ଲତାଙ୍କ ପରେ ଧୋନୀଙ୍କ ସପକ୍ଷରେ ମତ ରଖିଲେ ଜାଭେଦ୍ ଅଖତାର । କହିଲେ ଧୋନୀଙ୍କ ଅଭିଜ୍ଞତା ଟିମ୍ ଇଣ୍ଡିଆର ଏକ ବଡ ଅସ୍ତ୍ର ।

261

କନକ ବ୍ୟୁରୋ : ବିଶ୍ୱକପ ସେମି ଫାଇନାଲରୁ ଟିମ୍ ଇଣ୍ଡିଆ ବିଦା ହେବା ପର ଠାରୁ ପରାଜୟର ଚାଲିଛି ପୋଷ୍ଟମର୍ଟମ । ଏପରିକି ବିଶ୍ୱକପର ସେମିଫାଇନାଲରେ ଭାରତର ପରାଜୟକୁ ଭୁଲିପାରିନାହାନ୍ତି ଅନେକ କ୍ରୀଡାପ୍ରେମୀ । ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହେବା ପରେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ଜିତିବାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଥିଲା । ତେବେ ଏହି ମ୍ୟାଚ୍ ପରଠାରୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଅବସର ନେବା ନେଇ ଜୋରଦାର ଚର୍ଚ୍ଚା ହେଉଛି । ତେବେ ଏହି ଖବର ଅନେକ କ୍ରୀଡାପ୍ରେମୀଙ୍କୁ ଦୁଃଖିତ କରିଛି । କିଛି ଦିନ ତଳେ ପ୍ରଖ୍ୟାତ ଗାୟିକା ଭାରତରତ୍ନ ଲତା ମଙ୍ଗେସକର ଧୋନୀଙ୍କୁ ଅବସର ନନେବା ପାଇଁ ମଧ୍ୟ ଟ୍ୱିଟ ଜରିଆରେ ଅନୁରୋଧ କରିଥିଲେ । ଆଉ ଏହି କ୍ରମରେ ଯୋଡି ହୋଇଛନ୍ତି ବିଶିଷ୍ଟ ଗୀତିକାର ଜାଭେଦ୍ ଅଖତାର ।

ଜାଭେଦ୍ ଅଖତାର ଟ୍ୱିଟ୍ କରି ଲେଖିଛନ୍ତି, ଜଣେ ଦକ୍ଷ ୱିକେଟ୍ ରକ୍ଷକ ଭାବେ ହେଉ କିମ୍ବା ଜଣେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଭାବେ ଧୋନୀ ଜଣେ ନିର୍ଭରଯୋଗ୍ୟ ଏବଂ ଭରସାଯୋଗ୍ୟ ଖେଳାଳୀ । କ୍ରିକେଟକୁ ନେଇ ଧୋନୀଙ୍କର ଯେଉଁ ଅଭିଜ୍ଞତା ରହିଛି, ତାହା ଟିମ୍ ଇଣ୍ଡିଆ ପାଇଁ ସବୁଠାରୁ ବଡ ଅସ୍ତ୍ର । ତାଙ୍କୁ ଆହୁରି ଅନେକ କ୍ରିକେଟ୍ ଖେଳିବାକୁ ବାକି ଅଛି । ତେଣୁ ତାଙ୍କ ଅବସରକୁ ନେଇ କାହିଁକି ଚର୍ଚ୍ଚା ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।