବେ ଏହି ଭିଡିଓର କୌଣସି ସତ୍ୟତା ନ ପରଖି ଏହାକୁ ଏଟିଆର ୱେବସାଇଟରେ ପ୍ରସାରଣ କରି ଏହାକୁ ଭାଇରାଲ କରିଥିଲେ ପ୍ରଶାନ୍ତ । ଯାହାକୁ ନେଇ ପ୍ରଶାନ୍ତଙ୍କୁ ପୂର୍ବରୁ ପୋଲିସ ଗିରଫ କରିଛି ।

କେନ୍ଦୁଝର ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କ ବଦନାମ କରିବା ପାଇଁ ଏଭଳି ଭିଡିଓ ଭାଇରାଲ କରାଯାଇଥିଲା । ଏହି ଭିଡିଓ ପ୍ରାୟୋଜିତ, ଘଟଣାରେ ସତ୍ୟତା ନଥିବା ଅଭିଯୋଗ ହେବା ପରେ ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି ।