ଆତଙ୍କୀ ଜାକିର ମୁଶାଙ୍କୁ ଖସିଯିବାରେ ସହାୟତା କଲେ ପଥର ଫିଙ୍ଗାଳି

56

କନକ ବ୍ୟୁରୋ: ଶୁକ୍ରବାର ସନ୍ଧ୍ୟାରେ ତ୍ରାଲ୍ ଅଞ୍ଚଳର ନିଜ ଗାଁ’ ନୂରପୋରାର ଏକ ବାସଭବନରେ ଜାକିର ମୁଶା ଏବଂ ତା’ର ସହଯୋଗୀକୁ କାବୁ କରାଯିବାକୁ ଉଦ୍ୟମ କରାଯିବାବେଳେ ତୀବ୍ର ସଂଘର୍ଷ ଉପୁଜିଥିଲା ।

ସେ ଯାହାହେଉ, କିଛି ସମୟ ପରେ ପଥର ଫିଙ୍ଗା ବନ୍ଦ ହୋଇ ଯାଇଥିଲା ଏବଂ ଜାକିର ମୁଶା ଏବଂ ତା’ର ସହଯୋଗୀ ଛପିଥିବା ଘରୁ ଆଉ ଗୁଳିଗୋଳା ଫୁଟି ନ ଥିଲା । ନୂରପୋରା ଗାଁ’ରୁ ଆତଙ୍କବାଦୀମାନେ ଖସି ନ ଯାଇ ପାରିବାକୁ ନିରାପତ୍ତା ବଳ ପୀର ମହଲା, ଶାହା ମହଲା, ଡଗରପୋରା ଏବଂ ନୂରପୋରା ଆଦି ଚାରିଟି ଗାଁ’କୁ କର୍ଡନ୍ କରିଥିଲେ ।

ଗୁଇନ୍ଦା ଖବର ଅନୁସାରେ, ଜାକିର ମୁଶା ଏବଂ ତା’ର ସହଯୋଗୀ ନୂରପୋରାର ସେ ବାସଭବନରେ ଥିଲେ । କିନ୍ତୁ, କୌଣସିମତେ ସେମାନେ ଖସି ଯିବାକୁ ସମର୍ଥ ହୋଇଥିଲେ । ଅନ୍ଧକାର ଯୋଗୁଁ ନିରାପତ୍ତା ବଳ ସେମାନଙ୍କର ଆତଙ୍କ ବିରୋଧୀ ଅଭିଯାନ ସ୍ଥଗିତ ରଖିଥିଲେ । ତେବେ ଶନିବାର ସକାଳେ ପୁଣି ସେମାନେ ସେ ସନ୍ଦିଗ୍ଧ ଘରେ ତଲାସ କରି ପାରନ୍ତି ।

ପୁଲିସ ସୂଚନା ମୁତାବକ, ଜାକିର ମୁଶାଙ୍କ ସହ ଅନ୍ୟୂନ ତିନି ଜଣ ଆତଙ୍କବାଦୀ ଉପସ୍ଥିତ ଥିବା କଥା ନିରାପତ୍ତା ବଳ ସନ୍ଦେହ କରୁଛନ୍ତି । ୪୨ଆରଆର୍, ୧୩୦ ସିଆରପିଏଫ୍ ଏବଂ ଏସଓଜି ଅବନ୍ତୀପୋରା ନୂରପୋରା ଗାଁ ସିଜ୍ କରି ତଲାସ ଆରମ୍ଭ କରିଥିଲେ । ତଲାସବେଳେ ସ୍ଥାନୀୟ ଲୋକେ ନିରାପତ୍ତା ବଳ ଉପରକୁ ପଥର ଫିଙ୍ଗିବାରୁ ସେମାନେ ଲୁହବୁହା ବାସ୍ପ ପ୍ରୟୋଗ କରିଥିଲେ । ସଂଘର୍ଷ ସତ୍ତ୍ୱେ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଚାଲିଥିଲା । କିନ୍ତୁ, କିଛି ସମୟ ପରେ ପଥର ଫିଙ୍ଗାଳିମାନେ ଛତ୍ରଭଙ୍ଗ ଦେଇଥିଲେ ଏବଂ ଆତଙ୍କ ନିରୋଧୀ ବଳଙ୍କ ପ୍ରତି ଆଉ କୌଣସି ବିଘ୍ନ ଘଟାଇ ନ ଥିଲେ । ତେବେ ଜାକିର ମୁଶା ଏହି ସୁଯୋଗରେ ଖସି ଯାଇଥିବାର ଖବର ମିଳୁଥିଲେ ମଧ୍ୟ କୌଣସି ଅଧିକାରୀ ଏ କଥା ଘୋଷଣା କରି ନାହାନ୍ତି।