ଗୋଟିଏ ଦଳ ଦୁଇଟି ରାଲି : ପୁଣି ଚର୍ଚ୍ଚାରେ ଜଗତସିଂହପୁର ରାଜନୀତି

21

ଜଗତସିଂହପୁର : ପୁଣି ଚର୍ଚ୍ଚାରେ ଜଗତସିଂହପୁର ରାଜନୀତି । ଜିଲ୍ଲାର ଦୁଇ ପ୍ରମୁଖ ନେତାଙ୍କ ସମାନ୍ତରାଳ ରାଲି । ଦଳ ଗୋଟିଏ, କାର୍ଯ୍ୟକ୍ରମ ବି ଗୋଟିଏ । ହେଲେ ବିଷ୍ଣୁ ଦାସ ଓ ରାଜଶ୍ରୀ ମଲ୍ଲିକଙ୍କ ରାଲି ଅଲଗା ଅଲଗା । ଦୁଇ ନେତା ନିଜ ସମର୍ଥକକୁ ନେଇ ଭିନ୍ନ ଭିନ୍ନ ରାଲିରେ ଯାଇ ଯୋଗ ଦେଲେ ସମାନ କାର୍ଯ୍ୟକ୍ରମରେ । ଜଗତସିଂହପୁର ବିଜେଡ଼ି ରାଜନୀତିର ଏଭଳି ଦୃଶ୍ୟ ଉଭୟ ନେତା ଏବଂ ସମର୍ଥକଙ୍କୁ ଚକିତ କରିଛି ।

କାର୍ଯ୍ୟକ୍ରମ ଥିଲା ବିଜୁବାବୁଙ୍କ ପ୍ରତିମୂର୍ତୀ ଉନ୍ମୋଚନ । ରାଜ୍ୟସଭା ସାଂସଦ ତଥା ଜଗତସିଂହପୁର ବିଜେଡି ସଭାପତି ବିଷ୍ଣୁ ଦାସଙ୍କ ନେତୃତ୍ୱରେ ବାହାରିଲା ରାଲି । ଯେଉଁଥିରେ ସାମିଲ ହୋଇଥିଲେ ସ୍ଥାନୀୟ ସାଂସଦ କୁଳମଣି ସାମଲ ଏବଂ ବିଧାୟକ ପ୍ରଶାନ୍ତ ମୁଦୁଲି । ଠିକ୍ ସମାନ୍ ଷ୍ଟାଇଲରେ ଆଉ ଏକ ରାଲିରେ ବାହାରିଥିଲେ ତିର୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ । ନିଜ ସମର୍ଥକକୁ ନେଇ ପହଂଚିଥିଲେ କାର୍ଯ୍ୟକ୍ରମ ସ୍ଥଳରେ । ଜଗତସିଂହପୁର ବିଜେଡ଼ି ରାଜନୀତିର ଏଭଳି ଦୃଶ୍ୟ ଉଭୟ ନେତା ଏବଂ ସମର୍ଥକଙ୍କୁ ଚକିତ କରିଛି ।

ବିଜେଡି ଦଳର କଟକ ସଂଗଠନରେ ବିବାଦ କଥା ଉଣା ଅଧିକେ ସମସ୍ତେ ଜାଣନ୍ତି । ହେଲେ ଜଗତସିଂହପୁର ଜିଲ୍ଲାରେ ବିଷ୍ଣୁ ଏବଂ ରାଜଶ୍ରୀଙ୍କ ଏହି ସମାନ୍ତରାଳ ରାଲି ଦଳୀୟ ଏକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯେତେବେଳେ ବିଷ୍ଣୁ ଦାସଙ୍କ ରାଜ୍ୟସଭା ପାଇଁ ପ୍ରାର୍ଥୀ ହେଲେ ପ୍ରଥମ ପ୍ରସ୍ତାବକ ଭାବେ ଦସ୍ତଖତ କରିଥିଲେ ରାଜଶ୍ରୀ । ଲାଗୁଥିଲା ବିଷ୍ଣୁ-ରାଜଶ୍ରୀ ମଧ୍ୟରେ ଥିବା ତିକ୍ତତା ତୁଟିଗଲା । ଏଣିକି ନୂଆ ସଂପର୍କ ଗଢ଼ି ଉଠିବ । ହେଲେ ଗୁରୁବାର ରାଘୁନାଥପୁର ବ୍ଲକ୍ ରେଢ଼ୁଆଁରେ ହୋଇଥିବା ବିଜୁବାବୁଙ୍କ ମୂର୍ତି ଉନ୍ମୋଚନ କାର୍ଯ୍ୟକ୍ରମ ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରିଦେଇଛି ।

ଦୁଇ ନେତା ଅଲଗା ଅଲଗା ରାଲି କରିବା ନେଇ ସଫେଇ ଦେଇଛନ୍ତି । ହେଲେ ଏହି ସଫେଇ ବିଜେଡି ସୁପ୍ରିମୋଙ୍କୁ କେତେ ପ୍ରଭାବିତ କରିପାରୁଛି, ତାହା ଆଗକୁ ଜଣାପଡ଼ିବ ।