ପ୍ରକାଶ ପାଇଲା ଜେଇଇ ମେନ ପରୀକ୍ଷାଫଳ ! ଜାଣନ୍ତୁ ଜେଇଇ ଆଡଭାନ୍ସ ପାଇଁ କେବେ ହେବ ପରୀକ୍ଷା

60

କନକ ବ୍ୟୁରୋ : ପ୍ରକାଶ ପାଇଲା ଜେଇଇ ମେନ-୨୦୧୮ ପରୀକ୍ଷାଫଳ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ବା ସିବିଏସଇ ଜେଇଇ ମେନ୍ ପରୀକ୍ଷାଫଳ ପ୍ରକାଶିତ କରିଛି । ବୋର୍ଡର ଅଧିକାରୀକ ୱେବସାଇଟ ରେ ପରୀକ୍ଷାଫଳ ଦେଖିପାରିବେ ଛାତ୍ରଛାତ୍ରୀ । ଆଜି ସକାଳ ୧୧ଟାରେ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ପୂର୍ବରୁ ବୋର୍ଡ଼ର ୱେବସାଇଟରେ କୁହାଯାଇଥିଲା । କିନ୍ତୁ କୌଣସି କାରଣବସତଃ ବିଳମ୍ବ ହୋଇ ସନ୍ଧ୍ୟା ୬ଟାରେ ପ୍ରକାଶ ପାଇଥିଲା ପରୀକ୍ଷାଫଳ । ତେବେ ଚଳିତ ଥର ଦେଶରେ ମୋଟ ୧୪ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ମେନ ପରୀକ୍ଷା ଦେଇଥିଲେ । ଏଥିମଧ୍ୟରୁ ଓଡ଼ିଶାରୁ ୪୪,୪୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ଚଳିତ ଥର ଉଭୟ ଅଫଲାଇନ ଓ ଅନଲାଇନରେ ପରୀକ୍ଷା କରାଯାଇଥିଲା । ଏପ୍ରିଲ ୮ରେ ଅଫଲାଇନ ପରୀକ୍ଷା ହୋଇଥିବା ବେଳେ ଏପ୍ରିଲ ୧୫-୧୬ ତାରିଖରେ ଅନଲାଇନ ପରୀକ୍ଷା ହୋଇଥିଲା । ଏହାସହ ପରୀକ୍ଷା ପରେ ପରେ ସମସ୍ତ ପ୍ରଶ୍ନର ଉତ୍ତର ଜାରି କରିଥିଲା ବୋର୍ଡ଼ । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଜେଇଇ ଆଡ଼ଭାନ୍ସ ପରୀକ୍ଷାରେ ଭାଗ ନେବାକୁ ପଡ଼ିବ । ଏହି ପରୀକ୍ଷାର ଫଳାଫଳକୁ ନେଇ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ । ମୋଟ ୨,୨୪,୦୦୦ ଛାତ୍ରଛାତ୍ରୀଙ୍କୁ ଜେଇଇ ଆଡଭାନ୍ସ ପରୀକ୍ଷା ଦେବାକୁ ସୁଯୋଗ ମିଳିବ ।

ଜେଇଇ ଆଡଭାନ୍ସ ପରୀକ୍ଷା ମେ ୨୦ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ମେ ୩୧ରେ ପ୍ରକାଶ ପାଇବ ରେଜଲ୍ଟ । ଜେଇଇ ମେନ ରେଜଲ୍ଟ ପ୍ରକାଶିତ ହେବା ପରେ ଜେଇଇ ଆଡ଼ଭାନ୍ସ ପାଇଁ ମେ ପ୍ରଥମ ସପ୍ତାହରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ ।