ମଦୁରାଇରେ ଆରମ୍ଭ ହେଲା ପାରମ୍ପରିକ ଉତ୍ସବ ଜାଲିକଟ୍ଟୁ । ଚଳିତବର୍ଷ ମୈଦାନରେ ଅଛନ୍ତି ୭୦୦ଷଣ୍ଢ

172

କନକ ବ୍ୟୁରୋ : ମଦୁରାଇରେ ଆରମ୍ଭ ହୋଇଛି ପାରମ୍ପରିକ ଜାଲିକଟ୍ଟୁ ବା ଷଣ୍ଢ ସହିତ ଲଢେଇ ପର୍ବ । ମଦୁରାଇରେ ଏଥର ପ୍ରାୟ ୭୦୦ ଷଣ୍ଢଙ୍କୁ କାବୁ କରିବେ ଲୋକେ । ଖେଳପଡିଆ ଭିତରେ ରହିଛି ମାଟି । ଚାରିପଟେ ଘେରାବନ୍ଦୀ ହୋଇଛି ତାର ଜାଲି ଓ ବାଉଁଶବାଡ । ଯେମିତି ବାଡ ଡେଇଁ ଷଣ୍ଢ ବାହାରକୁ ଚାଲି ନ ଯିବ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜାଲିକଟ୍ଟୁର ଆରମ୍ଭ ହୋଇଛି । ମଦୁରାଇର ଅବନୀପୁରମରେ ଚାଲିଛି ଏହି ଖେଳ । ସୂଚନା ଅନୁସାରେ ତାମିଲନାଡରୁ ଗ୍ରାମୀଣ ଅଂଚଳରପ୍ରାୟ ୭୦୦ ଷଣ୍ଢ ଓ ୭୩୦ ଲୋକ ଏଥିରେ ଅଂଶ ଗ୍ରହଣ କରିବାକୁ ନାମ ପଂଜିକରଣ କରାଇଛନ୍ତି । ଏକ ନିର୍ଧାରିତ ବାଟ ଦେଇ ଷଣ୍ଢକୁ ଭିଡ ଭିତରକୁ ଛଡା ଯାଇଥାଏ । ବିଶାଳକାୟ ଷଣ୍ଢ ବଳପୂର୍ବକ ଭିଡ ଭିତର ଦେଇ ଦୌଡି ଚାଲିଥାଏ ।

ଏହା ମଧ୍ୟରେ ଯିଏ କୌଶଳ ଓ ବଳ ଖଟାଇ ଷଣ୍ଢକୁ କାବୁ କରିପାରେ ସେ ହୋଇଥାଏ ବିଜେତା । ଉପହାର ବି ପାଇଥାନ୍ତି । ପୂର୍ବ ଭାରତରେ ମକର ସଂକ୍ରାନ୍ତି ଉତ୍ସବ ପାଳନ ସମୟରେ ଦକ୍ଷିଣ ଭାରତରେ ପାଳନ ହୋଇଥାଏ ପୋଙ୍ଗଲ । ଏହି ଅବସରରେ ଆୟୋଜନ ହୋଇଥାଏ ଜାଲିକଟ୍ଟୁ । ଏହାର ମଜା ନେବାକୁ ଶହ ଶହ ଜନତା ଭିଡ ଲଗାଇ ଅପେକ୍ଷା କରିଥାନ୍ତି । ଏହି ଖେଳରେ ଅଂଶଗ୍ରହଣ କରୁଥିବା ସମସ୍ତ ଲୋକଙ୍କୁ ଡାକ୍ତରୀ ପରୀକ୍ଷାରେ ସୁସ୍ଥତା ପ୍ରମାଣ ହେବା ପରେ ହିଁ ଅଂଶଗ୍ରହଣ କରିବାକୁ ସୁ ଯୋଗ ମିଳିଥାଏ । ପ୍ରତିଘଂଟାରେ ପ୍ରାୟ ୭୫ ଜଣ ଲୋକଙ୍କୁ ଖେଳିବାକୁ ସୁଯୋଗ ମିଳିଥାଏ । ଚଳିତ ବର୍ଷ ମଦୁରାଇରେ ଏଥିପାଇଁ ୧୦ ପ୍ଲାଟୁନ୍ ଫୋର୍ସ ସହିତ ଆଂବୁଲାନ୍ସ ବ୍ୟବସ୍ଥା କରିଛି ପ୍ରଶାସନ ।