ପିଲାଟିଏ, ଫୁଲଟିଏ: କୁନି କୁନି କଳିକାଙ୍କୁ ନିଜଠୁ ବି ଅଧିକ ଭଲପାଉଥିଲେ ନେହେରୁ

585

କନକ ବ୍ୟୁରୋ : ଆଜିର ଶିଶୁ, କାଲିର ଭବିଷ୍ୟତ । ଦେଶ ହେଉ ବା ବିଶ୍ୱ, ଏକ ସୁନ୍ଦର ରାଷ୍ଟ୍ର ଗଠନ ଏହି ଶିଶୁମାନେ ହିଁ କରିପାରିବେ । କୁନି କୁନି କଳିକାଙ୍କୁ ଭଲପାଉଥିବା ନେହେରୁ ନିଜ ଜନ୍ମ ଦିନକୁ ଶିଶୁଙ୍କ ପାଇଁ ସମର୍ପିତ କରିଥିଲେ । ତେଣୁ ତ ନଭେମ୍ବର ୧୪କୁ ଶିଶୁ ଦିବସ ଭାବେ ପାଳନ କରାଯାଏ ।

ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଜନନାୟକ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଆଜି ୧୩୦ତମ ଜୟନ୍ତୀ । ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିବା ନେହେରୁଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁଦିବସ ଭାବେ ପାଳନ କରାଯାଉଛି । ୧୮୮୯ ମସିହା ଆଜିର ଦିନରେ ଆହ୍ଲାବାଦରେ ନେହେରୁ ଜନ୍ମଗ୍ରହଣ କରିଥିଲେ । ସେ ଦେଶର ଭବିଷ୍ୟତକୁ ଶିଶୁଙ୍କ ଆଖିରେ ଦେଖୁଥିଲେ । ଏହି ଅବସରରେ ରାଜ୍ୟ ତଥା ସାରା ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକ୍ରମ ହେଉଛି ।

ଆଜିର ଶିଶୁ ଆସନ୍ତା କାଲିର ନାଗରିକ । ଦେଶର ଭବିଷ୍ୟତ ନିର୍ମାଣରେ ଶିଶୁଙ୍କୁ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି କଥାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଥିଲେ ନେହେରୁ । ଫୁଲ ଭଳି ଛୋଟ ପିଲାଙ୍କୁ ସ୍ନେହ କରୁଥିଲେ ଚାଚା ନେହେରୁ । ପ୍ରତି ମୁହୁର୍ତ୍ତରେ ତାଙ୍କ କଥା ଚିନ୍ତା କରୁଥିଲେ । ଦେଶର ଗୌରବ, ଦେଶ ନିର୍ମାଣରେ ତାଙ୍କ ଭୂମିକା ଓ ଅଙ୍ଗୀକାରବଦ୍ଧତାକୁ ବୁଝିଥିଲେ ନେହେରୁ । ତେଣୁ ତ ତାଙ୍କୁ ଆଦରରେ ଚାଚା ବୋଲି ଡକାଯାଏ ।

ଶିଶୁ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।