ଜାମ୍ମୁ-କାଶ୍ମୀରରେ ଆଜି ଖୋଲିବ ଶିକ୍ଷାନୁଷ୍ଠାନ ଓ ସରକାରୀ ଅଫିସ। ଲ୍ୟାଣ୍ଡଲାଇନ ଫୋନ ବି କରିବ କାମ, ସୁରକ୍ଷା ଉପରେ କଡା ନଜର

101

କନକ ବ୍ୟୁରୋ: ସାମାନ୍ୟ ହେଉଛି ଜମ୍ମୁକାଶ୍ମୀରର ସ୍ଥିତି । ଦୀର୍ଘ ୧୪ଦିନ ପରେ ଆଜି ଜମ୍ମୁକଶ୍ମୀର ଓ ଶ୍ରୀନଗରରେ ଖୋଲିବ ସ୍କୁଲ୍ । ପ୍ରଥମ ଦିନରେ ଆଜି ୧୯୦ଟି ପ୍ରାଥମିକ ସ୍କୁଲ ଖୋଲିବ । ତେବେ ଅନ୍ୟ ଶିକ୍ଷାନୁଷ୍ଠାନ ଓ କଲେଜଗୁଡିକ ଆଉ କିଛି ଦିନ ପରେ ଖୋଲିବ ବୋଲି ଜଣାପଡିଛି । ଏହାକୁ ନଜରରେ ରଖି ପ୍ରଶାସନ ଓ ସୁରକ୍ଷାବାହିନୀ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେହିପରି ଘାଟିରେ ଲ୍ୟାଣ୍ଡ ଫୋନ ଚାଲୁ ରହିଛି ।

ହେଲେ ପ୍ରଶାସନ ଜମ୍ମୁରେ ଇଂଟରନେଟ ସେବାକୁ ପୁଣି ବନ୍ଦ କରିଦେଇଛି । ଜମ୍ମୁ,ସାମ୍ବା,କାଠୁଆ,ଉଦ୍ଧମପୁରରେ ମୋବାଇଲ ଓ ଇଂଟରନେଟ ସେବା ବନ୍ଦ କରିଛି ପ୍ରଶାସନ । କଶ୍ମୀରରେ ସରକାର ଧୀରେ ଧୀରେ ଏସବୁ ସୁବିଧା ପୁନଃ ଲାଗୁ କରିବେ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଧାରା ୩୭୦ ଉଚ୍ଛେଦ ପରେ କଡା ସୁରକ୍ଷା ବଳୟରେ ରହିଛି ସମ୍ପୂର୍ଣ୍ଣ ଜମ୍ମୁ କାଶ୍ମୀର । ସେବେଠୁ ସ୍କୁଲ, କଲେଜ ବନ୍ଦ ରହିଥିଲା ।

ସେପଟେ, କଶ୍ମୀର ପ୍ରସଙ୍ଗକୁ ନେଇ ପୁଣି ଏକ ବଡ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନରେ ହତାଶା ଛାଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ପିଓକେ ପ୍ରସଙ୍ଗ ଉଠାଇଛନ୍ତି । କଶ୍ମୀର ପ୍ରସଙ୍ଗରେ ଭାରତ ଏକପାଖିଆ ନିଷ୍ପତ୍ତି ନେଇପାରିବ ନାହିଁ ବୋଲି ପାକିସ୍ତାନ କହିବୁଲୁଥିବା ବେଳେ ରାଜନାଥ ସିଂ କହିଛନ୍ତି, ଏବେ ଜମ୍ମୁକଶ୍ମୀର ନୁହେଁ, ଯଦି ଚର୍ଚ୍ଚା ହେବ କେବଳ ପିଓକେ ପ୍ରସଙ୍ଗରେ ଚର୍ଚ୍ଚା ହେବ ।

କାରଣ ପାକ୍ କବଜାରେ ଥିବା କାଶ୍ମୀର ମଧ୍ୟ ଭାରତର ଅଭିନ୍ନ ଅଙ୍ଗ ବୋଲି କହିଛନ୍ତି ରାଜନାଥ ସିଂ । ଅର୍ଥାତ୍ ଏବେ ପାକ ଅଧିକୃତ କଶ୍ମୀର ଉପରେ ନିଜ ହକ୍ ଜାହିର କରିବ ଭାରତ । ପିଓକେକୁ ନେଇ ଭାରତ ଏହି ଆଭିମୁଖ୍ୟ ରଖି କୁଟନୈତିକ ସ୍ତରରେ ଆଗକୁ ଯିବ ବୋଲି ଚର୍ଚ୍ଚା ହୋଇଛି । ପୂର୍ବରୁ ପରମାଣୁ କ୍ଷମତା ସଂପନ୍ନ ଦେଶ ଭାବେ ଭାରତ କୌଣସି ଦେଶ ଉପରେ ପ୍ରଥମେ ଆକ୍ରମଣ ନକରିବା ନୀତିର ପୁନର୍ବିଚାର କରାଯାଇପାରେ ବୋଲି କହି ପାକିସ୍ତାନକୁ କଡା ଚେତାବନୀ ଦେଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ।