କନକ ବ୍ୟୁରୋ: ଚାହୁଁ ଚାହୁଁ ୯ ଦିନ ବିତି ଗଲା । ଗୁରୁବାର ଯାଇଥିଲେ, ଶୁକ୍ରବାର ଫେରି ଆସିଲେ । ଗୁଣ୍ଡିଚା ମନ୍ଦିରରେ କେତେବେଳେ ଯେ ସବୁ ସମୟଗୁଡା ସରିଗଲା ଜାଣି ପାରିଲାନି ଜଗା । ଗତ ଗୁରୁବାର ଦିନ ଏତେବେଳକୁ ଜଗା ଭାରି ଖୁସି ଥିଲା । ତା ମନ ଆଉ ଦେଉଳ ଭିତରେ ନଥିଲା । ଘରକୁ ଯିବ ବୋଲି କାଳିଆର ମନ ଉଛନ୍ନ ହେଉଥିଲା । କହିବାକୁ ଗଲେ ଜନ୍ମବେଦୀକୁ ଯିବ ବୋଲି ଜଗାର ପାଦ ଆଉ ତଳେ ଲାଗୁନଥିଲା । ହେଲେ ଆଜି...?
ଆଜି କିନ୍ତୁ କାଳିଆ ଆସିବାକୁ ଇଚ୍ଛା କରୁନି । ନୀଳାଚଳକୁ ଫେରିବାକୁ ତା ମନ ଜମା କହୁନି । ନଅ ଦିନର ସେ ମିଠା ମୁହୂର୍ତ୍ତ, ମଜାମସ୍ତି, ଭାଇଭଉଣୀଙ୍କ ସହ କଟିଥିବା ସେ ଦିନମାନ ସବୁ କଣ ଭୁଲି ହେବ । ଗୁଣ୍ଡିଚା ମନ୍ଦିରରେ କଟିଥିବା ଗୋଟି ଗୋଟି ସମୟ ସବୁ ସ୍ମୃତି ପାଲଟି ଯାଇଛି । ରଥ ଉପରେ ବସି ସାରିଲା ପରେ ବି ସେ ସ୍ମୃତିମାନେ ସବୁ ଜଗାକୁ ପଛରୁ ଭିଡୁଛନ୍ତି ।
ଗୁଣ୍ଡିଚା ମନ୍ଦିରର କୋଣ ଅନୁକୋଣ, କାନ୍ଥବାଡ, ଗଛଲତା ସବୁ ଜଗାକୁ ଝୁରୁଛନ୍ତି । ତା ପାଖେ ଛିଡା ହୋଇ ଅଳି କରୁଛନ୍ତି, ଆଉ କହୁଛନ୍ତି; ତୁ ଯାଆନାରେ ଜଗା... ଯାଆନା । ତୁ ଚାଲିଗଲେ ଆମ ସହ କିଏ ଖେଳିବ, ଆସ ସହ କିଏ ଗପିବ ଯେ । ତୁ ଗଲେ ଆଉ ଜମା ଆସିବୁନି...ପୁଣି ବର୍ଷଟେ ଅପେକ୍ଷା...ନଅ ଦିନ ପାଇଁ ଆସିବୁ, ଆମକୁ ନିଜର କରିଦେଇ ପଳେଇବୁ । ଆଉ ତା ପରେ ଆମେ ତତେ ଝୁରୁଥିବୁ... ଜାଣିଛୁ ତୁ ଗଲା ପରେ ଆମକୁ କେତେ କଷ୍ଟ ହୁଏ...ତତେ କେମିତି ଜଣା ପଡିବ ତୁ ତ ଭକ୍ତଙ୍କ ଗହଳିରେ ରହିଲୁ ତତେ କାଇଁ କଷ୍ଟ ହେବ ଯେ...? ଗୁଣ୍ଡିଚା ମନ୍ଦିରର ସ୍ମୃତିମାନଙ୍କ ଲୁହଭିଜା, ଆବେଗଭରା ଅଭିଯୋଗରେ ଛଳଛଳ ହୋଇଉଠେ ଚକା ଆଖି । କିଛି ନହରାଇ ବି ଛାତି ଭିତରଟା କେମିତି ଖାଁ ଖାଁ ଲାଗେ । ଦେହ ରଥରେ ଚାଲୁଥାଏ ସିନା ମନ କିନ୍ତୁ ଘରେ ପଡିଥାଏ ।
ଜନ୍ମବେଦୀ ଛାଡି ଆସିଲା ବେଳେ କାଳିଆ କିଛି ଏମିତି ଅନୁଭବ କରୁଥିବ । ସେମିତି ଅନୁଭବ କରୁନଥିଲେ ଆଜି ତା ମୁହଁ କଣ ପାଇଁ ଶୁଖି ଯାଇଛି । ତା ଲାଲ୍ ଓଠରେ କାହିଁକି ଅଳ୍ପ ହସ ଅଛି ଆଉ ତା ଆଖି...ଯିଏ ଦେଖିଛି ସେ ହିଁ ଜାଣିଛି, ସେ କେମିତି ଅନୁଭବ କରୁଥିବ ଘର ଛାଡି ଆସିଲା ପରେ । ଜଗା ବାଟରେ ଆସିଲା ବେଳେ ତା ମନ ମାନୁ ନଥିବାରୁ ସେବାୟତମାନେ ଛତା ଦେଖାଇ, ତାକୁ ଆଲଟ ସେବା ଦେଇ ରଥକୁ ଆଣୁଥିଲେ ।
ଘର ଛାଡି କର୍ମ କ୍ଷେତ୍ରକୁ ଫେରିବା ଏକ କଷ୍ଟ ଦାୟକ ଅନୁଭୂତି । ଯିଏ ଅଙ୍ଗେ ନିଭାଇଛି ସେ ହିଁ ଜାଣିଛି ଘର ଛାଡି କର୍ମ କ୍ଷେତ୍ରକୁ ଫେରିବା କେତେ ଯନ୍ତ୍ରଣାଦାୟକ କିଛି ମୁହୂର୍ତ୍ତ ପାଇଁ । ଆମେ ଯେତେବେଳେ କର୍ମକ୍ଷେତ୍ରରୁ କିଛି ଦିନ ଛୁଟି ନେଇ ଘରକୁ ଯାଇଥାଉ ଆଉ ଘରେ ଧୂମ ମଜାମସ୍ତି କରି ପୁଣି ଫେରୁଥାଉ ସେଦିନର ଯନ୍ତ୍ରଣା ଜଣେ ଅନୁଭବୀ ହିଁ କହିପାରିବ । ଘରେ ବିତିଥିବା ମୁହୂର୍ତ୍ତ ସବୁ ମନେ ପଡୁଥିବ, ମାଆର କୋଳ, ମାଆର ହାତ ରନ୍ଧା ଆଉ ପୁଅକୁ ବାଟେଇ ଦେବାକୁ ଆସିବା ବେଳେ ମାଆର ଛଳଛଳ ଆଖି ବାଟ ସାରା ମନେପଡେ । ହେଲେ ଛାତିକୁ ପଥର କରି, ନିଜକୁ ବୁଝାଇ କର୍ମସ୍ଥଳୀକୁ ଫେରିବାକୁ ପଡେ । କାରଣ କର୍ମ ହିଁ ସବୁକିଛି ।
ଠିକ ସେମିତି ଜଗା ଏ ଜଗତ ପାଇଁ । ସାରା ସଂସାର କଥା ବୁଝିବା ତାରି କାମ, ଭକ୍ତଙ୍କ ଦୁଃଖ ବୁଝିବା ତାଙ୍କ ଗୁହାରୀ ଶୁଣିବା ଆଉ ଭକ୍ତଙ୍କୁ ନିଜ ଅଲୌକିକ ଝଲକ ଦେଖାଇ ଶାନ୍ତି ଦେବା ହିଁ ତା କାମ । ଆଉ ଯଦି ସେ ସବୁଦିନ ପାଇଁ ଗୁଣ୍ଡିଚା ମନ୍ଦିରରେ ରହିବ ତାହାଲେ ଏ କାମ କରିବ କିଏ ? ଦୁନିଆ କଥା ବୁଝିବ କିଏ ? କଷ୍ଟ ହେଲେ ବି କର୍ମ କରିବାକୁ ପଡିବ । ଜନ୍ମବେଦୀର ମୁହୂର୍ତ୍ତ ସବୁ ପାଶୋରୀ ରତ୍ନବେଦୀରେ ବସି ଭକ୍ତଙ୍କ ମନ ପଢିବାକୁ ପଡିବ, ଦୁଃଖ ଦୂର କରିବାକୁ ପଡିବ...