କନକ ବ୍ୟୁରୋ: ଓଡ଼ିଶାରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଆରମ୍ଭ ହୋଇଛି ବଳ କଷାକଷି । କିଏ ପାଇବ ଟିକେଟ୍ ଆଉ କାହାକୁ ଶିରିପା ପିନ୍ଧାଇବା ପାଇଁ ବାଛିବେ ଦଳୀୟ ସୁପ୍ରିମୋ ସେନେଇ ଚାଲିଛି ଗୁପ୍ତ ମନ୍ତ୍ରଣା । ସେହିଭଳି ଓଡ଼ିଶାରେ ହେବାକୁ ଥିବା ୪ଟି ପର୍ଯ୍ୟାୟ ନିର୍ବାଚନର ଶେଷ ପର୍ଯ୍ୟାୟ ଏପ୍ରିଲ୍ ୨୯ ତାରିଖରେ ହେବ ଯାଜପୁର ଲୋକସଭା ଓ ବିଧାନସଭା ନିର୍ବାଚନ । ତେବେ ଯାଜପୁର ସଦର ନିର୍ବାଚନ ମଣ୍ଡଳୀ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଦୀର୍ଘ ଦୁଇ ଦଶନ୍ଧି ଧରି ଏଠାରେ ବିଜେଡି ନିଜର କାୟା ବିସ୍ତାର କରିଛି ।

Advertisment

publive-imageଗତ ଦୁଇଟି ନିର୍ବାଚନରେ ଏଠାରେ ପ୍ରଣବ ପ୍ରକାଶ ଦାସ ଓରଫ ବବି ବିଜୟୀ ତିଳକ ପିନ୍ଧିଛନ୍ତି । ଏଥର ବବି ହ୍ୟାଟ୍ରିକ୍ ମାରିବା ପାଇଁ ସଂଗଠନକୁ ଦୃଢ଼ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ଏଥର ସେ ପ୍ରାର୍ଥୀ ନହୋଇ ଦଳର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି। ତାଙ୍କ ଦାଦାପୁଅ ଭାଇ ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସଙ୍କୁ ପ୍ରାର୍ଥୀ କରାଇପାରନ୍ତି ବୋଲି କୁହାଯାଉଛି। ବବି ନିଜେ ଟିକେଟ୍ ନେବେ ନାହିଁ କି ତାଙ୍କ ସହ ଭଲ ସଂପର୍କ ନଥିବା ଦଳୀୟ ନେତାଙ୍କୁ ଟିକେଟ ଦେବେ ନାହିଁ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ସେପଟେ ୧୯୮୫ ପରଠାରୁ ଏଠାରେ ଖାତା ଖୋଲି ପାରିନଥିବା କଂଗ୍ରେସ ଏଥର ବିଜେଡିକୁ ଟକ୍କର ଦେବାକୁ ଗୋଟି ଚାଳନା କରୁଛି । ତେଣୁ ଏଥର କଂଗ୍ରେସ ଜଣେ ଟାଣୁଆ ଯୁବ ନେତାଙ୍କୁ ଏଠାରେ ପ୍ରାର୍ଥୀ କରିବାକୁ ଯୋଜନାରେ ଅଛି। ବବିଙ୍କ ଯୁବ ବାହିନୀକୁ ଟକ୍କର ଦେବା ଭଳି ପ୍ରାର୍ଥୀ ଦେବାକୁ କଂଗ୍ରେସ ମଧ୍ୟ ଚିନ୍ତା କରୁଛି। କଂଗ୍ରେସରୁ ଗତ ଥର ପ୍ରାର୍ଥୀ ହୋଇଥିବା ସନ୍ତୋଷ ନନ୍ଦ ଏଥର ମଧ୍ୟ ଆଶାୟୀ ଅଛନ୍ତି । ତେବେ ଗତଥର ଶୋଚନୀୟ ପରାଜୟ ସନ୍ତୋଷଙ୍କ ପାଇଁ ବାଟ ଓଗାଳୁଥିବା ବେଳେ ବଳଭଦ୍ର ଦାସ, ସୁଦିପ୍ତ କର, ଦିପ୍ତିମୟୀ ମିଶ୍ର ଓ ହିମାଂଶୁ ଲେଙ୍କା ପ୍ରମୁଖ ଟିକେଟ ପାଇଁ ଆଶାୟୀ। ଏହା ବାଦ ପୂର୍ବତନ ସାମରିକ କର୍ମଚାରୀ ଯୁବନେତା ପୁଲିନ ପୁହାଣ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଦୈାଡ଼ରେ ଅଛନ୍ତି। ବବିଙ୍କ ଯୁବ ବାହିନୀଙ୍କୁ ଟକ୍କର ଦେବା ଭଳି କ୍ଷମତା ପୁଲିନଙ୍କ ଟିମ୍ର ରହିଛି ବୋଲି କୁହାଯାଉଥିବା ବେଳେ ବୁଦ୍ଧିଜୀବୀ ଗୋଷ୍ଠୀ ଏହାକୁ କିପରି ଗ୍ରହଣ କରୁଛନ୍ତି ତା ଉପରେ ଦଳୀୟ ହାଇକମାଣ୍ଡଙ୍କର ନଜର ରହିଛି।

ଅପରପକ୍ଷେ ବିଜେଡି ଓ କଂଗ୍ରେକୁ ଚିତ୍ କରିବାକୁ ବିଜେପି ଆରମ୍ଭ କରିଛି ରଣନୀତି । ହେଲେ ବିଜେପି ପାଇଁ ଏଠାରେ ବବିଙ୍କୁ କିଏ ଟକ୍କର ଦେବ ତାହାକୁ ନେଇ ଜାରି ରହିଛି ସସପେନ୍ସ । ଏଭଳି ପରିସ୍ଥିତିରେ ଅଣ କଂଗ୍ରେସରୁ ରାଜନୀତି ଆରମ୍ଭ କରିଥିବା ବିଜେପିର ଜିଲ୍ଲା ସଭାପତି ଗୌତମ ରାୟ ଏଠାରୁ ପ୍ରାର୍ଥୀ ହେବା ସମ୍ଭାବନା ଥିବାରୁ ଯାଜପୁର ରାଜନୀତି ରୋଚକ ମୋଡ଼ ନେଇପାରେ ବୋଲି ଚର୍ଚ୍ଚା ହେଉଛି। ଉତ୍ଥାନ ପତନ ଦେଇ ଆଗେଇ ଚାଲିଥିବା ଗୈାତମ କିପରି ବବିଙ୍କୁ ଟକ୍କର ଦେଉଛନ୍ତି ତା ଉପରେ ସମସ୍ତଙ୍କର ନଜର ରହିଛି। କାରଣ ପଞ୍ଚାୟତ ନିର୍ବାଚନରେ ବିଜେପିକୁ କିଛି ପରିମାଣରେ ସଫଳତା ମିଳିଥିଲେ ହେଁ, ଭୁଲ ଗୋଟି ଚାଳନା, ନୂଆ-ପୁରୁଣା ଲଢେଇରେ ସଂଗଠନ ଦୋହଲି ଯାଇଛି। ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନରେ ନୈରାଶ୍ୟଜନକ ଫଳାଫଳ ବିଜେଡ଼ି ନେତାଙ୍କ ପାଇଁ ସର୍ତକ ଘଣ୍ଟି ଥିଲା। ଏହାକୁ ବିଜେଡ଼ି ନେତାମାନେ ଗୁରୁତ୍ବ ଦେଇ ନିଜର ସ୍ଥିତି ସୁଧାରିବାରେ ଲାଗିଛନ୍ତି।