ସମସ୍ୟା ଘେରରେ ବାଲିକୁଦା ବ୍ଲକର “ବନ୍ଦର”ପର୍ଯ୍ୟଟନ ସ୍ଥଳୀ । ସରକାରଙ୍କ ଯୋଜନା କାହା ସ୍ୱାର୍ଥରେ ? 

86

କନକ ବ୍ୟୁରୋ: ପର୍ଯ୍ୟଟନ ସ୍ଥଳୀର ବିକାଶ ନିମନ୍ତେ ସରକାର ବ୍ୟାପକ ଯୋଜନା ପ୍ରସ୍ତୁତ କରୁଛନ୍ତି । ହେଲେ ପ୍ରଶାସନିକ ଅଣଦେଖା ଯୋଗୁଁ  ଜଗତସିଂହପୁର ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଅନେକ ପର୍ଯ୍ୟଟନସ୍ଥଳୀ ଲୋକ ଲୋଚନକୁ ଆସି ପାରୁନାହିଁ  । ଜଗତସିଂହପୁର ବାଲିକୁଦା ବ୍ଲକ ଅନ୍ତର୍ଗତ ବନ୍ଦର ପର୍ଯ୍ୟଟନ ସ୍ଥଳୀ ଏହାର ଏକ ଉଦାହରଣ ପାଲଟିଛି ।

 

 

ଏବେ ଆସିଛି ପର୍ଯ୍ୟଟନ ଋତୁ । ଏ ଚିତ୍ର ହେଉଛି ବାଲିକୁଦା ବ୍ଲକ ମରିଚପୁର ନିକଟସ୍ଥ “ବନ୍ଦର” ପର୍ଯ୍ୟଟନ ସ୍ଥଳୀ ର  । ଦେବୀ ନଦୀର ସଂଗମ ସ୍ଥଳୀ ଠାରୁ ମାତ୍ର ୨କିଲୋମିଟର ଦୂର ରେ ରହିଛି ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥଳୀ  । ଦେବି ନଦୀ ଏଠାରେ ଏକାଧିକ ଶାଖା ପ୍ରଶାଖା ସୃଷ୍ଟି କରିଥିବା ସହ ଏହାର ଦୁଇ ପାଖରେ ରହିଛି ଝାଉଁ ,କାଜୁ , ହେନ୍ତାଳ ଆଦି ସବୁଜିମା ଭରା ଜଙ୍ଗଲ  । ସି୍ଥର ଜଳ ରହୁଥିବାରୁ ଏହା ଭିତରେ ନୌକା ବିହାର କରିବା ପାଇଁ ପ୍ରକୃଷ୍ଠ ସୁଯୋଗ ସୃଷ୍ଟି କରିଛି  । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଦୃଶ୍ୟକୁ ନେଇ ଅନେକ କବି , ଲେଖକ ଓ ଔପନ୍ୟଷିକ  ଗଳ୍ପ , କବିତା ଓ ଉପନ୍ୟାସ ରଚନା କରି ଯାଇଛନ୍ତି  ।

 

 

କିନ୍ତୁ ପ୍ରଶାସନର ଅଣଦେଖା ଯୋଗୁଁ ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ନିମନ୍ତେ ବାରମ୍ବାର ଦାବି ହୋଇ ଆସୁଥିଲେ  ମଧ୍ୟ କେହି ଏଥି ପ୍ରତି ଦୃଷ୍ଟି ଦେଉ ନ ଥିବାର ଅଭିଯୋଗ ହେଉଛି । ଫଳରେ ସ୍ଥାନୀୟ ଲୋକେ ଏହାର ପ୍ରତିବାଦରେ  ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ  ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଜିଲାରେ ଥିବା ଏହି ସବୁ ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ ନିମନ୍ତେ ସେ ସରକାର ଙ୍କୁ ଅବଗତ କରାଇ ଥିବା କହିଛନ୍ତି  । ତେବେ ବନ୍ଦର ପର୍ଯ୍ୟଟନ ସ୍ଥଳୀ ର ବିକାଶ ନିମନ୍ତେ ସରକାର ଆବଶ୍ୟକୀୟ ପଦକ୍ଷପ ଗ୍ରହଣ କଲେ ଜିଲ୍ଲା ତଥା ଜିଲ୍ଲା ବାହରୁ ଅନେକ ପର୍ଯ୍ୟଟକ ଏଠାକୁ ଆସିପାରିବା ସହିତ ଏହାର ମଜା ଉଠାଇ ପାରିବେ ।