କନକ ବ୍ୟୁରୋ : ପଶ୍ଚିମବଙ୍ଗ ଓ ଆସାମ ପରି ନାଗରିକତା ସଂଶୋଧନ ଆଇନ୍କୁ ନେଇ ଦକ୍ଷିଣ ଦିଲ୍ଳୀରେ ମଧ୍ୟ ଉତ୍ତେଜନା ତୀବ୍ର ହୋଇଛି । ଜାମିଆ ମିଲିଆ ଇସ୍ଲାମିଆର ଛାତ୍ରଛାତ୍ରୀମାନେ ଏକତ୍ର ହୋଇ ନାଗରିକତା ସଂଶୋଧନ ଆଇନ୍କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦିଲ୍ଳୀ ପୁଲିସ୍ ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିବା ବେଳେ ଆନ୍ଦୋଳନାରୀମାନଙ୍କ ସହ ମୁହାଁମୁହିଁ ହୋଇଛି । ପୁଲିସ୍ ପରିସ୍ଥିତିକୁ ଆୟତ୍ତ କରିବାକୁ ଟିୟର୍ ଗ୍ୟାସ୍ ପକାଇଥିବା ବେଳେ ଆନ୍ଦୋଳନକାରୀମାନେ ରାଗରେ ଆସି କାର୍ ଭଙ୍ଗାରୁଜା କରିବା ସହ ୩ଟି ବସ୍ରେ ନିଆଁ ଲଗାଇ ଦେଇଛନ୍ତି ।
ଶହ ଶହ ଜାମିଆ ଛାତ୍ରଛାତ୍ରୀ ନାଗରିକତା ସଂଶୋଧନ ଆଇନ୍କୁ ବିରୋଧ କରି ଗତକାଲି ସେମାନଙ୍କ କଲେଜ ପରିିସରରୁ ଶୋଭାଯାତ୍ରା ବାହାର କରି ସଂସଦରେ ପହଞ୍ଚିବା ପରଦିନ ଏପରି କାଣ୍ଡ ଘଟାଇଛନ୍ତି ।
ଉଲ୍ଲେଖଯୋଗ୍ୟ, ନାଗରିକତା ସଂଶୋଧନ ଆଇନ୍କୁ ବିରୋଧ କରି ଆସାମରେ ବି ଉତ୍ତେଜନା ସେହିପରି ଲାଗିରହିଛି । ଗୁଳିମାଡ଼ରେ ଆହତ ହୋଇ ଚିକିତ୍ସିତ ହେଉଥିବା ଆହୁରି ୨ ଜଣଙ୍କର ମୃତ୍ୟୁ ଘଟିବା ପରେ ମୃତ୍ୟୁ ସଂଖ୍ୟା ୫ ଛୁଇଁଛି । ଆସାମର ଗୌହ୍ବାଟୀ, ଦିବ୍ରୁଗଡ଼, ତେଜପୁର, ତିନସୁକିଆ ଆଦି ଅଞ୍ଚଳରେ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି । ସେହିପରି ପଶ୍ଚିମବଙ୍ଗର ମାଳଦା, ମରସିଦାବାଦ୍, ଉତ୍ତର ଦିନାଜପୁର, ହାୱଡା ଏବଂ ଦକ୍ଷିଣ ୨୪ ପରଗନା ଓ ଉତ୍ତର ୨୪ ପରଗନାର କିଛି ଅଞ୍ଚଳରେ ମଧ୍ୟ ଇଣ୍ଟର୍ନେଟ୍ ଓ ମୋବାଇଲ୍ ସେବା ବାଧାପ୍ରାପ୍ତ ହୋଇଛି ।