ବିମାନ ଇନ୍ଧନ ଦର ବଢ଼ିଲା ୬%, ଏଲପିଜି ସିଲିଣ୍ଡର ପ୍ରତି ୧.୫୦ଟଙ୍କା ମହଙ୍ଗା

30

କନକ ବ୍ୟୁରୋ: ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ବିମାନ ଇନ୍ଧନ(ଆଭିଏସନ ଟରବାଇନ ଫୁଏଲ-ଏଟିଏଫ୍) ଦର ରବିବାର ୬ ପ୍ରତିଶତ ବଢ଼ିଥିବା ବେଳେ, ରୋଷେଇ ଗ୍ୟାସ ସିଲିଣ୍ଡର ପ୍ରତି ୧ଟଙ୍କା ୫୦ ପଇସା ବଢ଼ିଛି । ଦେଶର ବଡ଼ ତେଲ ବିପଣନ କମ୍ପାନି ‘ଇଣ୍ଡିଆନ ଅଏଲ କର୍ପୋରେସନ’ କହିବା ଅନୁସାରେ ବର୍ତ୍ତମାନ ଦିଲ୍ଲୀରେ ବିମାନ ଇନ୍ଧନ କିଲୋ ଲିଟର ପ୍ରତି ୫୩,୦୪୫ଟଙ୍କା ହେବ । ପୂର୍ବରୁ ଏହାର ଦର ୫୦,୦୨୯ଟଙ୍କା ଥିଲା । ଅଗଷ୍ଟ ପରେ ୩ୟ ଥର ପାଇଁ ବିମାନ ଇନ୍ଧନ ଦର ବଢ଼ିଥିବା ଜଣାପଡ଼ିଛି । ଗତ ଥର ସେପ୍ଟେମ୍ବର ୧ରେ ଏଟିଏଫ୍ ମୂଲ୍ୟ ୪ପ୍ରତିଶତ(୧,୯୧୦ଟଙ୍କା ଲିଟର ପ୍ରତି) ବଢ଼ିଥିଲା।

ରୋଷେଇ ଗ୍ୟାସ(ଏଲପିଜି) ମୂଲ୍ୟ ସିଲିଣ୍ଡର ପ୍ରତି ୧ଟଙ୍କା ୫୦ପଇସା ବୃଦ୍ଧି ହୋଇଛି । ପୂର୍ବରୁ ସରକାର କହିଛନ୍ତି ଯେ, ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରତି ମାସରେ ଏଲପିଜି ଦର ବଢ଼ିବ । ଦିଲ୍ଲୀରେ ୧୪.୨କିଲୋ ଯୁକ୍ତ ଏଲପିଜି ସିଲିଣ୍ଡର ପ୍ରତି ଉପଭୋକ୍ତାଙ୍କୁ ରବିବାର ଠାରୁ ୪୮୮.୬୮ଟଙ୍କା ଦେବାକୁ ପଡ଼ିବ । ପୂର୍ବରୁ ଏହା ଏଲପିଜି ସିଲିଣ୍ଡର ପ୍ରତି ୪୮୭.୧୮ଟଙ୍କା ଦେବାକୁ ପଡୁଥିଲା ।

ଲୋକସଭାରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଜୁଲାଇ ୩୧ରେ କହିଥିଲେ ଯେ, ସରକାର ତୈଳ କମ୍ପାନିମାନଙ୍କୁ ସବସିଡ଼ି ଦ୍ୱାରା ଯୋଗାଯାଉଥିବା ଗ୍ୟାସ ଦର ବଢ଼ାଇବାକୁ କହିଛନ୍ତି । ଏହି ଦର ମାର୍ଚ୍ଚ ପର୍ଯ୍ୟନ୍ତ ୪ପ୍ରତିଶତ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରଧାନ କହିଥିଲେ । ଅଗଷ୍ଟ ପରେ ସିଲିଣ୍ଡର ପ୍ରତି ଏପର୍ଯ୍ୟନ୍ତ ଗ୍ୟାସ ଦର ୨.୩୧ଟଙ୍କା ବଢ଼ିଛି ।

ପଲିସି ଲାଗୁ ହେବା ପରେ ଏଲ୍ପିଜି ସିଲିଣ୍ଡର ପ୍ରତି ୬୯.୫୦ଟଙ୍କା ବଢ଼ିଛି । ପୂର୍ବରୁ ୨୦୧୬ ଜୁନରେ ଗ୍ୟାସ ସିଲିଣ୍ଡର ପ୍ରତି ୪୧୯.୧୮ଟଙ୍କା ଥିଲା । ସରକାର ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ(ବିପିସିଏଲ) ଓ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡକୁ ଗ୍ୟାସ ଦର ବଢ଼ାଇବାକୁ କହିଥିଲେ ।