୨୫ବର୍ଷ ପରେ ଜାପାନରେ ହେଲା ଭୟଙ୍କର ତୋଫାନ : ୮ଜଣଙ୍କ ମୃତ୍ୟୁ, ୮୦୦ବିମାନର ଉଡାଣ ବାତିଲ

29

କନକ ବ୍ୟୁରୋ : ଜାପାନରେ ଗତକାଲି ଦୀର୍ଘ ୨୫ବର୍ଷ ମଧ୍ୟରେ ସବୁଠାରୁ ଅଧିକ ଶକ୍ତିଶାଳୀ ତୋଫାନ ହୋଇଥିବା ସୂଚନା ମିଳିଛି । ଦେଶରେ ପ୍ରବଳ ବର୍ଷା ଓ ପବନ ହେବାରୁ ବର୍ତ୍ତମାନ ସମୟରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଭାବରେ ଆହତ ହୋଇଛନ୍ତି । ପବନର ମାତ୍ରା ଏତେ ଅଧିକ ହୋଇଛି ଯେ, ଅନେକ ଘରର ଛାତ ମଧ୍ୟ ଭାଙ୍ଗିଯାଇଛି । ତେବେ ଜାପାନର ଅନ୍ତର୍ଜାତୀୟ ବିମାନ ବନ୍ଦରର ମଧ୍ୟ ଏହି ପବନରେ ଅନେକ କ୍ଷତି ହୋଇଛି । ମିଳିଥିବା ସୂଚନା ଅନୁସାରେ ଏହି ପବନରେ ୮୦୦ଲୋକ ବିଭିନ୍ନ ସ୍ଥାନରେ ଫସି ରହିଥିବା ବେଳେ ଅନେକ ବିମାନ ଉଡାଣକୁ ବାତିଲ କରାଯାଇଥିବା ସୂଚନା ମିଳିଛି । ତେବେ ଜଣେ ସରକାରୀ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏପରି ପରିସ୍ଥିତି ଉପରେ ଆମେ ମାନେ ନଜର ରଖିଛୁ । ଯେଉଁମାନେ ବିଦେଶୀ ଏଠାରେ ରହିଛନ୍ତି ସେମାନଙ୍କୁ ସଠିକ ଭାବରେ ଗନ୍ତବ୍ୟ ସ୍ଥଳକୁ ପଠାଯିବ । ଜାପାନରେ ଘଣ୍ଟାପ୍ରତି ୨୧୬ କିଲୋମିଟର ବେଗରେ ପବନ ବୋହିଥିବା ନେଇ ଜଣାପଡିଛି । ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଯଥାଶୀଘ୍ର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦେବା ସହ ପବନ ଓ ବର୍ଷା କମିଲେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ସେ କହିଛନ୍ତି ।