ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଫିଟିଲା ବାଟ ! ଲୋକସଭା ସହ ହୋଇପାରେ ବିଧାନସଭା ନିର୍ବାଚନ । 

151

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀର ବିଧାନସଭାକୁ ଭଙ୍ଗ କରିଦେଇଛନ୍ତି ରାଜ୍ୟପାଳ । ଇତିହାସରେ ପ୍ରଥମଥର ଲାଗି ପିଡିପି, ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ଏକାଠି ମିଶି ସରକାର ଗଢିବାକୁ ପ୍ରସ୍ତୁତ ହେଉଥିଲେ । ଏନେଇ ପିଡିପି ମୁଖ୍ୟ ମେହେବୁବା ମୁଫତି ରାଜ୍ୟପାଳଙ୍କୁ ଫ୍ୟାକ୍ସ ପଠାଇବାର ଘଂଟାଏ ଭିତରେ ବିଧାନସଭାକୁ ଭଙ୍ଗ ଘୋଷଣା କରିଥିଲେ ରାଜ୍ୟପାଳ । ଯାହା ପୁନଃ ନିର୍ବାଚନ ପାଇଁ ଜାମ୍ମୁ-କାଶ୍ମୀରରେ ପଥ ପରିଷ୍କାର କରିଦେଇଛି । ଅନ୍ୟପଟେ ରାଜ୍ୟପାଳଙ୍କ ନିଷ୍ପତି ବିରୋଧରେ ନ୍ୟାୟପାଳିକା ଯିବାର ବିକଳ୍ପ ମଧ୍ୟ ରାଜନୈତିକ ଦଳଙ୍କ ପାଖରେ ରହିଛି ।

ବିରୋଧୀ ଦଳଙ୍କ ସରକାର ଗଠନ ସ୍ୱପ୍ନ ଧୁଳିସାତ୍ । ରାଜ୍ୟପାଳ ଭାଙ୍ଗିଲେ ଜାମ୍ମୁ-କାଶ୍ମୀର ବିଧାନସଭା । ଜାମ୍ମୁ-କାଶ୍ମୀର ଇତିହାସରେ ପ୍ରଥମଥର ଲାଗି ପିପୁଲ୍ସ ଡେମୋକ୍ରାଟିକ ପାର୍ଟି, ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ଏକାଠି ମିଶି ସରକାର ଗଠିବାକୁ ପ୍ରସ୍ତୁତ ହେଉଥିବାବେଳେ ବିଧାନସଭାକୁ ଭଙ୍ଗ କରିଦେଇଛନ୍ତି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ଜାମ୍ମୁ ରାଜଭବନ ପକ୍ଷରୁ ଜାରି ବିଜ୍ଞପ୍ତିରେ ଲେଖାଅଛି ଯେ, ଜାମ୍ମୁ-କାଶ୍ମୀର ସମ୍ବିଧାନର ଧାରା ୫୩ ଅଧିନରେ ଥିବା ସେକ୍ସନ ୨ ବଳରେ ପ୍ରଦତ୍ତ ସ୍ୱତନ୍ତ୍ର ଅଧିକାରର ପ୍ରୟୋଗ କରି ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟପାଳ । ଏବେ ଆସନ୍ତୁ ଦେଖିବା ସମ୍ବିଧାନର ଧାରା ୫୩ କ’ଣ କହୁଛି ?

ଜାମ୍ମୁ-କାଶ୍ମୀର ସମ୍ବିଧାନର ଧାରା ୫୩ :

– ଧାରା ୫୩ର ସେକ୍ସନ ୧ କହୁଛି ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲେ ନିୟମିତ ବ୍ୟବଧାନରେ ବିଧାନସଭା ଅଧିବେସନ ଡାକିବେ ରାଜ୍ୟପାଳ

– କିନ୍ତୁ ବିଧାନସଭାର ଦୁଇଟି ଅଧିବେସନ ମଧ୍ୟରେ ଅନୁନ୍ୟ ୬ ମାସର ଅନ୍ତର ରହିବ

– ସେହିପରି ସେକ୍ସନ ୨ କହୁଛି ରାଜ୍ୟପାଳ ବିଧାନସଭା ଅଧିବେସନ ଡାକିବେ କିମ୍ବା ବିଧାନସଭାକୁ ଭଙ୍ଗ କରିଦେଇ ପାରିବେ

ଗତ ଜୁନ୍ ୨୦ ତାରିଖରେ ପିଡିପି ସହ ମେଂଟ ସରକାରରୁ ବିଜେପି ଓହରି ଯିବା ପରେ ଜାମ୍ମୁ-କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା । ପ୍ରମୁଖ ବିରୋଧୀ ଦଳ ନ୍ୟାସନାଲ କନଫରେନ୍ସ ସରକାର ଗଠନ ପାଇଁ ରାଜି ହୋଇନଥିଲା । ଆଉ ଏବେ ସମ୍ବିଧାନ ପ୍ରଦତ ସ୍ୱତନ୍ତ୍ର ଅଧିକାର ବଳରେ ବିଧାନସଭାକୁ ଭଙ୍ଗ କରିଦେଇଛନ୍ତି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ।

ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସର ସମର୍ଥନ ପାଇ ସରକାର ଗଢିବାକୁ ରାଜ୍ୟପାଳଙ୍କ ନିକଟରେ ମଙ୍ଗଳବାର ଦାବି ଜଣାଇଥିଲା ପିପୁଲ୍ସ ଡେମୋକ୍ରାଟିକ ପାର୍ଟି । ଜାମ୍ମୁ-କାଶ୍ମୀରରେ ସରକାର ଗଢିବା ପାଇଁ ପିଡିପି ନିକଟରେ ୨୯, ନ୍ୟାସନାଲ କନଫରେନ୍ସର ୧୫ ଓ କଂଗ୍ରେସର ୧୨ ଏହିଭଳି ମୋଟ୍ ୫୬ ବିଧାୟକଙ୍କ ସମର୍ଥନ ରହିଛି । ହେଲେ ସରକାର ଗଠନ ପାଇଁ ହେଉଥିବା ଦାବିକୁ ଅଣଦେଖା କରି ବିଜେପି ଇସାରାରେ ରାଜ୍ୟପାଳ ନିଷ୍ପତି ନେଇଥିବା କହିଛନ୍ତି ତିନି ମେଂଟ ସହଯୋଗୀ ।

ପୁରା ଘଟଣାରେ ରାଜ୍ୟପାଳଙ୍କ ଭୂମିକାକୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି ବିରୋଧୀ ଦଳ । ବିଧାନସଭା ଭଙ୍ଗ କରିବା ପଛରେ ବିଜେପିର ଷଡଯନ୍ତ୍ର ରହିଥିବା ସେମାନେ ଅଭିଯୋଗ କରିଛନ୍ତି । ହେଲେ ଏହି ମାମଲାରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଯୁକ୍ତି ମଧ୍ୟ ଗୁରୁତ୍ୱ ରଖୁଛି । ଅବସରବାଦୀ ମେଂଟକୁ ସରକାର ଗଠନର ସୁଯୋଗ ନଦେଇ ପୁନଃ ନିର୍ବାଚନ ପାଇଁ ପଥ ପରିଷ୍କାର କରିଦେଇଛନ୍ତି ରାଜ୍ୟପାଳ । ସରକାର ଗଠନ ପାଇଁ ଘୋଢା ବେପାରର ଆଶଙ୍କା କରି ଏଭଳି ନିଷ୍ପତି ନେଇଥିବା କହିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ।