କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜବୁଲ୍ ମୁଜାହିଦ୍ଦିନର ଧମକ ଆଗରେ ଆଜି ମୁଣ୍ଡ ନୁଆଇଁବାକୁ ବାଧ୍ୟ ହୋଇଛି ଜମ୍ମୁ- କଶ୍ମୀର ପୁଲିସ୍ ପ୍ରଶାସନ। ହିଜବୁଲ୍ ମୁଜାହିଦ୍ଦିନର ଅପରେସନାଲ କମାଣ୍ଡର ରିଆଜ ନାଇକୋ ଆଜି (ଶୁକ୍ରବାର) ଜମ୍ମୁ- କଶ୍ମୀର ପୁଲିସ୍ ପ୍ରଶାସନକୁ ‘ଏଣିକି ଗୋଟେ ଆଖି ବ ଦଳରେ ଗୋଟେ ଆଖି’ଟ୍ଟ ବୋଲି ଖୋଲାଖୋଲି ଚେତାବନୀ ଶୁଣାଇବା ପରେ ଦୁଇ ଦିନ ତଳେ ପୁଲଓ୍ଵାମା ଜିଲ୍ଲାରୁ ଗିରଫ କରିଥିବା ରିଆଜ ନାଇକୋର ବାପା ଆସାଦୁଲ୍ଲା ନାଇକୋକୁ ମୁକ୍ତ କରି ଦେଇଛି ଜମ୍ମୁ- କଶ୍ମୀର ପୁଲିସ୍ ପ୍ରଶାସନ।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ଦୁଇ ଦିନ ତଳେ ହିଜବୁଲ୍ ମୁଜାହିଦ୍ଦିନର ଅପରେସନାଲ କମାଣ୍ଡର ରିଆଜ ନାଇକୋର ବାପା ଆସାଦୁଲ୍ଲା ନାଇକୋକୁ ଜମ୍ମୁ- କଶ୍ମୀର ପୁଲିସ୍ ପୁଲଓ୍ଵାମା ଜିଲ୍ଲାରୁ ଗିରଫ କରି ନେଇଥିଲା। ଏହି ଘଟଣାପରେ ଆତଙ୍କବାଦୀ ଗୋଷ୍ଠୀ ପ୍ରତିହିଂସା ପରାୟଣ ହୋଇ ଗତ ରାତିରେ ଜମ୍ମୁ- କଶ୍ମୀର ପୁଲିସ୍ ପ୍ରଶାସନର ୪ଜଣ ଅଧିକାରୀଙ୍କର ୧୧ ଜଣ ପରିବାର ସଦସ୍ୟଙ୍କୁ ଦକ୍ଷିଣ କଶ୍ମୀରରୁ ଅପହରଣ କରିନେଇଥିଲେ।
ପୁଲିସ୍ ଅଧିକରୀମାନଙ୍କର ପରିବାର ସଦସ୍ୟମାନଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେବା ପରେ ଆଜି ସକାଳୁ ଆତଙ୍କବାଦୀ ରିଆଜ ନାଇକୋ ଜମ୍ମୁ- କଶ୍ମୀର ପୁଲିସ୍ ପ୍ରଶାସନକୁ ସୋସିଆଲ ମିଡିଆରେ ଖୋଲା ଧମକ ଦେଇ କହିଥିିଲା ଯେ ଜମ୍ମୁ- କଶ୍ମୀର ପୁଲିସ୍ ଆମକୁ ଏପରି କରିବାକୁ ବାଧ୍ୟ କରିଛି। ଯଦି କୌଣସି ପ୍ରକାର ହିଂସାରେ ସଂପୃକ୍ତ ନଥିବା ଆମ ପରିବାର ସଦସ୍ୟଙ୍କୁ ତୁମେ ଯଦି ବିନା କାରଣରେ ଗିରଫ କରିବ, ତେବେ ଆମେ ମଧ୍ୟ ତୁମ ପରିବାର ସଦସ୍ୟଙ୍କୁ ବିନା କାରଣରେ ଅପହରଣ କରିବୁ। ‘ଆମେ ବି ଗୋଟେ ଆଖି ବଦଳରେ ଗୋଟେ ଆଖି ଓ ଗୋଟେ କାନ ବଦଳରେ ଗୋଟେ କାନ ନେବୁ’, ବୋଲି ଖୋଲା ଧମକ ଦେଇଥିଲା ରିଆଜ।
ରିଆଜର ଧମକ ମିଳିବା ପରେ ଜମ୍ମୁ- କଶ୍ମୀର ପୁଲିସ୍ ପ୍ରଶାସନର ଚିନ୍ତା ବଢ଼ି ଯାଇଥିଲା। ପରେ ଉଚ୍ଚ ପୁଲିସ୍ ଅଧିକାରୀଙ୍କ ମଧ୍ୟରେ ଏକାଧିକ ବୈଠକ ଅନୁଷ୍ଠିତ ହେବା ପରେ ରିଆଜ ନାଇକୋର ବାପା ଆସାଦୁଲ୍ଲା ନାଇକୋକୁ ଆଜି ଅପରାହ୍ଣରେ ମୁକ୍ତ କରି ଦେଇଛି ଜମ୍ମୁ- କଶ୍ମୀର ପୁଲିସ୍ ପ୍ରଶାସନ। ତେବେ, ଏହି ରିପୋର୍ଟ ଲେଖାଯିବା ପର୍ୟ୍ୟନ୍ତ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ୧୧ଜଣ ପୁଲିସ ପରିବାରର ସଦସ୍ୟଙ୍କୁ ଆତଙ୍କବାଦୀମାନେ ମୁକ୍ତ କରି ନାହାନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/08/maoists.jpg)
/kanak/media/post_attachments/wp-content/uploads/2018/08/jammu-police-l.jpg)