ଜିଓର ମାଗଣା ଯୁଗ ଶେଷ: ଜିଓ ଗ୍ରାହକଙ୍କ ପାଇଁ ବଡ ଘୋଷଣା । ଅନ୍ୟ ନେଟୱର୍କକୁ କଲ କଲେ ପଡିବ ପଇସା । କାଲିଠାରୁ ନୂଆ ନିୟମ

8,011

କନକ ବ୍ୟୁରୋ: ଜିଓର ମାଗଣା ଯୁଗ ଶେଷ । ମାଗଣା ଭଏସ କଲରେ କଟକଣା ଲଗାଇଛି ରିଲାଏନ୍ସ ଜିଓ । ଏଣିକି ଜିଓ ମୋବାଇଲରୁ ଅନ୍ୟ ନେଟୱର୍କକୁ କଲ କଲେ ପଡିବ ପଇସା । ଅଣ- ଜିଓ ମୋବାଇଲକୁ କଲ କଲେ ମିନିଟ ପିଛା ୬ ପଇସା ପଡିବ । ତେବେ ଆସନ୍ତାକାଲି ଠାରୁ ଏହି ନୂଆ ନିୟ୍ମ ଲାଗୁ ହେବ ବୋଲି ଜିଓ ପକ୍ଷରୁ ବଡ ଘୋଷଣା କରାଯାଇଛି ।

ତେବେ ପୂର୍ବପରି ଜିଓରୁ ଜିଓକୁ କଲ ମାଗଣା ରହିବ । ଆଗରୁ ଯେମିତି ଜିଓ ପରିବାର ମଧ୍ୟରେ କଥାବାର୍ତ୍ତା ମାଗଣାରେ ହେଉଥିଲା ତାହା କରିହେବ । ମାତ୍ର ଅଣ ଜିଓକୁ କଲେ ପଇସା ପଡିବ ବୋଲି ଘୋଷଣା କରାଯାଇଛି ।

ତେବେ ଏହି ନୂଆ ନିୟମ କାଲି ଠାରୁ ଲାଗୁ ହେଉଥିବା ବେଳେ ଯେଉଁମାନଙ୍କ ବୈଧତା ଅକ୍ଟୋବର ୧୦ ପର ଯାଏଁ ରହିଛି ସେମାନଙ୍କର କୌଣସି କ୍ଷତି ହେବନି କି ଅନ୍ୟ ନେଟୱର୍କକୁ କଲ କଲେ ୬ ପଇସା କଟିବନି । ମାତ୍ର ଯେଉଁ ଦିନ ଭ୍ୟାଲିଡିଟି ସରିବ ଆଉ ସେ ନୂଆ ରିଚାର୍ଜ କରିବେ ସେବେ ଠାରୁ ଏହି ନିୟମ ସମ୍ପୃକ୍ତ ନମ୍ବରରେ ଲାଗୁ ହେବ ଯାହା କାଲି ଠାରୁ ଲାଗୁ ହେଉଛି ।

ଇଣ୍ଟରକନେକ୍ସନ ୟୁସେଜ୍‌ ଚାର୍ଜେସ ବାବଦରେ କମ୍ପାନି ଏହା ଆଦାୟ କରିବାକୁ ଥିବା ବେଳେ ପ୍ରିପେଡ ଗ୍ରାହକମାନେ ଏକ ଆଇୟୁସି ଟପ-ଅପ ଭାଉଚର ପକାଇ ନନ-ଜିଓ ମୋବାଇଲ ନମ୍ବର( ଏୟାରଟେଲ, ଭୋଡାଫୋନ-ଆଇଡିଆ, ବିଏସଏନଏଲ, ଏମଟିଏନଏଲ) କୁ ପୂର୍ବପରି ମାଗଣାରେ କଲ କରିପାରିବେ ।

ଏସବୁ ଟପ-ଅପ ଭାଉଚର ଗୁଡ଼ିକର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ କରି ୨୦, ୫୦ ଓ ୧୦୦ ଟଙ୍କା ପର୍ୟ୍ୟନ୍ତ ରହିଛି । ଏସବୁ ଟପ-ଅପ ଭାଉଚର ଗୁଡ଼ିକ ମାଧ୍ୟମରେ ମାଗଣା ଡାଟା ମଧ୍ୟ ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ପୋଷ୍ଟପେଡ ଗ୍ରାହକମାନେ ମିନିଟ ପିଛା ୬ ପଇସା ପ୍ରଦାନ କରିବେ । ଜିଓ ପରେ ଅନ୍ୟ ଅପରେଟରମାନେ ମଧ୍ୟ ସମାନ ବ୍ୟବସ୍ଥା ଆରମ୍ଭ କରିବାର ସମ୍ଭାବନା ରହିଛି ।