ନରମିଲେ ଜେଏନୟୁ ଛାତ୍ରଛାତ୍ରୀ! ଅଟକ ରଖିଥିବା ଛାତ୍ରନେତାଙ୍କୁ ମୁକ୍ତ କଲା ପୋଲିସ୍, କ୍ୟାମ୍ପସକୁ ଫେରିବାକୁ ରାଜି ହେଲେ ଛାତ୍ରଛାତ୍ରୀ ।

193

କନକ ବ୍ୟୁରୋ: ଶାନ୍ତ ପଡ଼ିଲେ ଜେଏନୟୁ ଛାତ୍ରଛାତ୍ରୀ । ଧର୍ମଘଟ କରୁଥିବା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ଛାତ୍ରଛାତ୍ରୀମାନେ କ୍ୟାମ୍ପକୁ ଫେରିବାକୁ ରାଜି ହୋଇଛନ୍ତି । ଅଟକ ରଖାଯାଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁଲିସ ଛାଡିଦେବା ପରେ ଛାତ୍ରଛାତ୍ରୀମାନେ ସେମାନେ ଫେରିବାକୁ ରାଜି ହୋଇଛନ୍ତି ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

ବର୍ଦ୍ଧିତ ଫି ପ୍ରତ୍ୟାହାର ଦାବିରେ ଆଜି ଛାତ୍ରଛାତ୍ରୀମାନେ ସଂସଦ ଭବନ ଆଡକୁ ଯାଉଥିବାବେଳେ ପୁଲିସ ସେମାନଙ୍କୁ ଅଟକାଇବା ସହ କେତେକ ଅନ୍ଦୋଳନକାରୀଙ୍କୁ ଅଟକ ରଖିଥିଲା । ଏହା ଫଳରେ ଆନ୍ଦୋଳନ ଆହୁରି ଉଗ୍ରରୂପ ଧାରଣ କରିଥିଲା । ମୁକ୍ତ ହୋଇଥିବା ନେତାମାନେ ଏବେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କ ସହ ଆଲୋଚନା କରୁଛନ୍ତି ।

ତେବେ ଆଜି ସକାଳୁ ସକାଳୁ ଜେଏନୟୁ ପରିସରରୁ ସଂସଦ ଭବନ ଯାଏଁ ରାଲିରେ ବାହାରିଥିଲେ ଆନ୍ଦୋଳନରତ ଛାତ୍ରଛାତ୍ରୀ । ଜେଏନୟୁ ଉତର ଗେଟର ବ୍ୟାରିକେଡ ଭାଙ୍ଗି ମାର୍ଚ୍ଚକୁ ଆଗକୁ ବଢାଇଛନ୍ତି । ବ୍ୟାରିକେଡ ଭାଙ୍ଗି ଆଗକୁ ବଢୁଥିବା ଛାତ୍ରଙ୍କ ମଧ୍ୟରୁ ପ୍ରାୟ ୨ଶହ ଛାତ୍ରଛାତ୍ରୀଙ୍କୁ ପୋଲିସ ଅଟକ ରଖିଥିଲା । ସେପଟେ ଜେଏନୟ୍ରୁ କ୍ୟାମ୍ପସ ବାହାରେ ୧୪୪ ଧାରା ଜାରି କରାଯାଇଛି । ବିଶ୍ୱବିଦ୍ୟାଳୟ ପରିସରକୁ ଘେରି ରହିଛି ଦିଲ୍ଲୀ ପୁଲିସ । ବ୍ୟାପକ ଫୋର୍ସ ମୁତୟନ ହେବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।