‘ବୁଲବୁଲ’ ପାଇଁ ଯାଜପୁରରେ ସ୍କୁଲ ଛୁଟି ଘୋଷଣା । ଆଜି ଓ କାଲି ଦୁଇ ଦିନ ପାଇଁ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡି ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

993

କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁହାଁ ଭୀଷଣ ସାମୁଦ୍ରିକ ଝଡରେ ବୁଲବୁଲ । ଏହା ଉତ୍ତର ପଶ୍ଚିମ ଦିଗକୁ ଘଂଟାପ୍ରତି ୮ କିଲୋମିଟର ବେଗରେ ଗତି କରୁଛି । ବର୍ତ୍ତମାନ ଏହା ପାରାଦୀପର ଦକ୍ଷିଣ ଏବଂ ଦକ୍ଷିଣପୂର୍ବରୁ ୪୨୦ କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଆହୁରି ବଳ ଗୋଟାଇବ । ତେବେ ଓଡିଶା ଉପରୁ ଟଳିଛି ବାତ୍ୟା ବିପଦ । ହେଲେ ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ତେଣୁ ବର୍ଷାକୁ ଦୃଷ୍ଟିରେ ରଖି ଆଜି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ସମେତ ଯାଜପୁର ଜିଲ୍ଲାର ବି ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବା ପାଇଁ  ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ  । ପୂର୍ବରୁ ଆସନ୍ତାକାଲି ସ୍କୁଲ ଛୁଟି ରହିବାକୁ ଘୋଷଣା କରାଯାଇଥିବାବେଳେ ଆଜି ଛୁଟି ରଖିବାକୁ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହା ପୂର୍ବରୁ ୮ ଓ ୯ ତାରିଖରେ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ତିନିଟି ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ହୋଇଛି ।

ସେହିପରି ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡାରେ ୮ ଓ ୯ ତାରିଖ ଦୁଇ ଦିନ ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି । ସେହିଭଳି ବାତ୍ୟା ବୁଲବୁଲର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାର କିଛି ଅଞ୍ଚଳରେ ପବନର ବେଗ ୯୦ ଛୁଇଁପାରେ ବୋଲି କହିଛନ୍ତି ଡେପୁଟି ଏସଆରସି । ୧୦ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ । ୧୦ଟି ଜିଲ୍ଲାରେ ଓଡ଼୍ରାଫ୍ ଟିମ୍ ମୁତୟନ ରହିବେ । ୮ ତାରିଖ ଅପରାହ୍ନରୁ ବର୍ଷା ଆରମ୍ଭ ହେବ । ୮ ଓ ୯ ତାରିଖରେ ସତର୍କ ରହିବାକୁ ପରାମର୍ଶ । ବର୍ଷା ଓ ପବନ ସମୟରେ ବାହାରକୁ ନ ଆସିବାକୁ ପରାମର୍ଶ ଦେଇଛନ୍ତି ଡେପୁଟି ଏସଆରସି ।

ଅନ୍ୟପଟେ, ବୁଲବୁଲ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ସାଙ୍ଗକୁ ବର୍ଷା ଆରମ୍ଭ । ବିଶେଷକରି ଜଗତସିଂହପୁର,ପାରାଦୀପ ଓ ଅସ୍ତରଙ୍ଗରେ ଝିପ୍ଝିପ୍ ବର୍ଷା ଆରମ୍ଭ ହୋଇଛି । ପବନ ବି ଆରମ୍ଭ ହୋଇଛି । ବର୍ଷା ସମ୍ଭାବନାକୁ ନଜରରେ ରଖି ଆଜି ପାଇଁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଓ ଭଦ୍ରକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ , କେନ୍ଦ୍ରାପଡା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାକୁ ଆସନ୍ତାକାଲି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହିତ ଆସନ୍ତାକାଲି କଟକ, ଯାଜପୁର ଓ ମୟୂରଭଞ୍ଜରେ ପ୍ରବଳ ହେବାର ସମ୍ଭାବନା ରହିଥିବାରୁ ଏହିସବୁ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି ।