ଲୋକଙ୍କ ମନ ଜଣିବାକୁ କଂଗ୍ରେସ ପ୍ରଭାରୀଙ୍କ ନୂଆ ଫର୍ମୁଲା ! ଏସି ଗାଡି ଛାଡି ସିଟି ବସରେ ଗଲେ ଜିତେନ୍ଦ୍ର ସିଂହ, ରାଜ୍ୟ କଂଗ୍ରେସର ସ୍ଥିତି ନେଇ ଲୋକଙ୍କ ସହ କଲେ ଆଲୋଚନା

50

କନକ ବ୍ୟୁରୋ : ଲୋକଙ୍କ ପାଖରେ ପହଞ୍ଚିବାକୁ ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଭିନ୍ନ ପ୍ରୟାସ । ଆଉ ଏଥିପାଇଁ ଏସି ଗାଡି ଛାଡି ସିଟି ବସରେ ଯାତ୍ରା କରିଛନ୍ତି ଜିତେନ୍ଦ୍ର । ଓଡିଶାରେ କଂଗ୍ରେସର ସ୍ଥିତି କଣ , ଲୋକ ମାନଙ୍କ ମନରେ କଂଗ୍ରେସ ପ୍ରତି କଣ ଧାରଣା ରହିଛି ଜାଣିବା ପାଇଁ ଜିତେନ୍ଦ୍ର ସିଟି ବସରେ ଯାତ୍ରା କରିଥିଲେ । ଆଉ ଜିତେନ୍ଦ୍ରଙ୍କୁ ପାଖରେ ଦେଖି ସିଟି ବସରେ ଯାତ୍ରା କରୁଥିବା ଯାତ୍ରୀ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

jitendra-singhଘଟଣା ଅନୁଯାୟୀ, ୨୦୧୯ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ମାରାଥନ ବୈଠକ ଚାଲିଥିବା ବେଳେ ଓଡିଶାରେ ଡେରା ପକାଇଛନ୍ତି ଜିତେନ୍ଦ୍ର । ପ୍ରାର୍ଥୀ ତାଲିକା ଠାରୁ ଆରମ୍ଭ କରି ସଙ୍ଗଠନ ସଜାଡିବା ପାଇଁ ଚାଲିଛି ଜୋରଦାର ଉଦ୍ୟମ । ଆଉ ଏହି କ୍ରମରେ ଆଜି କଂଗ୍ରେସ ଭବନରେ ପ୍ରଦେଶ ନିର୍ବାଚନ କମିଟିର ବସିଥିଲା ଦ୍ୱିତୀୟ ବୈଠକ । ତେବେ ବୈଠକ ପୂର୍ବରୁ ପ୍ରଭାରୀ ଜିତେନ୍ଦ୍ରଙ୍କୁ ଆଣିବା ପାଇଁ ସକାଳୁ ଗାଡି ପହଞ୍ଚିଥିଲା କ୍ରାଉନ ହୋଟେଲ ସାମ୍ନାରେ । କିନ୍ତୁ ଏସି ଗାଡି ପରିବର୍ତ୍ତେ ସିଟି ବସରେ ଏକାକୀ ଚଢିଥିଲେ ଜିତେନ୍ଦ୍ର ।

ଓଡିଶାରେ ସାଧାରଣ ଲୋକଙ୍କ ସମସ୍ୟା କଣ ରହିଛି । କଂଗ୍ରେସ ଠାରୁ ଲୋକ କଣ ଆଶା ରଖିଛନ୍ତି, ଓଡିଶାରେ କଂଗ୍ରେସର ସ୍ଥିିତି କଣ ତାହା ଜାଣିବା ପାଇଁ ସିଟି ବସରେ ଚଢିଥିଲେ ଜିତେନ୍ଦ୍ର । ଏପରିକି ନିଜ ସାଥୀରେ କୌଣସି କଂଗ୍ରେସ ନେତାଙ୍କୁ ମଧ୍ୟ ଯିବାକୁ ମନା କରିଥିଲେ ଜିତେନ୍ଦ୍ର । ଆଉ ବସରେ ଜିତେନ୍ଦ୍ରଙ୍କୁ ଦେଖି ଲୋକମାନେ ଆଶ୍ଚଯ୍ୟ ହୋଇଯାଇଥିଲେ । ତେବେ ଯାତ୍ରା ସମୟରେ ସାଧାରଣ ଲୋକଙ୍କ ଭଳି ଯାତ୍ରୀ ମାନଙ୍କ ସହ ଓଡିଶା ରାଜନୀତିକୁ ନେଇ ଆଲୋଚନା ପରେ କଂଗ୍ରେସ ଭବନ ନିକଟରେ ଓହ୍ଲାଇଥିଲେ ଜିତେନ୍ଦ୍ର । ସିଟି ବସରୁ ଜିତେନ୍ଦ୍ରଙ୍କୁ ଓହ୍ଲାଇବା ଦେଖି କଂଗ୍ରେସ ନେତା ମାନେ ମଧ୍ୟ ତାଜୁବ ହୋଇ ଯାଇଥିଲେ । ଆଉ ଏହାକୁ ନେଇ କଂଗ୍ରେସ ଶିବିରରେ ଆରମ୍ଭ ହୋଇଥିଲା ଚର୍ଚ୍ଚା । ପୂର୍ବରୁ ଜିତେନ୍ଦ୍ର ଉପା ସରକାର ସମୟରେ ପ୍ରତିରକ୍ଷା ଏବଂ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଭାବେ ସ୍ୱାଧୀନ ଦାୟିତ୍ୱ ତୁଲାଇଛନ୍ତି । ଏପରିକି ରାହୁଲ ଗାନ୍ଧୀଙ୍କର ଘନିଷ୍ଠ ସହଯୋଗୀ ଭାବେ ଜିତେନ୍ଦ୍ର ଜଣାଶୁଣା । ଖାସ୍ ସେଥିପାଇଁ ଜିତେନ୍ଦ୍ରଙ୍କୁ ଓଡିଶା କଂଗ୍ରେସର ଦାୟିତ୍ୱ ଦେଇଛନ୍ତି ରାହୁଲ । ଆଉ ୨୦୧୯ରେ କଂଗ୍ରେସ ଯେପରି ଅଧିକରୁ ଅଧିକ ଆସନ ଜିତିବ ସେଥିପାଇଁ ଦିନରାତି ଏକ କରି ଦେଇଛନ୍ତି ଜିତେନ୍ଦ୍ର ସିଂ ।