ଜୟଲଳିତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କଲେ ମାଡ୍ରାସ ହାଇକୋର୍ଟ

22

କନକ ବ୍ୟୁରୋ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଳଳିତାଙ୍କ ମୃତ୍ୟୁକୁ ନେଇ ସସପେନ୍ସ । ଜୟାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ମାଡ୍ରାସ ହାଇକୋର୍ଟ । ଅଧିକ ତଦନ୍ତ ପାଇଁ ଜୟାଲଳିତାଙ୍କ ଶବକୁ କବର ଖୋଳି କାହିଁକି ବାହାର କରାଯାଇପାରିବ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ ପ୍ରଶ୍ନ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସମେତ ଅନ୍ୟାନ୍ୟଙ୍କୁ ନୋଟିସ୍ ଜାରି କରିଛନ୍ତି ଉଚ୍ଚତମ ନ୍ୟାୟାଳୟ।

ଡାକ୍ତରଖାନାରେ ପାଖାପାଖି ୭୫ଦିନ ଚିକିତ୍ସାରେ ରହିବା ପରେ ଡିସେମ୍ବର ୫ତାରିଖରେ ଜୟାଙ୍କୁ ମୃତ ଘୋଷଣା କରାଯାଇଥିଲା । ତେବେ ଏହି ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସମସ୍ତ ତଥ୍ୟ ଗୋପନ ରଖାଯାଇଥିବାକୁ ନାପସନ୍ଦ କରିଛନ୍ତି ମାଡ୍ରାସ ହାଇକୋର୍ଟର ଅବକାଶକାଳୀନ ଖଣ୍ଡପୀଠ ।

ଏଆଇଏଡିଏମକେ କର୍ମୀ ପି.ଏ ଜୋଶେଫ କରିଥିବା ମାମଲାର ଶୁଣାଣି ସମୟରେ ଏହା କହିଛନ୍ତି ବିଚାରପତି ଏସ୍.ବୈଦ୍ୟନାଥନ ଓ ବିଚାରପତି ପାର୍ଥିବନଙ୍କ ଦ୍ୱାରା ଗଠିତ ଅବକାଶକାଳୀନ ଖଣ୍ଡପୀଠ ।

ଜୟଲଳିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଡାକ୍ତରଖାନାରେ ସେ ବୈଠକରେ ମଧ୍ୟ ସାମିଲ ହେଉଥିଲେ ତେବେ ହଠାତ୍ କେମିତି ତାଙ୍କ ମୃତ୍ୟୁ ହେଲା ବୋଲି ମଧ୍ୟ ଖଣ୍ଡପୀଠ କହିଛନ୍ତି ।

ଏପରିକି ତାଙ୍କ ମୃତ୍ୟୁ ପରେ କୌଣସି ମେଡିକାଲ ରେକର୍ଡ ମଧ୍ୟ ଉପଲବ୍ଧ କରାଯାଇନଥିଲା । ୧୯୮୦ରେ ତାମିଲନାଡୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏମ.ଜି ରାମାଚନ୍ଦ୍ରନ ମଧ୍ୟ ଦୀର୍ଘ ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମାମଲାର ଶୁଣାଣି ସମୟରେ ଏହି ଘଟଣାକୁ ମନେ ପକାଇଥିଲେ ବିଚାରପତି । ଏହି ମାମଲାର ପରବର୍ତୀ ଶୁଣାଣିକୁ ଜାନୁଆରୀ ୯ତାରିଖକୁ ସ୍ଥଗିତ କରାଯାଇଛି ।